ଅମରାବତୀ: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ ତାଙ୍କ ସରକାରରେ ୫ ଜଣ ଉପ-ମୁଖ୍ୟମନ୍ତ୍ରୀ ରଖିବେ। ଆନ୍ଧ୍ରଠୁ ଅନେକ ବଡ଼ ରାଜ୍ୟ ରହିଥିଲେ ମଧ୍ୟ ଏତେ ସଂଖ୍ୟକ ଉପ-ମୁଖ୍ୟମନ୍ତ୍ରୀ ନିଯୁକ୍ତ କରିବାରେ ଦେଶର ପ୍ରଥମ ରାଜ୍ୟ ଆନ୍ଧ୍ରପ୍ରଦେଶ ହେବ।
୧୭୫ ବିଧାନସଭା ଆସନରୁ ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀଙ୍କ ନେତୃତ୍ୱାଧୀନ ଦଳ ଓ୍ୱାଇଏସଆର କଂଗ୍ରେସ ୧୫୧ଟି ଆସନରେ ବିଜୟୀ ହୋଇଥିବା ବେଳେ କ୍ଷମତାଚ୍ୟୁତ ହୋଇଥିବା ଚନ୍ଦ୍ରବାବୁ ନାଇଡୁଙ୍କ ଦଳ ତେଲୁଗୁ ଦେଶମ ପାର୍ଟି ୨୩ଟି ଆସନ ଓ ଅଭିନେତାରୁ ରାଜନେତା ପାଲଟିଥିବା ପବନ କଲ୍ୟାଣଙ୍କ ଜନସେନା ଦଳ ଗୋଟିଏ ଆସନରେ ବିଜୟୀ ହୋଇଛି।
ଦଳର ଅଧିକାଂଶ ପ୍ରାର୍ଥୀ ବିଧାୟକ ଭାବେ ନିର୍ବାଚିତ ହୋଇଥିବାରୁ ସରକାରରେ ସନ୍ତୁଳନ ବଜାୟ ରଖିବା ପାଇଁ ଓ୍ୱାଇଏସଆର କଂଗ୍ରେସ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀ ଏପରି ନିଷ୍ପତ୍ତି ନେଇଛନ୍ତି। ଏହି ସମସ୍ତ ଉପ ମୁଖ୍ୟମନ୍ତ୍ରୀ ବିଭିନ୍ନ ବର୍ଗ ଯଥା ଏସସି-ଏସଟି, ଦଳିତ, ସଂଖ୍ୟାଲଘୁ ଆଦି ନେତା ଉପଯୁକ୍ତ ମାନ୍ୟତା ପାଇବେ ବୋଲି ଓ୍ୱାଇଏସଆର କଂଗ୍ରେସ ବିଧାୟକ ମହମ୍ମଦ ମୁସ୍ତଫା ସାଇକି କହିଛନ୍ତି।
ଦେଶରେ ଉତ୍ତର ପ୍ରଦେଶ ସବୁଠୁ ବଡ଼ ରାଜ୍ୟ , କିନ୍ତୁ ଏହି ରାଜ୍ୟରେ ଦୁଇ ଜଣ ଉପ-ମୁଖ୍ୟମନ୍ତ୍ରୀ ରହିଥିବା ବେଳେ ଅନ୍ୟ ବଡ଼ ରାଜ୍ୟ ମହାରାଷ୍ଟ୍ର, ରାଜସ୍ଥାନ, ମଧ୍ୟପ୍ରଦେଶ, ବିହାର ଆଦି ରାଜ୍ୟ ରହିଛି। ଏହି ରାଜ୍ୟ ଗୁଡ଼ିକରେ ଜଣେ କି ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ରହିବାର ନଜିର ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।