ନୂଆଦିଲ୍ଲୀ: ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଦିଲ୍ଲୀର ଲୋଧି ରୋଡ୍ ଶ୍ମଶାନ ଘାଟଠାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତ୍ରୀ ସୁଷମା ସ୍ୱରାଜଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ହୃଦଘାତ ପରେ ଦିଲ୍ଲୀର ଏମ୍ସଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଥିଲା। ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା। ଆଜି ୨୧ଟି ତୋପ ସଲାମୀର ରାଷ୍ଟ୍ରୀ ମର୍ଯ୍ୟାଦା ସହିତ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ସୁଷମାଙ୍କ ଝିଅ ବାଂଶୁରୀ ଅନ୍ତିମ ସଂସ୍କାରର ସମସ୍ତ ରୀତିନୀତି ପାଳନ କରିଥିଲେ।
ଏହି ଅବସରରେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡ଼ୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏବଂ ଅନ୍ୟ କେନ୍ଦ୍ରମନ୍ତ୍ରୀଙ୍କ ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ବିଦେଶୀ ନେତା ଭାବେ ଭୁଟାନ ପ୍ରଧାନମନ୍ତ୍ରୀ ଶେରିଂ ଟୁବ୍ଗେ ମଧ୍ୟ ଏଥିରେ ଯୋଗ ଦେଇଥିଲେ।
ଆଜି ପ୍ରାୟ ୧୧ଟାରୁ ବିଜେପି ମୁଖ୍ୟାଳୟରେ ସୁଷମାଙ୍କ ପାର୍ଥିବ ଶରୀରର ରଖାଯାଇଥିଲା। ଶହଶହ ବିଜେପି କର୍ମୀ ଓ ନେତା ସେଠାରେ ପହଞ୍ଚି ସୁଷମାଙ୍କ ଶେଷ ଦର୍ଶନ କରିଥିଲେ। ଆଜି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ନିଜ କାନ୍ଧରେ ସୁଷମାଙ୍କ ପାର୍ଥିବ ଶରୀରକୁ ଗାଡ଼ି ପର୍ଯ୍ୟନ୍ତ ନେଇଥିଲେ। ଏହି ସମୟରେ ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ରବି ଶଙ୍କର ପ୍ରସାଦ ଓ ପୀୟୂଷ ଗୋଏଲ ମଧ୍ୟ ସୁଷମାଙ୍କ ପାର୍ଥିବ ଶରୀରକୁ କାନ୍ଧ ଦେଇଥିଲେ।
ଏହି ମିଷ୍ଟଭାଷୀ ଏବଂ କର୍ତ୍ତବ୍ୟପରାୟଣ ରାଜନେତା ମନ୍ତ୍ରୀ ଥିବା ସମୟରେ ମନ୍ତ୍ରଣାଳୟର ସଂଜ୍ଞା ବଦଳାଇ ଦେଇଥିଲେ। ହରିଆଣାର ଜଣେ ପ୍ରମୁଖ ଆରଏସ୍ଏସ୍ ଅନୁଗାମୀଙ୍କ ଝିଅ ସୁଷମା ଦୀର୍ଘ ଦିନ ଧରି ବିଜେପିର ଅନ୍ୟତମ ସଙ୍କଟମୋଚନକାରୀ ଭାବେ ଦାୟିତ୍ୱ ତୁଲାଇଆସୁଥିଲେ। ତାଙ୍କର ଶେଷ ନୀହ ନିଃଶ୍ୱାସ ଯାଏ ବିଜେପି-ଆରଏସ୍ଏସ୍ ବିଚାରଧାରା ପ୍ରତି ପ୍ରତିବଦ୍ଧତା ରହିଥିବା ତାଙ୍କ ଶେଷ ଟ୍ୱିଟ୍ରୁ ସ୍ପଷ୍ଟ। ଏଥିରେ ସେ ୩୭୦ ଉଚ୍ଛେଦ ପାଇଁ ସରକାରଙ୍କୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ କହିଥିଲେ, ଏହି ଦିନ ଦେଖିବା ପାଇଁ ମୁଁ ସାରା ଜୀବନ ଅପେକ୍ଷା କରି ରହିଥିଲି।
ବାହାରକୁ ସୁସ୍ଥ ଜଣାପଡ଼ୁଥିଲେ ହେଁ ୨୦୧୬ ମସିହାରେ କିଡ୍ନୀ ପ୍ରତିରୋପଣ ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଦୁର୍ବଳ ହୋଇଥିଲା। ସଂକ୍ରମଣ ଆଶଙ୍କା ରହିଥିବାରୁ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା କମାଇଦେଇ ଥିଲେ। ସେ ପ୍ରଥମେ ଲୋକସଭା ନିର୍ବାଚନରୁ ଏବଂ ପରେ ମନ୍ତ୍ରୀପଦରୁ ଓହରିଯାଇ ଥିଲେ।
ଅନେକ କ୍ଷେତ୍ରରେ ସୁଷମା ଥିଲେ ପ୍ରଥମ । ୧୯୭୭ ମସିହାରେ ମାତ୍ର ୨୫ ବର୍ଷ ବୟସରେ ସର୍ବକନିଷ୍ଠ କ୍ୟାବିନେଟ୍ ମନ୍ତ୍ରୀ ହୋଇଥିବା ସୁଷମା ୧୯୯୮ରେ ଦିଲ୍ଲୀର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହୋଇଥିଲେ। ଭାରତୀୟ ଜନତା ପାର୍ଟିର ପ୍ରଥମ ମହିଳା ମୁଖପାତ୍ର ମଧ୍ୟ ଥିଲେ ସୁଷମା। ୧୯୯୯ ମସିହାରେ କର୍ଣ୍ଣାଟକାର ବେଲାରୀରେ ବର୍ତ୍ତମାନର ୟୁପିଏ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ବିପକ୍ଷରେ ସେ ପ୍ରାର୍ଥୀ ହୋଇଥିଲେ। ମାତ୍ର ୧୨ଦିନର ପ୍ରଚାରରେ ସେ ସୋନିଆଙ୍କ ନିଦ ହଜାଇଦେଇଥିଲେ। ମଜା କଥା ହେଉଛି ସେ କନ୍ନଡ଼ ଶିଖିବାକୁ ପ୍ରତିଜ୍ଞା କରିଥିଲେ ଏବଂ ଶିଖିଥିଲେ ମଧ୍ୟ। ଯଦିଓ ସେଥର ସୁଷମା ହାରିଯାଇଥିଲେ, ଏହାର ପର ନିର୍ବାଚନରେ ବିଜେପିର ବିଜୟ ହୋଇଥିଲା ଏବଂ ପ୍ରଥମ ଥର ପାଇଁ କଂଗ୍ରେସ ଏଠାରୁ ହାରିଥିଲା।
ସେ ଅଟଳ ବିହାରୀ ବାଜପେୟୀଙ୍କ ୧୩ ଦିନର ସରକାରରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ଏହାପରେ ୧୯୯୮ ମସିହାରେ ବିଜେପି ପୁଣି ସରକାର କରିବା ପରେ ୨୦୦୪ ଯାଏ ସେ ବିଭିନ୍ନ ମନ୍ତ୍ରୀପଦ ତୁଲାଇଥିଲେ। ୨୦୦୯ ମସିହାରେ ମନମୋହନ ସିଂହଙ୍କ କଂଗ୍ରେସ ସରକାର ପୁଣି କ୍ଷମତାକୁ ଆସିବା ପରେ ଆଡଭାନୀଙ୍କ ସ୍ଥାନରେ ସେ ହୋଇଥିଲେ ଭାରତର ପ୍ରଥମ ମହିଳା ବିରୋଧୀ ଦଳ ନେତା। ଏହି ସମୟରେ ସେ ଦେଶର ବିଭିନ୍ନ ଅଞ୍ଚଳର ନେତାଙ୍କୁ ମଧ୍ୟାହ୍ଣ ଭୋଜନ ଏବଂ ରାତ୍ରଭୋଜନରେ ନିମନ୍ତ୍ରଣ କରିବାର ପରମ୍ପରା ଆପଣାଇଥିଲେ। ଏହା ହିଁ ବିଜେପିର ପୁନରୁତ୍ଥାନରେ ବଡ଼ ଭୂମିକା ନେଇଥିଲା। ଟ୍ୱିଟରକୁ ବ୍ୟବହାର କରି ଯେଉଁଭଳି ବିଦେଶରେ ଥିବା ଭାରତୀୟଙ୍କୁ ସେବା ଓ ସାହାଯ୍ୟ ପ୍ରଦାନ କରୁଥିଲେ, ତାହା ଭୁଲିବାର ନୁହେଁ । ତାଙ୍କ ପରଲୋକରେ ଭାରତମାତା ତା'ର ଅନ୍ୟତମ ଶ୍ରେଷ୍ଠ କନ୍ୟାକୁ ହରାଇ ବସିଛି ଓ ଆଜି ସାରା ଦେଶ ତାଙ୍କର ସ୍ମୃତିଚାରଣ କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।