ନୂଆଦିଲ୍ଲୀ: ବିଶ୍ୱ ତଥା ଦେଶରେ ତାଣ୍ଡବ ରଚି ଚାଲିଥିବା ମହାମାରୀ କରୋନା ଭାଇରସର ଉତ୍ପତ୍ତି ସ୍ଥଳ କେଉଁଠି, ତା’ର ତଦନ୍ତ ପାଇଁ ଦାବି କରୁଥିବା ଦେଶଗୁଡ଼ିକ ମଧ୍ୟରେ ଭାରତ ମଧ୍ୟ ସାମିଲ ହୋଇଛି।
ୟୁରୋପ ୟୁନିୟନ ଏ ସଂକ୍ରାନ୍ତରେ ପ୍ରସ୍ତୁତ କରିଥିବା ସଂକଳ୍ପକୁ ଭାରତ ସମର୍ଥନ ଜଣାଇଛି। ବିଶ୍ୱ ସ୍ୱାସ୍ଥ୍ୟ ଆସେମ୍ବ୍ଲି(ଡବ୍ଲ୍ୟୁଏଚ୍ଏ) ନିକଟରେ ଏହି ସଂକଳ୍ପ ଆଜି ଉପସ୍ଥାପନ କରାଯାଇ ନିରପେକ୍ଷ ତଦନ୍ତ ଦାବି କରାଯିବ। ଏଥିସହ କରୋନା ଉପରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ) କ’ଣ ସବୁ ପଦକ୍ଷେପ ନେଇଛି, ତା’ର ଜବାବ ମଧ୍ୟ ଦେବାକୁ ଏହି ସଂକଳ୍ପରେ କୁହାଯାଇଛି।
କରୋନାର ଉତ୍ପତ୍ତି ସ୍ଥଳ କେଉଁଠି ତା’ର ନିରପେକ୍ଷ ତଦନ୍ତ କରିବାକୁ ହୋଇଥିବା ସଂକଳ୍ପକୁ ୟୁରୋପ ୟୁନିୟନ ପ୍ରସ୍ତୁତ କରିଥିବା ବେଳେ ଏହାକୁ ଅଷ୍ଟ୍ରେଲିଆ ବି ସମର୍ଥନ କରିଛି। ସେହିପରି ଚାଇନା କିମ୍ବା ଆମେରିକା ଏହା ଉପରେ ଆପତ୍ତି ଉଠାଇ ନାହାନ୍ତି। ତେବେ ଚାଇନା ଓ ଆମେରିକା ଏହି ସଂକଳ୍ପକୁ ଏଯାଏ ସମର୍ଥନ କରିନାହାନ୍ତି।
ଭାରତ ସମେତ ବିଶ୍ୱର ୬୨ଟି ଦେଶ ଏହାକୁ ସମର୍ଥନ ଜଣାଇଛନ୍ତି। ସଂକଳ୍ପରେ କୁହାଯାଇଛି ଯେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନ୍ତର୍ଜାତୀୟ ଏଜେନ୍ସି ସହ ମିଶି ଭାଇର କେଉଁଠି ଆରମ୍ଭ ହେଲା ଏବଂ ଏହା କେମିତି ମଣିଷ ଶରୀରକୁ ଆସିଲା, ତା’ର ତଦନ୍ତ କରୁ।
ଚାଇନାରେ ଏହି ଭାଇରସ ପ୍ରଥମେ ଦେଖାଦେଇଥିବା କୁହାଯାଉଛି। ଆମେରିକା ଠାରୁ ଆରମ୍ଭ କରି ଏକାଧିକ ଦେଶ କରୋନା ସଙ୍କଟ ପାଇଁ ଚାଇନାକୁ ଦାୟୀ କରୁଛନ୍ତି। ହେଲେ ଚାଇନା ଏହାକୁ ସ୍ୱୀକାର କରିବାକୁ ପ୍ରସ୍ତୁତ ନୁହେଁ।
ନିକଟରେ ଶେଷ ହୋଇଥିବା ଜି -୨୦ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ହୁ’ ସଂସ୍କାରକୁ ସମର୍ଥନ କରିଥିଲେ ଏବଂ କରୋନା ବାବଦରେ ସ୍ୱଚ୍ଛତା ଏବଂ ଉତ୍ତରଦାୟିତ୍ୱର ଆବଶ୍ୟକତା ରହିଛି ବୋଲି କହିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।