ନୂଆଦିଲ୍ଲୀ:ଅନେକ ସମୟରେ ଏଟିଏମ୍ରେ ଟଙ୍କା ଉଠାଉଥିବା ବେଳେ ଟଙ୍କା ଉଠି ନ ଥାଏ। କିନ୍ତୁ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ପଇସା କଟିଯାଇଥାଏ। ବେଳେ ବେଳେ ବ୍ୟାଙ୍କ ଏହି ଅଭିଯୋଗକୁ ଅସ୍ୱୀକାର କରି ଆକାଉଣ୍ଟରେ କଟିଥିବା ଟଙ୍କା ଫେରାଇବାକୁ ମନା କରେ। ଏପରି କ୍ଷେତ୍ରରେ ସମସ୍ତଙ୍କର ଅକଲ ଗୁଡ଼ୁମ ହୋଇଯାଏ। ବ୍ୟସ୍ତ ହୁଅନ୍ତୁ ନାହିଁ ଆପଣ କିପରି ଏହି ଟଙ୍କା ଫେରି ପାଇବେ ତାହା ବତାଉଛୁ। ପଢନ୍ତୁ ପୂରା ଖବର ଆଉ ଜାଣନ୍ତୁ ଟଙ୍କା ଫେରି ପାଇବାର ବାଟ।
ସାହାଯ୍ୟ କରିବେ ଆମ୍ବୋଡ୍ସମ୍ୟାନ୍ ଅଫିସର: ଏଟିଏମ୍ ବିଷୟରେ କୌଣସି ସମସ୍ୟା ହେଲେ ଯଦି ବ୍ୟାଙ୍କ ଆପଣଙ୍କ କଥା ନ ଶୁଣେ ତା’ହେଲେ ଆପଣ ଆମ୍ବୋଡ୍ସମ୍ୟାନ୍ ଅଫିସରଙ୍କ ପାଖରେ ଅଭିଯୋଗ କରିପାରିବେ। କାରଣ ଏହି ଅଫିସର ବ୍ୟାଙ୍କ ସମ୍ବନ୍ଧୀୟ ସମସ୍ତ ଅଭିଯୋଗର ଶୁଣାଣି କରିଥାନ୍ତି। ଆମ୍ବୋଡ୍ସମ୍ୟାନ୍ ବ୍ୟାଙ୍କରୁ ଦୈନିକ କାରବାର ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ କରନ୍ତି। ଏହାପରେ ଆରମ୍ଭ ହୁଏ ତଦନ୍ତ । ଏଥିରେ ଗ୍ରାହକ କିମ୍ବା ବ୍ୟାଙ୍କ ଯାହାର ଭୁଲ ବାହାରେ ସେମାନଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଏ।
ଖାଉଟି ଅଦାଲତରେ କରିପାରିବେ ଅଭିଯୋଗ : ବ୍ୟାଙ୍କ ସମ୍ବନ୍ଧୀୟ କୌଣସି ସମସ୍ୟାରେ ପଡ଼ିଲେ ଆପଣ ପରିବାର ଅଦାଲତର ସାହାରା ନେଇ ପାରିବେ। ପରିବାର କୋର୍ଟରେ ଅଭିଯୋଗ କରି ଆପଣ ଆପଣଙ୍କ ଟଙ୍କା ଫେରି ପାଇପାରିବେ।
ପୋଲିସ୍ରେ ଅଭିଯୋଗ କରିପାରିବେ: ସେହିପରି ଏହି ମାମଲାରେ ଆପଣ ପୋଲିସ୍ର ସହଯୋଗ ନେଇପାରିବେ। ବ୍ୟାଙ୍କ ଉତ୍ତମ ସେବା ଯୋଗାଇବାରେ ଖିଲାପ କରିଛି ବୋଲି ଅଭିଯୋଗ କରିପାରିବେ । କିନ୍ତୁ ପୋଲିସ୍ର ତଦନ୍ତ ସମୟ ସାପେକ୍ଷ ହୋଇଥିବାରୁ ଆପଣଙ୍କୁ ଅପେକ୍ଷା କରିବାକୁ ପଡିପାରେ।
ବ୍ୟାଙ୍କ ଦେବ ପେନାଲ୍ଟି: ଯଦି ଏଟିଏମ୍ରେ ପଇସା ଉଠାଉଥିବା ବେଳେ ଯଦି ଟଙ୍କା ନ ଆସେ ଆଉ ଆପଣଙ୍କୁ ଆକାଉଣ୍ଟରେ ସେତିକି ଯମା ରାଶି କଟିଯାଏ ତେବେ ଆପଣ ବ୍ୟାଙ୍କରେ ଏହାର ଅଭିଯୋଗ କରିପାରିବେ। ବ୍ୟାଙ୍କ ୭ ଦିନ ମଧ୍ୟରେ ଆପଣଙ୍କୁ କଟିଯାଇଥିବା ଟଙ୍କା ଫେରସ୍ତ କରିବ। ଯଦି ସେହି ସମୟସୀମା ଭିତରେ ଆପଣଙ୍କ ଟଙ୍କା ନ ଫେରିଲା ତାହେଲେ ବ୍ୟାଙ୍କ ଆପଣଙ୍କୁ ପ୍ରତିଦିନ ୧୦୦ ଟଙ୍କା ହିସାବରେ ପେନାଲ୍ଟି ଦେବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।