ନୂଆଦିଲ୍ଲୀ: ଅଯୋଧ୍ୟା ରାମ ଜନ୍ମଭୂମି ପ୍ରସଙ୍ଗ ଦେଶର ଚଳିତ ଦଶନ୍ଧିର ସବୁଠାରୁ ଚର୍ଚ୍ଚିତ ପ୍ରସଙ୍ଗ ହୋଇଥିବାବେଳେ ଏହି ପ୍ରସଙ୍ଗରେ ଦଳକୁ ଅଡ଼ୁଆରେ ପକାଇବା ଭଳି ମନ୍ତବ୍ୟ ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ମଣିଶଙ୍କର ଆୟାର। ‘ଏକ୍ ଶାମ୍ ବାବ୍ରୀ ମସ୍ଜିଦ୍କେ ନାମ୍’ ନାମକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି ୧୯୯୨ ମସିହା ୬ ଡିସେମ୍ବରରେ ବାବ୍ରୀ ମସ୍ଜିଦ୍ ଧ୍ୱଂସ ହୋଇଥିଲା ଏବଂ ଏହା ଦେଶ ପାଇଁ ଏକ ଦୁଃଖଦ ଦିନ।
ଏହି ଦିନକୁ କେବେ ମଧ୍ୟ ଭୁଲିହେବନି ଦର୍ଶାଇ ସେ କହିଥିଲେ, ମୁଁ କଂଗ୍ରେସରୁ ଏବଂ ଆମେ ଭୁଲ୍ କରିଥିଲୁ ବୋଲି ସ୍ୱୀକାର କରୁଛି। ତତ୍କାଳୀନ ପ୍ରଧାନମନ୍ତ୍ରୀ ପିଭି ନରସିହଂ ରାଓ ଠିକ୍ ସମୟରେ କୌଣସି ପଦକ୍ଷେପ ନେଲେନି ଏବଂ ଯାହା ଘଟିଲା ଭୁଲ୍ ଘଟିଲା।
ଆୟାର ପୂର୍ବରୁ ମଧ୍ୟ କହିଥିଲେ ଯେ, ସ୍ୱର୍ଗତ ରାଓଙ୍କ ହିନ୍ଦୁବାଦୀ ବିଚାର ପାଇଁ ୧୯୯୨ ଅଯୋଧ୍ୟା ବାବ୍ରୀ ମସ୍ଜିଦ୍ ଭଙ୍ଗାଯାଇ ପାରିଥିଲା। ଏତଦ୍ ବ୍ୟବତୀତ ଆଜି ସେ କହିଥିଲେ, ଭାରତକୁ ବିଭାଜନ କରିବାପାଇଁ ଏହା ଦ୍ୱିତୀୟ ପ୍ରୟାସ ଥିଲା। ବାବ୍ରୀ ମସ୍ଜିଦ୍ ଭଙ୍ଗାଯିବା ଫଳରେ ହିନ୍ଦୁ ମୁସ୍ଲିମ୍ ଏକତା କ୍ଷୁର୍ଣ୍ଣ ହୋଇଥିଲା ବୋଲି ମଧ୍ୟ ସେ କହିଛନ୍ତି।
ମୁସଲିମ୍ମାନଙ୍କର ସଚ୍ଚୋଟତା ଏବଂ ଦେଶପ୍ରେମ ଉପରେ ପ୍ରଶ୍ନ ଉଠୁଥିବା ନେଇ ସେ କହିଥିଲେ, “ଦେଶ ବିଭାଜନ ସମୟରେ ଆପଣମାନେ ଦେଶ ନଛାଡ଼ି ନିଜର ସଚ୍ଚୋଟତା ଏବଂ ଦେଶପ୍ରେମ ପ୍ରମାଣ କରିସାରିଥିଲେ ମଧ୍ୟ ଆପଣମାନଙ୍କ ସାଧୁତାକୁ ନେଇ ପ୍ରଶ୍ନବାଚୀ ଉଠାଇବା ଅର୍ଥାତ ଦେଶର ସଚ୍ଚୋଟତା ଉପରେ ପ୍ରଶ୍ନ ଉଠାଇବା।”