ଶିମଲା: ହିମାଚଳ ପ୍ରଦେଶରେ ପୁଣିଥରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସିରମୋର ଜିଲ୍ଲାରେ ସୋମବାର ଏକ ବୋଲେରୋ ଗାଡ଼ି ଗଭୀର ଘାଟିରେ ଖସିଯିବାରୁ ୧୦ ବରଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଗଣ ଗୁରୁତର ଆହତ ହୋଇଛନ୍ତି। ଶିଲାଇ ସବ-ଡିଭିଜନର ମାଜିଷ୍ଟ୍ରେଟ୍ ସୁରେଶ ସିଙ୍ଘା କହିଛନ୍ତି ଯେ ବରଯାତ୍ରୀଙ୍କୁ ନେଇ ଯାଉଥିବା ବୋଲେରୋ ଶିଲାଇ ସବ-ଡିଭିଜନରେ ପାଶୋଙ୍ଗ ପାଖରେ ଥିବା ଏକ ଗଭୀର ଘାଟିରେ ଖସି ପଡ଼ିଛି। ଏହି ସ୍ଥାନଟି ପାଓଣ୍ଟା ସାହିବ ଓ ଶିଲାଇ ସବଡିଭିଜନ୍ ସୀମାରେ ଅବସ୍ଥିତ ।
ଶିଲାଇର ଏସଡିଏମ୍ କହିଛନ୍ତି, ଘଟଣାସ୍ଥଳରେ ୯ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ହସ୍ପିଟାଲ ଯିବା ବାଟରେ ପ୍ରାଣ ହରାଇଛନ୍ତି। ବୋଲେରେ ମୋଟ ୧୨ଜଣ ଲୋକ ଥିଲେ ।
ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ମୃତକଙ୍କ ଆତ୍ମାଙ୍କୁ ଶାନ୍ତି ପ୍ରଦାନ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ବୋଲି ଜଣେ ସରକାରୀ ମୁଖପାତ୍ର କହିଛନ୍ତି। ଦୁର୍ଘଟଣାଗ୍ରସ୍ତ ପରିବାରକୁ ସମସ୍ତ ସମ୍ଭାବ୍ୟ ସହାୟତା ଏବଂ ଦୁର୍ଘଟଣାରେ ଆହତମାନଙ୍କୁ ଭଲ ଚିକିତ୍ସା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।