ନୂଆଦିଲ୍ଲୀ: ଜାତିସଂଘ ମାନବିକ ଅଧିକାର ହାଇକମିଶନ କାର୍ଯ୍ୟାଳୟ ପକ୍ଷରୁ ପ୍ରକାଶିତ ନୂଆ ରିପୋର୍ଟକୁ କଡ଼ା ଶବ୍ଦରେ ପ୍ରତିକ୍ରିୟା ରଖିଛି ଭାରତ। ଏଥିରେ କଶ୍ମୀର ବାବଦରେ ଏଭଳି କିଛି ତଥ୍ୟ ରହିଛି ଯେଉଁଥିରେ ଭାରତ ଉତ୍କ୍ଷିପ୍ତ ହୋଇଛି। ଭାରତ ସରକାର ଏହି ରିପୋର୍ଟକୁ ମିଛ ଏବଂ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି କହିଛନ୍ତି। ଏହି ରିପୋର୍ଟରେ ଭାରତକୁ କୁହାଯାଇଥିଲା, ଅନ୍ତର୍ଜାତୀୟ ଆଇନ ଅନୁଯାୟୀ ଭାରତ କଶ୍ମୀରବାସୀଙ୍କ ଆତ୍ମସମ୍ମାନ ଅଧିକାରକୁ ସମ୍ମାନ ଜଣାଉ।
ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ଜାତିସଂଘ ମାନବିକ ଅଧିକାର ହାଇକମିଶନ ‘ଆତଙ୍କବାଦକୁ ଆଇନସମ୍ମତ’ କରିବାର ପ୍ରୟାସରେ ଥିବାଭଳି ଲାଗୁଛି। ଏହା ଭାରତର ସାର୍ବଭୌମତ୍ୱ ଏବଂ ଅଖଣ୍ଡତାର ଉଲ୍ଲଂଘନ। ଏହି ରିପୋର୍ଟ ସୀମାପାର ଆତଙ୍କବାଦକୁ ସମ୍ଭବତଃ ଭୁଲିଯାଇଛି ବୋଲି ଭାରତ ଉତ୍ତର ରଖିଛି।
ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି, ବିଶ୍ୱର ସବୁଠାରୁ ବଡ଼ ଗଣତାନ୍ତ୍ରିକ ରାଷ୍ଟ୍ର ଏବଂ ଖୋଲାଖୋଲି ଆତଙ୍କବାଦ ସମର୍ଥନକୁ ସମର୍ଥନ କରୁଥିବା ରାଷ୍ଟ୍ର ମଧ୍ୟରେ ସମତୁଲତା ସୃଷ୍ଟି ପାଇଁ ଏହା ଏକ ଉଦ୍ଦେଶ୍ୟମୂଳକ ପ୍ରୟାସ।
ଗତବର୍ଷ ମଧ୍ୟ ଏଭଳି ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଚଳିତ ବର୍ଷ ପ୍ରକାଶ ପାଇଥିବା ରିପୋର୍ଟରେ କୁହାଯାଇଛି, ଜମ୍ମୁକଶ୍ମୀର ଏବଂ ପାକ୍ ଅଧିକୃତ କଶ୍ମୀରରେ ମାନବିକ ଅଧିକାର ଉଲ୍ଲଂଘନ ଉଗ୍ର ସ୍ଥିତିରେ ପହଞ୍ଚିଛି। କୌଣସି ଅଭାବନୀୟ କାଣ୍ଡ ଘଟିବା ପୂର୍ବରୁ ସତର୍କତା ସ୍ୱରୂପ ଇଣ୍ଟରନେଟ୍ ବନ୍ଦ କରାଯିବାକୁ ମଧ୍ୟ ଏଥିରେ ଆପତ୍ତି ଉଠାଯାଇଛି। ଏପରକି ସୁରକ୍ଷା କର୍ମୀ ଏତେ ସଂଖ୍ୟାରେ ସେଠାରେ ରହିବା କୁଆଡ଼େ ମାନବିକ ଅଧିକାର ଉଲ୍ଲଂଘନ କରୁଛି ବୋଲି ଏହି ରିପୋର୍ଟରେ କୁହାଯାଇଛି।