ଅମ୍ବେଦକର: ପୁଣି ଲଜ୍ଜା। ଅପହରଣ କରି ଦୁଷ୍କର୍ମର କିଛି ଦିନ ପରେ ଜଣେ ପୀଡ଼ିତା ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଉତ୍ତରପ୍ରଦେଶର ଆମ୍ବେଦକର ଜିଲ୍ଲାରେ ଏହି ଅଭାବନୀୟ ଘଟଣା ଘଟିଛି। ଝିଅର ଆତ୍ମହତ୍ୟା ବିଷୟରେ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ ପୁଲିସର ନରମ ମନୋଭାବ ପାଇଁ ପୀଡ଼ିତା ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିବା ପରିବା ଲୋକେ କହିଛନ୍ତି । ଅନ୍ୟପଟେ ଡ୍ୟୁଟିରେ ଅବହେଳା କରିଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସବ୍-ଇନ୍ସପେକ୍ଟର ପ୍ରମୋଦ କୁମାରଙ୍କୁ ନିଲମ୍ବନ କରାଯାଇଛି। ଏଥିସହ ସଂପୃକ୍ତ ପୁଲିସ ଷ୍ଟେସନର ଷ୍ଟେସନ ହାଉସ ଅଫିସର (SHO)ଙ୍କୁ ଅନ୍ୟତ୍ର ହଟାଇ ଦିଆଯାଇଛି।
ଏହି ଘଟଣାର ତଦନ୍ତ ପାଇଁ ତିନି ଜଣିଆ କମିଟି ଗଠନ କରାଯାଇଛି । ଏଥିସହ ମୁଖ୍ୟ ଜିଲ୍ଲା ଅଧିକାରୀ, ସହକାରୀ ପୋଲିସ ଅଧୀକ୍ଷକ (ଏଏସପି) ଏବଂ ସବ୍ ଡିଭିଜନାଲ ମାଜିଷ୍ଟ୍ରେଟଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଏହି ଘଟଣାର ତଦନ୍ତ କରିବେ। ଏହି ଘଟଣା ମାଲିପୁର ପୋଲିସ ଷ୍ଟେସନ ଅଧୀନ କାଣ୍ଡିପୁର ଗ୍ରାମରେ ଘଟିଛି।
ଗତ ସେପ୍ଟେମ୍ବର ୧୬ରେ କିଛି ଦୁର୍ବୃତ୍ତ ଝିଅକୁ ଅପହରଣ କରିଥିବା ପୀଡ଼ିତାଙ୍କ ବାପା ଅଭିଯୋଗ କରିଛନ୍ତି। ପରେ ଝିଅକୁ ଲକ୍ଷ୍ନୌ ନିଆଯାଇଥିଲା। କିନ୍ତୁ କୌଶଳକ୍ରମେ ଝିଅ ନିଜ ଘରକୁ ଫେରିଆସିବାକୁ ସକ୍ଷମ ହୋଇଥିଲେ। ଘରେ ପହଞ୍ଚି ସବୁ ଘଟଣା କହିଥିଲେ। ସେଠାରେ ତାଙ୍କୁ ଦୁଷ୍କର୍ମ କରାଯାଇଥିବା ଝିଅ କହିଥିଲେ। ଏନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ। ହେଲେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରି ନଥିଲା। ଏହା ପରେ ଝିଅ ଆତ୍ମହତ୍ୟା କରିଥିବା ପରିବାର ଲୋକେ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।