ଭୁଶୁଡ଼ି ଗଲା ତିନି ମହଲା କୋଠା; ୧୦ ମୃତ

ମୁମ୍ବାଇ: ମୁମ୍ବାଇ ନିକଟସ୍ଥ ଭିୱାଣ୍ଡିରେ ଆଜି ଭୋରରେ ଏକ ତିନି ମହଲା କୋଠା ଭୁଶୁଡ଼ି ପଡ଼ିବାରୁ ୧୦ ଜଣ ଲୋକଙ୍କର ମୃତ୍ୟୁ ଘଟିଛି।

ପ୍ରାଥମିକ ସୂଚନା ଅନୁଯାୟୀ, ପଟେଲ୍ କମ୍ପାଉଣ୍ଡ ଅଞ୍ଚଳରେ ଭୁଶୁଡ଼ି ପଡ଼ିଥିବା କୋଠା ମଧ୍ୟରୁ ୧୧ ଜଣ ଲୋକଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରେ ଏକ ଶିଶୁ ରହିଛି। ଥାଣେ ମହାନଗର ନିଗମ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଭୋର ପ୍ରାୟ ୪ଟା ବେଳେ ଏହି ଘଟଣା ଘଟିଥିଲା। ଖବର ପାଇବା ମାତ୍ରେ ଏନ୍‌ଡିଆର୍‌ଏଫ୍‌, ଦମକଳ ବାହିନୀ ଓ ପୁଲିସ୍‌ ଟିମ୍ ଆସି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଖବର ଲେଖାଯିବା ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

ନ୍ୟୁଜ୍ ଏଜେନ୍ସୀ ଏଏନ୍‌ଆଇର ସୂଚନା ମୁତାବକ ଭୁଶୁଡ଼ି ପଡ଼ିଥିବା କୋଠା ମଧ୍ୟରେ ଆହୁରି ୨୦ରୁ ଅଧିକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।