ନୂଆଦିଲ୍ଲୀ: ଆସନ୍ତା ମାସ ଅର୍ଥାତ ଜୁଲାଇ ୫ ତାରିଖରେ ଆଗତ ହେବାକୁ ଥିବା ବଜେଟ୍ରେ ଇନ୍କମ୍ ଟ୍ୟାକ୍ସ ସ୍ଲାବ୍ରେ ପରିବର୍ତ୍ତନ ଅଣାଯିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନିଜର ପ୍ରଥମ ବଜେଟ୍ରେ ଟିକସ ଛାଡ଼ ସୀମା ବଢ଼ାଇବାର ନିଷ୍ପତ୍ତି ନେଇପାରନ୍ତି ବୋଲି ମନ୍ତ୍ରଣାଳୟର ନିକଟତମ ସୂତ୍ରରୁ ଜଣାପଡ଼ିଛି।
ବର୍ତ୍ତମାନ ବାର୍ଷିକ ଆୟ ୨,୫୦,୦୦୦ ବା ତଳକୁ ଥିଲେ ଟିକସ ଦେବାକୁ ପଡ଼ୁନି। କିନ୍ତୁ ଏଥିରେ ପରିବର୍ତ୍ତନ ଆସିଲେ ୩ ଲକ୍ଷ ଟଙ୍କା ବା ତା’ଠାରୁ କମ୍ ଆୟ ଥିବା ଲୋକେ ଆଉ ଆୟକର ବା ଇନ୍କମ୍ ଟ୍ୟାକ୍ସ ଦେବାକୁ ପଡ଼ିବନି। ଏହି ଅଧିକାରୀମାନେ ପ୍ରସ୍ତାବ ବାବଦରେ ଗଣମାଧ୍ୟମରେ ମୁହଁ ଖୋଲିବାର ଅନୁମତି ନଥିବାରୁ ସେମାନଙ୍କ ପରିଚୟ ଗୁପ୍ତ ରହିଛି। କିନ୍ତୁ ଏହି ପ୍ରସ୍ତାବ ଚୂଡ଼ାନ୍ତ ହୋଇନାହିଁ।
ଆଶା କରାଯାଉଛି ଏପରି ହେଲେ ଚଳତ ବର୍ଷ ଧିମା ହୋଇଯାଇଥିବା ଅର୍ଥନୀତିରେ ସୁଧାର ଆସିବ। ଚଳିତ ବର୍ଷ ଅଭିବୃଦ୍ଧି ହାର ୫ ବର୍ଷରେ ସବୁଠାରୁ କମ୍ ଅର୍ଥାତ ୫.୮%କୁ ଖସିଆସିଛି। ଏପରି ହେଲେ ୫ କୋଟି ଟିକସଦାତାଙ୍କ ହାତକୁ ଅତିରିକ୍ତ ୨,୫୦୦ ଟଙ୍କା ଆସିଯିବ।