ନୂଆଦିଲ୍ଲୀ: ନୋଭେଲ କରୋନା ଭାଇରସ ଏବେ ଚୀନ ସମେତ ଅନେକ ଦେଶକୁ ବ୍ୟାପିଛି। ଏହାକୁ ନଜରରେ ରଖି କେନ୍ଦ୍ର ସରକାର ଆଜି ଯାତ୍ରା ସତର୍କତା ମାର୍ଗଦର୍ଶିକା ଜାରି କରିଛନ୍ତି। ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପୂର୍ବରୁ ଜାରି କରିଥିବା ଯାତ୍ରା ସତର୍କତା ମାର୍ଗଦର୍ଶିକା ସହିତ ଅତିରିକ୍ତ ନିର୍ଦ୍ଦେଶାବଳୀ ଜାରି କରିଛି।
ଅତି ଜରୁରୀ ହୋଇନଥିଲେ ଭାରତୀୟମାନଙ୍କୁ କୋରିଆ, ଇରାନ ଓ ଇଟାଲୀ ଗସ୍ତ ନକରିବା ଲାଗି ପରାମର୍ଶ ଦିଆଯାଇଛି। ସେହିପରି କୋରିଆ, ଇରାନ ଏବଂ ଇଟାଲୀରୁ ଆସୁଥିବା ଯାତ୍ରୀ କିମ୍ବା ୧୦ ଫେବୃଆରୀ ୨୦୨୦ ପରେ ଭାରତରେ ପହଁଚିଥିବା ଯାତ୍ରୀଙ୍କୁ ୧୪ ଦିନ ପାଇଁ ଅଲଗା ରଖାଯାଇ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରାଯାଇପାରେ।