ନୂଆଦିଲ୍ଲୀ: ସୁଷମା ସ୍ୱରାଜ ଏଥର ସାଧାରଣ ନିର୍ବାଚନ ଲଢ଼ି ନଥିଲେ। ନିର୍ବାଚନ ପୂର୍ବରୁ ଏହା ଜଣାପଡ଼ିବା ପରେ ଏହାକୁ ନେଇ ଆଲୋଚନା ଜୋର ଧରିଥିଲା। ତାଙ୍କ ଦଳର କିଛି ନେତାଙ୍କ ସହିତ ତାଙ୍କର ପ୍ରଶଂସକମାନେ ଚାହୁଁଥିଲେ ସେ ନିର୍ବାଚନ ଲଢ଼ନ୍ତୁ। ତେଣୁ ସେ ନିର୍ବାଚନ ନ ଲଢ଼ିବା କଥା ସ୍ପଷ୍ଟ ହୋଇଯିବା ପରେ ସେମାନେ ଭାରି ଦୁଃଖୀ ହୋଇଥିଲେ। ତେବେ ତାଙ୍କର ଏ ନିଷ୍ପତ୍ତିରେ ସବୁଠୁ ଅଧିକ ଖୁସି ହୋଇଥିଲେ ତାଙ୍କ ସ୍ୱାମୀ ସ୍ୱରାଜ କୌଶଲ।
ସେତେବେଳେ ସେ ସୁଷମାଙ୍କ ଉଦ୍ଦେଶ୍ୟରେ କହିଥିଲେ,“ମୋର ମନେ ଅଛି ଏକ ସମୟରେ ମିଲ୍ଖା ସିଂହ ବି ଅବସର ନେଇଥିଲେ। ଏହି ଦୌଡ଼ (ସୁଷମାଙ୍କ ରାଜନୀତି କ୍ୟାରିୟର) ୧୯୭୭ରେ ଆରମ୍ଭ ହୋଇଥିଲା। ଏବେ ଏହାକୁ ୪୧ ବର୍ଷ ହୋଇଗଲାଣି। ଆପଣ ବର୍ତ୍ତମାନ ସୁଦ୍ଧା ୧୧ଟି ନିର୍ବାଚନ ଲଢ଼ି ସାରିଲେଣି। କେବଳ ୧୯୯୧ ଓ ୨୦୦୪ରେ ନିର୍ବାଚନ ଲଢ଼ି ନଥିଲେ। କାରଣ ଦଳ ଆପଣଙ୍କୁ ପ୍ରାର୍ଥୀ କରି ନଥିଲା। ମୁଁ ଆପଣଙ୍କ ପଛରେ ୪୬ ବର୍ଷ ହେଲାଣି ଦୌଡୁଛି। ଏବେ ମୋତେ ଆଉ ୧୯ ବର୍ଷ ହୋଇନାହିଁ। ଥ୍ୟାଙ୍କ୍ ୟୁ ମ୍ୟାଡାମ୍।”
୧୯୭୫ ମସିହା ଜୁଲାଇ ୧୩ ତାରିଖରେ ସୁଷମା ଓ ସ୍ୱରାଜ ବାହା ହୋଇଥିଲେ। ସେମାନେ ପ୍ରେମ ବିବାହ କରିଥିଲେ। ସ୍ୱରାଜ କୌଶଲ ସୁପ୍ରିମ୍କୋର୍ଟର ଜଣେ ଜଣାଶୁଣା କ୍ରିମିନାଲ୍ ଲୟର। ସେ ମାତ୍ର ୩୪ ବର୍ଷ ବୟସରେ ଆଡ୍ଭୋକେଟ୍ ଜେନେରାଲ୍ ହେବାର ଗୌରବ ହାସଲ କରିଥିଲେ। ୩୭ ବର୍ଷ ବୟସରେ ସେ ମିଜୋରାମ୍ର ରାଜ୍ୟପାଳ ହୋଇଥିଲେ। ୧୯୯୦ରୁ ୧୯୯୩ ପର୍ଯ୍ୟନ୍ତ ସେ ଏହି ପଦବୀରେ ଥିଲେ। ସେହିପରି ୧୯୯୮ରୁ ୨୦୦୪ ପର୍ଯ୍ୟନ୍ତ ସେ ରାଜ୍ୟସଭା ସାଂସଦ ମଧ୍ୟ ଥିଲେ।