ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ପାଇଁ ଲାଗୁ ହେଉଥିବା ୩୭୦ ଧାରା ଉଚ୍ଛେଦ ପରେ ସମଗ୍ର ବିଶ୍ୱରୁ ଶକ୍ତି ସଂଗ୍ରହ କରିବାରେ ଲାଗିପଡ଼ିଛି ପାକିସ୍ତାନ। ତେବେ ଏକ ଇସ୍ଲାମାମିକ୍ ରାଷ୍ଟ୍ର ହିସାବରେ ଅନ୍ୟ ସମସ୍ତ ଇସ୍ଲାମିକ୍ ରାଷ୍ଟ୍ରଠାରୁ ସମର୍ଥନ ପାଇବାକୁ ଆଶା ବାନ୍ଧି ବସିଥିବା ଇମ୍ରାନ୍ ସବୁଆଡ଼ୁ ନିରାଶ ହେଉଥିବା ଲକ୍ଷ୍ୟ କରାଯାଉଛି। ୟୁଏଇ ଏବଂ ସାଉଦି ଆରବରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେଠାକାର ଶ୍ରେଷ୍ଠ ସମ୍ମାନ ମିଳୁଥିବାବେଳେ ଇମ୍ରାନ୍ ବାରମ୍ବାର ନିରାଶ ହେବାରେ ଲାଗିଛନ୍ତି।
ପୂର୍ବରୁ ଥରେ ଇମ୍ରାନ୍ ଭାରତ ବିରୋଧରେ ସେମାନଙ୍କୁ ଉସକାଇବା ପାଇଁ କହିଥିଲେ, ଯୁଦ୍ଧ ଇସ୍ଲାମ୍ ବିରୋଧୀ, କିନ୍ତୁ ମୁସଲିମ୍ ପାଇଁ ପୂର୍ବରୁ ମୁକ୍ତି ପାଇଁ ଯେବେ ମଧ୍ୟ ଲଢ଼େଇ କରିଛନ୍ତି, ବଡ଼ ବଡ଼ ସେନାବାହିନୀଙ୍କୁ ହରାଇଛନ୍ତି।
କିନ୍ତୁ ତାଙ୍କର ଏପରି ମନ୍ତବ୍ୟ ସବୁ ଇସଲାମିକ୍ ରାଷ୍ଟ୍ରମାନଙ୍କୁ କିଛି ମଧ୍ୟ ପ୍ରଭାବ ପକାଇ ନଥିଲା। ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ସାଉଦି ଆରବ ଏବଂ ୟୁଏଇ ମଧ୍ୟ ପାକିସ୍ତାନର ଚାଲ୍ରେ ପଡ଼ିନାହାନ୍ତି। ସାଉଦି କ୍ରାଉନ୍ ପ୍ରିନ୍ସ ମହମ୍ମଦ ବିନ୍ ସଲମାନ୍ଙ୍କ ସହ ଅନେକ ଥର ଇମ୍ରାନ୍ ଫୋନ୍ରେ କଥା ହୋଇସାରିଥିଲେ ମଧ୍ୟ ତାହା ଲାଭପ୍ରଦ ହୋଇନି। ଅନ୍ୟପକ୍ଷରେ ୟୁଏଇ ସ୍ପଷ୍ଟ କରିସାରିଛି ୩୭୦ ଉଚ୍ଛେଦ ସମ୍ପୂର୍ଣ୍ଣ ଭାବେ ଭାରତର ଅନ୍ତରୀଣ ମାମଲା। ସଦ୍ୟ ୟୁଏଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଶର ସର୍ବଶ୍ରେଷ୍ଠ ବେସାମରିକ ସମ୍ମାନରେ ସମ୍ମାନିତ କରିବା ଇମ୍ରାନ୍ଙ୍କୁ ଝଟ୍କା ଲଗାଇବା ପାଇଁ ଯଥେଷ୍ଟ ଥିଲା।
ଏପରିକି ଇସଲାମ୍ ଉଗ୍ରବାଦୀ ସଂଗଠନ ତାଲିବାନ୍ ମଧ୍ୟ ପାକିସ୍ତାନର ୩୭୦ ଏଜେଣ୍ଡାରେ ସହଯୋଗ କରିନାହିଁ। ମୁସଲିମ୍ ବହୁଳ ରାଷ୍ଟ୍ର ହିସାବରେ କେବଳ ତୁର୍କୀ ପାକିସ୍ତାନକୁ ସମର୍ଥନ ଜଣାଇଥିବାବେଳେ ଏହା ଏକ ଇସଲାମିକ୍ ନୁହେଁ ବରଂ ଏକ ଗଣତାନ୍ତ୍ରିକ ରାଷ୍ଟ୍ର। ୩୭୦ ଉଚ୍ଛେଦକୁ ଏହି ରାଷ୍ଟ୍ର ବିରୋଧ କରିବାର କାରଣ କିଛି ଅଲଗା।
ତେବେ ଏଭଳି ସ୍ଥିତି ଦେଖି କଶ୍ମୀର ପ୍ରସଙ୍ଗକୁ ମୁସଲିମ୍ ରଙ୍ଗ ଦେବାର ପ୍ରୟାସ କରୁଥିବା ଇମ୍ରାନ୍ ଶେଷରେ ମୁହଁ ଖୋଲିବାକୁ ବାଧ୍ୟ ହୋଇଛନ୍ତି। ସେ ବୁଧବାର କହିଛନ୍ତି, ମୁଁ ଖବରକାଗଜରୁ ଜାଣିବାକୁ ପାଇଲି ଇସଲାମିକ୍ ରାଷ୍ଟ୍ରମାନେ କଶ୍ମୀର ପ୍ରସଙ୍ଗରେ ଆମକୁ ସମର୍ଥନ କରୁନଥିବାରୁ ଲୋକେ ରାଗୁଛନ୍ତି। ମୁଁ ଆପଣମାନଙ୍କୁ କହିଦେବାକୁ ଚାହେଁ ଆପଣ ଚିନ୍ତିତ ହେବାର କୌଣସି କାରଣ ନାହିଁ। ଯଦି କୌଣସି ରାଷ୍ଟ୍ର ଏହି ପ୍ରସଙ୍ଗକୁ ଉଠାଉନାହିଁ, ଏହାର ଅର୍ଥ ସେହି ରାଷ୍ଟ୍ର ନିଜ ଅର୍ଥନୀତିକ ସ୍ୱାର୍ଥକୁ ଦେଖୁଛି।
ଇମ୍ରାନ୍ ମୁସଲିମ୍ ପ୍ରସଙ୍ଗ ଉଠାଇବା କେବଳ ସ୍ଥାନୀୟ ନାଗରିକଙ୍କୁ ନୁହେଁ ଦ୍ୱିତୀୟ କ୍ଷମତା କେନ୍ଦ୍ର ପାକିସ୍ତାନ ସେନା ଏବଂ ଦୁର୍ବଳ ପାକିସ୍ତାନ ସରକାରଙ୍କୁ ମଧ୍ୟ ସୁହାଇବାର ଥିଲା। କିନ୍ତୁ ଏହା ସଫଳ ନହେବା ପରେ ସେ ତାଙ୍କ ଲୋକଙ୍କୁ ବୁଝାଇବା ଆରମ୍ଭ କରିଛନ୍ତି, ଅପେକ୍ଷା କର ଭବିଷ୍ୟତରେ କିଛି ଘଟିପାରେ।