ନୂଆଦିଲ୍ଲୀ: 'ନାସା' ଦ୍ୱାରା ପ୍ରସ୍ତୁତ ଏକ ରିପୋର୍ଟରୁ ଜଣାଯାଇଛି ଯେ ସବୁଜିମା ବଢ଼ାଇବାରେ ଭାରତ ଏବଂ ଚୀନ୍ ସବୁଠୁ ଆଗରେ ରହିଛନ୍ତି। ଦେଶର ପରିବେଶ ଯୋଦ୍ଧାମାନଙ୍କ ପାଇଁ ଏହା ଏକ ଖୁସି ଖବର ଓ ସେମାନଙ୍କ ନିରବଛିନ୍ନ ଅଭିଯାନର ବିଜୟ ସଦୃଶ ବୋଲି କୁହାଯାଉଛି।
ଆମେରିକାର ଏହି ମହାକାଶ ଗବେଷଣା ସଂସ୍ଥା ଫେବୃଆରୀ ୧୧ରେ ଘୋଷଣା କରିଥିବା ରିପୋର୍ଟରେ କୁହାଯାଇଛି, “୨୦ ବର୍ଷ ପୂର୍ବେ ପୃଥିବୀ ଯେଭଳି ସବୁଜ ଥିଲା ପ୍ରକୃତରେ ବର୍ତ୍ତମାନ ତାହା ତୁଳନାରେ ଅଧିକ ସବୁଜ ହୋଇଛି। ଚୀନ୍ ଏବଂ ଭାରତ ଏଥିରେ ସର୍ବାଗ୍ରେ ରହିଛନ୍ତି। ବିଶ୍ୱର ସବୁଠାରୁ ଅଧିକ ଜନସଂଖ୍ୟା ଥିବା ଏହି ଦୁଇ ରାଷ୍ଟ୍ର ସବୁଜିମା ବଢ଼ାଇବାରେ ମଧ୍ୟ ଆଗରେ।”
ବୋଷ୍ଟନ୍ ୟୁନିଭର୍ସିଟି ଏବଂ 'ନାସା'ର କିଛି ଗବେଷକ 'ନାସା'ର ଟେକ୍ନୋଲଜିର ସହାୟତା ନେଇ ୨୦ ବର୍ଷର ତଥ୍ୟ ଉପରେ ଗବେଷଣା କରିଥିଲେ। ମଡ୍ରେଟ୍ ରିଜଲ୍ୟୁସନ୍ ଇମେଜିଂ ସ୍ପେକ୍ଟ୍ରୋଡିଓମିଟର (ମୋଡିସ୍) ନାମକ ଏହି ଉପକରଣ ୨ଟି କୃତ୍ରିମ ଉପଗ୍ରହ ସହିତ ପୃଥିବୀକୁ ପ୍ରଦୀକ୍ଷଣ କରି ରେକର୍ଡ କରିଥିବା ଡାଟାରୁ ଏହି ତଥ୍ୟ ମିଳିଛି।
‘ନେଚର ସସ୍ଟେନେବିଲିଟି’ ଜର୍ଣ୍ଣାଲରେ ପ୍ରକାଶିତ ଏହି ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଭାରତ ଓ ଚୀନ୍ର ଲଗାତାର ବୃକ୍ଷରୋପଣ କାର୍ଯ୍ୟକ୍ରମ ଏବଂ ଉଭୟ ରାଷ୍ଟ୍ରରେ ସଘନ କୃଷି ପ୍ରଣାଳୀ କାରଣରୁ ଏହି ସଫଳତା ମିଳିଛି ବୋଲି କୁହାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।