୧୦ ମନ୍ତ୍ରୀ ଓ ୨୦ରୁ ଅଧିକ ବିଧାୟକ କରୋନାରେ ଆକ୍ରାନ୍ତ

ପୁଣେ: କରୋନାର ଓମିକ୍ରନ ଭାରିଏଣ୍ଟ ମହାରାଷ୍ଟ୍ରକୁ ସର୍ବାଧିକ ପ୍ରଭାବିତ କରିଛି। ପ୍ରତିଦିନ ଏଠାରେ ଦୈନିକ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। କେବଳ ସାଧାରଣ ଲୋକ ନୁହନ୍ତି, ମନ୍ତ୍ରୀ ଓ ବିଧାୟକମାନେ ମଧ୍ୟ କରୋନା ପଞ୍ଝାରୁ ବର୍ତ୍ତି ପାରିନାହାନ୍ତି। ବର୍ତ୍ତମାନ ସୁଦ୍ଧା ମହାରାଷ୍ଟ୍ରରେ ୧୦ ଜଣ ମନ୍ତ୍ରୀ ଓ ୨୦ରୁ ଅଧିକ ବିଧାୟକ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଥିବା ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାର ସୂଚନା ଦେଇଛନ୍ତି। ଏଥିସହ ଯଦି କରୋନା ସଂକ୍ରମଣ ଏଭଳି ବୃଦ୍ଧି ପାଇବ, ତା’ହେଲେ […]

corona1

Hemant Lenka
  • Published: Saturday, 01 January 2022
  • , Updated: 01 January 2022, 01:34 PM IST

ପୁଣେ: କରୋନାର ଓମିକ୍ରନ ଭାରିଏଣ୍ଟ ମହାରାଷ୍ଟ୍ରକୁ ସର୍ବାଧିକ ପ୍ରଭାବିତ କରିଛି। ପ୍ରତିଦିନ ଏଠାରେ ଦୈନିକ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। କେବଳ ସାଧାରଣ ଲୋକ ନୁହନ୍ତି, ମନ୍ତ୍ରୀ ଓ ବିଧାୟକମାନେ ମଧ୍ୟ କରୋନା ପଞ୍ଝାରୁ ବର୍ତ୍ତି ପାରିନାହାନ୍ତି। ବର୍ତ୍ତମାନ ସୁଦ୍ଧା ମହାରାଷ୍ଟ୍ରରେ ୧୦ ଜଣ ମନ୍ତ୍ରୀ ଓ ୨୦ରୁ ଅଧିକ ବିଧାୟକ ମହାମାରୀ କରୋନାରେ ଆକ୍ରାନ୍ତ ହୋଇଥିବା ଉପ ମୁଖ୍ୟମନ୍ତ୍ରୀ ଅଜିତ ପାୱାର ସୂଚନା ଦେଇଛନ୍ତି। ଏଥିସହ ଯଦି କରୋନା ସଂକ୍ରମଣ ଏଭଳି ବୃଦ୍ଧି ପାଇବ, ତା’ହେଲେ ପୁଣିଥରେ କଠୋର କଟକଣା ଲାଗୁ କରାଯିବ ବୋଲି ସେ କହିଛନ୍ତି।

ଗୁରୁବାର ମହାରାଷ୍ଟ୍ରର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଯଶମତୀ ଠାକୁର କରୋନା ପଜିଟିଭ ହୋଇଥିବା ଟ୍ୱିଟ ଯୋଗେ ସୂଚନା ଦେଇଥିଲେ। ଏହାପୂର୍ବରୁ ମଧ୍ୟ କିଛି ବିଧାୟକ ଓ ମନ୍ତ୍ରୀ କରୋନାରେ ଆକ୍ରାନ୍ତ ହୋଇଥିବା ଖବର ମିଳିଥିଲା। ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୮,୦୬୭ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ପୂର୍ବଦିନର ସଂକ୍ରମଣ ତୁଳନାରେ ୫୦% ଅଧିକ। ସଂକ୍ରମଣ ବଢ଼ୁଥିବାରୁ ଶ୍ରୀ ପାୱାର କଟକଣା ଲାଗିବା ସପକ୍ଷରେ ମତ ଦେଇଛନ୍ତି।

ସେ କହିଛନ୍ତି, “ଆମେ ସଂକ୍ରମଣ ପାଇଁ ବିଧାନସଭା ଅଧିବେଶକୁ କାଟଛାଣ୍ଟ କରିଛୁ। ବର୍ତ୍ତମାନ ସୁଦ୍ଧା ରାଜ୍ୟର ୧୦ ଜଣ ମନ୍ତ୍ରୀ ଓ ୨୦ରୁ ଅଧିକ ବିଧାୟକ କରୋନାରେ ଆକ୍ରାନ୍ତ ହୋଇ ସାରିଲେଣି। ସମସ୍ତେ ନୂଆବର୍ଷ, ଜନ୍ମଦିନ, ବାହାଘର ଓ ଅନ୍ୟ ଉତ୍ସବରେ ସାମିଲ ହେବାକୁ ଚାହୁଁଛନ୍ତି।

କିନ୍ତୁ ନୂଆ ଭାରିଏଣ୍ଟ ଓମିକ୍ରନ ବେଶ ଦ୍ରୁତଗତିରେ ବ୍ୟାପୁଛି। ଏଥିପ୍ରତି ଆମକୁ ସତର୍କ ରହିବାକୁ ପଡ଼ିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂକ୍ରମଣ ସ୍ଥିତିକୁ ଦେଖି ସମସ୍ତଙ୍କୁ ସତର୍କ କରାଇଛନ୍ତି। ଏହାପରେ କିଛି ରାଜ୍ୟରେ ନାଇଟ କର୍ଫ୍ୟୁ ଲାଗିଛି। ମହାରାଷ୍ଟ୍ରରେ ମଧ୍ୟ ସଂକ୍ରମଣ ବଢ଼ୁଛି।

ବିଶେଷ କରି ମୁମ୍ବାଇ ଓ ପୁଣେରେ ଅଧିକ ଆକ୍ରାନ୍ତ ସାମ୍ନାକୁ ଆସୁଛନ୍ତି। ଯଦି ଏପରି ଭାବେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବ, ତା’ହେଲେ ସରକାର ବାଧ୍ୟ ହୋଇ ଅଧିକ କଟକଣା ଲାଗୁ କରିବେ। ତେଣୁ କଠୋର କଟକଣାରୁ ବର୍ତ୍ତିବାକୁ ହେଲେ ସମସ୍ତଙ୍କୁ ବର୍ତ୍ତମାନ ଜାରି ଗାଇଡଲାଇନକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ପଡ଼ିବ।”


ସୂଚନାଯୋଗ୍ୟ, ମହାରାଷ୍ଟ୍ରରେ ଏବେ ୪ଶହରୁ ଅଧିକ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ସେହିପରି ଦୈନିକ ସଂକ୍ରମଣ ମଧ୍ୟ ଏଠାରେ ବୃଦ୍ଧି ପାଉଛି। ଏହାକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରରେ ନାଇଟ କର୍ଫ୍ୟୁ ସହ ଅନ୍ୟାନ୍ୟ କଟକଣା ଲାଗୁ କରାଯାଇଛି।

Related story