ଗୁଲାମଙ୍କ ମୃଦୁ ଝଟକା, କଂଗ୍ରେସରେ କମ୍ପନ !

ନୂଆଦିଲ୍ଲୀ: ରାଜ୍ୟସଭାରେ କାର୍ଯ୍ୟକାଳ ଶେଷ ହେବା ପରେ କଂଗ୍ରେସର ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ଦଳର ୨୨ ବରିଷ୍ଠ ନେତାଙ୍କୁ ନେଇ ଜମ୍ମୁ କଶ୍ନୀରରେ ‘ଶାନ୍ତି ସମ୍ମିଳନୀ’ କରିଥିଲେ। ଆଉ ବୈଠକରେ ଗୁଲାମ, କପିଲ ସିବଲଙ୍କ ବାଣ ଏବେ ଦିଲ୍ଲୀ ହାଇକମାଣ୍ଡକୁ ଝଟକା ଦେଇଛି। ଯାହାର ପାଲଟା ଜବାବ ମଧ୍ୟ ଦେଇଛନ୍ତି କଂଗ୍ରେସ ନେତା ତଥା ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂହ ଭି। ଗୁଲାମଙ୍କ ନାଁ ନନେଇ ପରୋକ୍ଷରେ ତାଙ୍କୁ ଦଳ କ’ଣ […]

abhisekh-manu-singhvi

Subhransu Sekhar
  • Published: Saturday, 27 February 2021
  • , Updated: 27 February 2021, 09:46 PM IST

ନୂଆଦିଲ୍ଲୀ: ରାଜ୍ୟସଭାରେ କାର୍ଯ୍ୟକାଳ ଶେଷ ହେବା ପରେ କଂଗ୍ରେସର ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ ଦଳର ୨୨ ବରିଷ୍ଠ ନେତାଙ୍କୁ ନେଇ ଜମ୍ମୁ କଶ୍ନୀରରେ ‘ଶାନ୍ତି ସମ୍ମିଳନୀ’ କରିଥିଲେ। ଆଉ ବୈଠକରେ ଗୁଲାମ, କପିଲ ସିବଲଙ୍କ ବାଣ ଏବେ ଦିଲ୍ଲୀ ହାଇକମାଣ୍ଡକୁ ଝଟକା ଦେଇଛି। ଯାହାର ପାଲଟା ଜବାବ ମଧ୍ୟ ଦେଇଛନ୍ତି କଂଗ୍ରେସ ନେତା ତଥା ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂହ ଭି। ଗୁଲାମଙ୍କ ନାଁ ନନେଇ ପରୋକ୍ଷରେ ତାଙ୍କୁ ଦଳ କ'ଣ ଦେଇଛି ବୋଲି ସିଂହ ଭି ହିସାବ ଦେଇଛନ୍ତି। ହେଲେ ଦଳର ସ୍ଥିତି ବାବଦରେ କପିଲ ସିବଲ ଯାହା କହିଥିଲେ ସେ ବାବଦରେ ବିନ୍ଦୁ ବିସର୍ଗ ମଧ୍ୟ କହି ନାହାନ୍ତି ଅଭିଷେକ। ସବୁଠୁ ବଡ଼ କଥା ହେଲା ଦିଲ୍ଲୀରେ ଚାରି ରାଜ୍ୟ ଏବଂ ପୁଡୁଚେରୀରେ ବିଧାନସଭା ନିର୍ବାଚନ ପାଇଁ ଦଳ ରଣନୀତି ପ୍ରସ୍ତୁତ କରୁଥିବା ବେଳେ ଗୁଲାମଙ୍କ ଅଧ୍ୟକ୍ଷତାରେ ଜମ୍ମୁରେ ୨୩ ନେତା ବୈଠକ କରିଥିଲେ। ଯାହାକି ଦିଲ୍ଲୀରେ ହାଇକମାଣ୍ଡଙ୍କ ପରୋକ୍ଷରେ ଚ୍ୟାଲେଞ୍ଜ କରିବା ଭଳି ପରିସ୍ଥିତି ଉପୁଜିଛି।

କଂଗ୍ରେସ ସାଂସଦ ଅଭିଷେକ ମନୁ ସିଂହ ଭି ଅସନ୍ତୋଷ ବ୍ୟକ୍ତ କରି କହିଥିଲେ ଯେ ଏହି ନେତାମାନେ ଚାରୋଟି ରାଜ୍ୟ ଏବଂ ପୁଡୁଚେରୀରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ​​ଦଳକୁ ସାହାଯ୍ୟ କରିବାର ଆବଶ୍ୟକତା ରହିଛି। ଏହି ସମସ୍ତ ନେତା ସମ୍ମାନିତ ନେତା। ଆମେ ତାଙ୍କୁ ସମ୍ମାନ କରୁଛୁ। ସିଂହ ଭି କହିଛନ୍ତି ଯେ ସେହି ନେତାମାନଙ୍କ ମଧ୍ୟରୁ ଜଣେ (ଗୁଲାମ ନବୀ ଆଜାଦ) 'ଇସତେମାଲ' ଶବ୍ଦ ବ୍ୟବହାର କରିଛନ୍ତି। ହେଲେ ସେ କଂଗ୍ରେସର ଇତିହାସ ଜାଣି ନାହାନ୍ତି।

ସେ କହିଛନ୍ତି, ଯେଉଁ ବ୍ୟକ୍ତି 'ଇସତେମାଲ' ଶବ୍ଦ ବ୍ୟବହାର କରିଛନ୍ତି, ସେ ସାତଥର କଂଗ୍ରେସ ସାଂସଦ ହୋଇଛନ୍ତି। ସୋନିଆ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଇଥିଲେ। ଇନ୍ଦିରା ତାଙ୍କୁ କେନ୍ଦ୍ର ସରକାରରେ କ୍ୟାବିନେଟ ଆସନ ଦେଇଥିଲେ। ସେ ଦଳର ସାଧାରଣ ସମ୍ପାଦକ ରହିଛନ୍ତି ଏବଂ ଦେଶର ୨୦ରୁ ଅଧିକ ରାଜ୍ୟର ପର୍ଯ୍ୟବେକ୍ଷକ ରହିଛନ୍ତି।

ସୂଚନାଯୋଗ୍ୟ, ଜମ୍ମୁରେ ଆୟୋଜିତ ‘ଶାନ୍ତି ସମ୍ମିଳନୀ’ରେ କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ, ଆନନ୍ଦ ଶର୍ମା, ମନୀଷ ତିୱାରୀ, ଭୁପିନ୍ଦର ହୁଡା, ବିବେକ ତଙ୍କା, କପିଲ ସିବଲ, ରାଜ ବାବର ଏବଂ ଅନ୍ୟ ନେତାମାନେ ସାମିଲ୍ ହୋଇଥିଲେ। ଗୁଲାମଙ୍କ ନେତୃତ୍ୱରେ ଏହି ବୈଠକ ହୋଇଥିଲା। ଗୁଲାମ କହିଥିଲେ ଜମ୍ମୁ କଶ୍ମୀର ହେଉ କିମ୍ବା ଲଦାଖ, ଆମେ ସମସ୍ତ ଧର୍ମ, ଲୋକ ଏବଂ ଜାତିଙ୍କୁ ସମ୍ମାନ କରୁଛୁ। ସମସ୍ତଙ୍କୁ ପ୍ରତି ସମ୍ମାନ ରହିଛି। ଏହା ଆମର ଶକ୍ତି ଏବଂ ଆମେ ଏହାକୁ ଅସ୍ତ୍ର କରି ଆଗକୁ ବଢ଼ିବୁ।

କପିଲ ସିବଲ ଏହି ବୈଠକରେ କହିଥିଲେ ଯେ କଂଗ୍ରେସ ଦଳ ଦୁର୍ବଳ ହେଉଥିବା ଦେଖାଯାଉଛି ଏବଂ ସେଥିପାଇଁ ଆମେ ଏଠାରେ ଏକାଠି ହୋଇଛୁ। ଆମକୁ ଦଳକୁ ଏକାଠି କରି ମଜବୁତ କରିବାକୁ ପଡିବ। ଗୁଲାମ ନବୀ ଜଣେ ଏପରି ନେତା ଯିଏକି ପ୍ରତ୍ୟେକ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ କଂଗ୍ରେସର ମୂଳ ସ୍ଥିତି ଜାଣିଛନ୍ତି। ସଂସଦରୁ ତାଙ୍କୁ ମୁକ୍ତ କରାଯାଉଥିବା ଜାଣିବା ପରେ ଆମେ ଦୁଃଖିତ। କଂଗ୍ରେସ ଗୁଲାମନବୀଙ୍କ ଅଭିଜ୍ଞତାକୁ କାହିଁକି ବ୍ୟବହାର କରୁନାହିଁ ବୋଲି ସେ ବୁଝିପାରୁନଥିବା କହିଥିଲେ।

ଗୁଲାମ ନବୀ ଆହୁରି କହିଥିଲେ ଯେ ଗତ ୬ ବର୍ଷରେ ଜମ୍ମୁ କଶ୍ମୀର ସମ୍ପର୍କରେ ସଂସଦରେ ସେ ଏବଂ ତାଙ୍କର ସମସ୍ତ ବନ୍ଧୁ ଅନେକ ପ୍ରସଙ୍ଗ ଉଠାଇଛନ୍ତି। ରାଜ୍ୟସଭାର ଏହି ପୂର୍ବତନ ସାଂସଦ କହିଛନ୍ତି ଯେ ଜମ୍ମୁ କଶ୍ମୀରର ବେକାରୀ ସମସ୍ୟା, ରାଜ୍ୟ ମାନ୍ୟତା ଦାବି, ଶିଳ୍ପ ଏବଂ ଶିକ୍ଷା ଆଦି ଭୁଶୁଡ଼ି ପଡ଼ିଛି। ସେହିପରି ଜିଏସଟି ଲାଗୁ ହେବା ନେଇ ସଂସଦରେ ସ୍ୱର ଉଠାଇଛନ୍ତି।

ସେ କହିଛନ୍ତି, ଅନେକ ବର୍ଷ ପରେ କିନ୍ତୁ ଆମେ ଏବେ ରାଜ୍ୟର ଅଂଶ ନୁହଁ। ଆମର ପରିଚୟ ହଜିଯାଇଛି। ରାଜ୍ୟର ମାନ୍ୟତା ପାଇବା ପାଇଁ ଆମ ସଂସଦ ଭିତରେ ଓ ବାହାରେ ସଂଗ୍ରାମ ଜାରି ରହିବ।

Related story