ଫାର୍ମା ୟୁନିଟରେ ଭୟଙ୍କର ଅଗ୍ନିକାଣ୍ଡ: ଗଲା ୬ ଜଣଙ୍କ ଜୀବନ, ୧୨ ଆହତ

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ଇଲୁରୁ ଜିଲ୍ଲାରେ ଥିବା ଗୋଟିଏ ଫାର୍ମା ୟୁନିଟରେ ବଡ଼ଧରଣର ଅଘଟଣ ଘଟିଛି। ବୁଧବାର ବିଳମ୍ବିତ ରାତିରେ ୟୁନିଟରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ଘଟିଛି। ଏହି ଘଟଣାରେ ୬ ଜଣଙ୍କ ଜୀବନ ଯାଇଥିବା ବେଳେ ୧୨ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତେଣୁ ଆଗକୁ ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା ପ୍ରକାଶ ପାଇଛି। ବର୍ତ୍ତମାନ ସୁଦ୍ଧା ସାମ୍ନାକୁ ଆସିଥିବା ତଥ୍ୟ ଅନୁଯାୟୀ, ରାତି […]

fire

Hemant Lenka
  • Published: Thursday, 14 April 2022
  • , Updated: 14 April 2022, 08:42 AM IST

ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶର ଇଲୁରୁ ଜିଲ୍ଲାରେ ଥିବା ଗୋଟିଏ ଫାର୍ମା ୟୁନିଟରେ ବଡ଼ଧରଣର ଅଘଟଣ ଘଟିଛି। ବୁଧବାର ବିଳମ୍ବିତ ରାତିରେ ୟୁନିଟରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ଘଟିଛି। ଏହି ଘଟଣାରେ ୬ ଜଣଙ୍କ ଜୀବନ ଯାଇଥିବା ବେଳେ ୧୨ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତେଣୁ ଆଗକୁ ମୃତ୍ୟୁ ସଂଖ୍ୟା ବଢ଼ିବାର ଆଶଙ୍କା ପ୍ରକାଶ ପାଇଛି।

ବର୍ତ୍ତମାନ ସୁଦ୍ଧା ସାମ୍ନାକୁ ଆସିଥିବା ତଥ୍ୟ ଅନୁଯାୟୀ, ରାତି ପ୍ରାୟ ୧୨ଟା ପରେ ଫାର୍ମାସିଟ୍ୟୁକାଲ ପ୍ଲାଣ୍ଟର ୟୁନିଟ ୪ରେ କାମ ଚାଲିଥିବା ବେଳେ ହଠାତ୍‌ ନିଆଁ ଲାଗି ଯାଇଥିଲା। ଏହି ସମୟରେ ୟୁନିଟରେ ମୋଟ ୧୮ ଜଣ ଲୋକ କାମ କରୁଥିଲେ। ନିଆଁ ଏତେ ଜୋର୍‌ରେ ବ୍ୟାପିଥିଲା ଯେ କେହି ବି ବାହାରକୁ ଆସିବାକୁ ସକ୍ଷମ ହୋଇ ପାରି ନଥିଲେ।

ଖବର ପାଇ ଅଗ୍ନିଶମ ‍ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା। କର୍ମଚାରୀମାନେ ନିଆଁକୁ ଆୟତ୍ତ କରିବା ସହ ଏହା ମଧ୍ୟରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିଥିଲେ। ହେଲେ ସେତେବେଳେକୁ ୬ ଜଣଙ୍କ ମୃତ୍ୟୁ ଘଟି ସାରିଥିଲା। ମୃତ ୬ ଜଣଙ୍କ ମଧ୍ୟରୁ ୪ ଜଣ ବିହାରରୁ ଆସି ଏଠାରେ କାମ କରିଥିଲେ।

ଦୀର୍ଘ ୨ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାକୁ ସକ୍ଷମ ହୋଇଥିଲା। କିନ୍ତୁ ଏଯାଏ କ୍ଷୟକ୍ଷତିର ଆକଳନ କରାଯାଇନି। ସେହିପରି ଅଗ୍ନିକାଣ୍ଡର ପ୍ରକୃତ କାରଣ ମଧ୍ୟ ଜଣାପଡ଼ିନି। ତଥାପି ଗ୍ୟାସ ଲିକ୍‌ରୁ ପ୍ଲାଣ୍ଟରେ ନିଆଁ ଲାଗିଥିବା କୁହାଯାଉଛି। ଗ୍ୟାସ୍‌ ଲିକ ପରେ ଗୋଟିଏ ରିୟାକ୍ଟରରେ ବିସ୍ଫୋରଣ ହୋଇଥିଲା। ଏହାପରେ ୟୁନିଟ୍‌ରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।


ଅନ୍ୟପକ୍ଷରେ ଘଟଣାରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେହିପରି ସେ ମୃତକଙ୍କ ପରିବାର ଲୋକଙ୍କ ପାଇଁ ୨୫ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି। ଏଥିସହ ଗୁରୁତର ଆହତଙ୍କୁ ୫ ଲକ୍ଷ ଓ ସାମାନ୍ୟ ଆହତ ହୋଇଥିବା ଲୋକଙ୍କୁ ୨ ଲକ୍ଷ ଟଙ୍କା ଲେଖାଏ ମିଳିବ ବୋଲି କହିଛନ୍ତି। ବରିଷ୍ଠ ଅଧିକାରୀମାନଙ୍କୁ ସେ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଏସ୍‌ପି ଓ ଜିଲ୍ଲାପାଳଙ୍କୁ ଘଟଣାର ବିସ୍ତୃତ ତଦନ୍ତ କରିବାକୁ କୁହାଯାଇଛି।

Related story