ଚାରିଆଡ଼େ ଖାଲି ପାଣି ହିଁ ପାଣି: ଗଲାଣି ୨୪ ଜୀବନ, ଏବେ ବି ଅନେକ ନିଖୋଜ

ହାଇଦ୍ରାବାଦ: ଲଗଣା ବର୍ଷା ଆନ୍ଧ୍ର ପ୍ରଦେଶର ବିଭିନ୍ନ ଜିଲ୍ଲାରେ ଜଳ ପ୍ରଳୟ ସୃଷ୍ଟି କରିଛି। ବନ୍ୟା ଓ ବର୍ଷା ଜନିତ ଅଘଟଣରେ ଏଯାଏ ୨୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୮ ଜଣ ନିଖୋଜ ହୋଇଯାଇଛନ୍ତି। କଡ଼ପା ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁ ସର୍ବାଧିକ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ଅନନ୍ତପୁରରେ ବର୍ଷା ଜନିତ ଅଘଟଣରେ ୭ ଜଣ ଓ ଚିତ୍ତୋର ଜିଲ୍ଲାରେ ୪ ଜଣ ପ୍ରାଣ ହରାଇଛନ୍ତି। ସ୍ଥିତି ଏପରି ହୋଇଛି ଯେ ଲକ୍ଷାଧିକ […]

Rain

Hemant Lenka
  • Published: Saturday, 20 November 2021
  • , Updated: 20 November 2021, 10:39 PM IST

ହାଇଦ୍ରାବାଦ: ଲଗଣା ବର୍ଷା ଆନ୍ଧ୍ର ପ୍ରଦେଶର ବିଭିନ୍ନ ଜିଲ୍ଲାରେ ଜଳ ପ୍ରଳୟ ସୃଷ୍ଟି କରିଛି। ବନ୍ୟା ଓ ବର୍ଷା ଜନିତ ଅଘଟଣରେ ଏଯାଏ ୨୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୮ ଜଣ ନିଖୋଜ ହୋଇଯାଇଛନ୍ତି। କଡ଼ପା ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁ ସର୍ବାଧିକ ୧୩ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ଅନନ୍ତପୁରରେ ବର୍ଷା ଜନିତ ଅଘଟଣରେ ୭ ଜଣ ଓ ଚିତ୍ତୋର ଜିଲ୍ଲାରେ ୪ ଜଣ ପ୍ରାଣ ହରାଇଛନ୍ତି। ସ୍ଥିତି ଏପରି ହୋଇଛି ଯେ ଲକ୍ଷାଧିକ ଲୋକ ଏବେ ଜଳବନ୍ଦୀ ହୋଇ ରହିଛନ୍ତି।

ରାସ୍ତା ଘାଟ ଠାରୁ ଆରମ୍ଭ କରି ଘର ଦ୍ୱାରା ପାଣିରେ ବୁଡ଼ି ରହିଛି। ଚାରିଆଡ଼େ କେବଳ ପାଣି ହିଁ ପାଣି ଜମି ରହିଛି। ଅନେକ ଲୋକ ନିଜ ପ୍ରିୟଜନ ଓ ପଶୁପକ୍ଷୀଙ୍କୁ ହରାଇ ଜୀବନ ସହ ସଂଘର୍ଷ କରୁଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଥିଲେ ମଧ୍ୟ ଏବି ବି ସ୍ଥିତି ଉଦବେଗଜନକ ରହିଛି।

ନଦୀ ଓ ନାଳଗୁଡ଼ିକରେ ସୃଷ୍ଟି ହୋଇଥିବା ବନ୍ୟା ରାୟାଲସୀମାର ୩ ଜିଲ୍ଲାକୁ ସର୍ବାଧିକ ପ୍ରଭାବିତ କରିଛି। କିଛି ସ୍ଥାନରେ ରାସ୍ତା ଭାସି ଯାଇଥିବା ବେଳେ ଅନେକ ଲୋକ ପାଣି ସୁଅରେ ନିଖୋଜ ହୋଇ ଯାଇଛନ୍ତି। ବିଭିନ୍ନ ସ୍ଥାନରେ ରାସ୍ତା ନଦୀରେ ପରିଣତ ହୋଇଛି। ଗାଡ଼ିମୋଟର ବନ୍ୟା ପାଣିରେ ଭାସିବା ଭଳି ବିଚଳିତ କରିବା ଭଳି ଭିଡିଓ ବି ସାମ୍ନାକୁ ଆସିଛି।

ମିଳିଥିବା ସୂଚନା ଅନୁଯାୟୀ, ଏଯାଏ ୧୫୪୪ଟି ଘର ନଷ୍ଟ ହୋଇଥିବା ବେଳେ ୩.୪ ହେକ୍ଟର ଚାଷ ଜମିରେ ପାଣି ମାଡ଼ି ଯାଇଛି। ବନ୍ୟା ପାଣିରେ ଶହ ଶହ ଗୋରୁ ଭାସି ଯାଇଛନ୍ତି। ଏହି ଜିଲ୍ଲାଗୁଡିକରେ ପ୍ରାୟ ୮,୨୦୬.୫୭ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଗଲାଣି।

କଡ଼ପା ଜିଲ୍ଲାର ରାଜମପେଟା ନିର୍ବାଚନମଣ୍ଡଳୀରେ ଅଚାନକ ବନ୍ୟା ଆସି ଯିବାରୁ ୫ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ଆଉ ୧୨ ଜଣ ନିଖୋଜ ହୋଇଯାଇଛନ୍ତି।

ଏସ୍‌ଡିଆରଏଫ, ପୁଲିସ୍‌, ଅଗ୍ନିଶମ କର୍ମଚାରୀ କଡ଼ପା ଓ ଚିତ୍ତୋର ଜିଲ୍ଲାରେ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରି ହାଜାର ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଆଣିଛନ୍ତି। ବନ୍ୟା ଯୋଗୁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ଯାଇଥିବା କଡ଼ପାର ୬ଟି ଗାଁରେ ଏନଡିଆରଏଫ ଟିମ ପହଞ୍ଚି ଯାତାୟାତକୁ ସ୍ୱାଭାବିକ କରିଛନ୍ତି। ଏବେ ଜିଲ୍ଲାରେ ଥିବା ଶେଷ ଗାଁକୁ ରାସ୍ତା ପ୍ରସ୍ତୁତ କରାଯାଉଛି।

ପଡ଼ୋଶୀ ଅନନ୍ତପୁର ଜିଲ୍ଲାର ଭେଲଦୁରୀ ଗାଁ ଦେଇ ଯାଇଥିବା ଚିତ୍ରଭତୀ ନଦୀରେ ବନ୍ୟା ଯୋଗୁ ୧୦ ଜଣ ଫସି ଯାଇଥିଲେ। ସେମାନଙ୍କୁ ବାୟୁସେନା ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଉଦ୍ଧାର କରାଯାଇଛି।

ଏହି ୧୦ ଜଣ ଲୋକ ଗୋଟିଏ ଜେସିବି ମଧ୍ୟରେ ଫସି ରହିଥିଲେ। ସେମାନଙ୍କୁ ଏମ-୧୭ ହେଲିକପ୍ଟର ଦ୍ୱାରା ସୁରକ୍ଷିତ ସ୍ଥାନକୁ ଅଣାଯାଇଛି। ଜେସିବିଟି ଅପରାହ୍ନରେ ଚିତ୍ରଭତୀ ବନ୍ୟାରେ ଫସି ରହିଥିବା ଗୋଟିଏ କାରକୁ ଉଦ୍ଧାର କରିବାକୁ ଯାଇଥିଲା। କିନ୍ତୁ ବନ୍ୟା ପାଣି ମାଡ଼ି ଯିବାରୁ ଜେସିବିରେ ଥିବା ୬ ଜଣ ଓ କାର୍‌ରେ ଥିବା ୪ ଜଣ ଲୋକ ସେଠାରେ ରହିଯାଇଥିଲେ। ବର୍ତ୍ତମାନ ସରକାର ୨୧୩ଟି ରିଲିଫ୍ କ୍ୟାମ୍ପ ଖୋଲିଛନ୍ତି। ସେଠାରେ ୧୯, ୮୫୯ ଜଣ ଲୋକଙ୍କୁ ରଖାଯାଇଛି।

ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଆଜି ଏରିୟାଲ ସର୍ଭେ କରି ବନ୍ୟା ସ୍ଥିତିର ଅନୁଧ୍ୟାନ କରିଛନ୍ତି। ସେ ବନ୍ୟା ପ୍ରଭାବିତ ଜିଲ୍ଲା ଅଧିକାରୀମାନଙ୍କ ସହ କଥା ହୋଇ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ କହିଛନ୍ତି।

Related story