ପ୍ରଥମଥର ବିଧାନସଭା ନିର୍ବାଚନ ଲଢ଼ିବେ କି ଅଖିଲେଶ ଯାଦବ?

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ସବୁ ରାଜନୀତିକ ଦଳ ନିଜ ନିଜର ରଣନୀତିକୁ ପ୍ରସ୍ତୁତ କରୁଛନ୍ତି। ଏହିକ୍ରମରେ କ୍ଷମତାସୀନ ବିଜେପିକୁ ଗାଦିଚ୍ୟୁତ କରିବା ପାଇଁ ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି ଜୋରଦାର ଉଦ୍ୟମ କରୁଛି। ହେଲେ ନିଜେ ଅଖିଲେଶ ଯାଦବ ବିଧାନସଭା ନିର୍ବାଚନ ଲଢ଼ିବେ କି ନାହିଁ, ତା’କୁ ନେଇ ସସପେନ୍ସ ଜାରି ରହିଛି। ୨୦୧୯ ଲୋକସଭା ନିର୍ବାଚନରେ ଅଖିଲେଶ ଆଜମଗଡ଼ରୁ ପ୍ରାର୍ଥୀ ହୋଇଥିଲେ। ଏଠାରୁ ଜିତି ସେ ଲୋକସଭା ଯାଇଛନ୍ତି। ଏବେ ସେ […]

akhilesh

Hemant Lenka
  • Published: Wednesday, 19 January 2022
  • , Updated: 19 January 2022, 03:58 PM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ସବୁ ରାଜନୀତିକ ଦଳ ନିଜ ନିଜର ରଣନୀତିକୁ ପ୍ରସ୍ତୁତ କରୁଛନ୍ତି। ଏହିକ୍ରମରେ କ୍ଷମତାସୀନ ବିଜେପିକୁ ଗାଦିଚ୍ୟୁତ କରିବା ପାଇଁ ଅଖିଲେଶ ଯାଦବଙ୍କ ସମାଜବାଦୀ ପାର୍ଟି ଜୋରଦାର ଉଦ୍ୟମ କରୁଛି। ହେଲେ ନିଜେ ଅଖିଲେଶ ଯାଦବ ବିଧାନସଭା ନିର୍ବାଚନ ଲଢ଼ିବେ କି ନାହିଁ, ତା’କୁ ନେଇ ସସପେନ୍ସ ଜାରି ରହିଛି।

୨୦୧୯ ଲୋକସଭା ନିର୍ବାଚନରେ ଅଖିଲେଶ ଆଜମଗଡ଼ରୁ ପ୍ରାର୍ଥୀ ହୋଇଥିଲେ। ଏଠାରୁ ଜିତି ସେ ଲୋକସଭା ଯାଇଛନ୍ତି। ଏବେ ସେ କ’ଣ ଲୋକସଭା ଆସନ ଛାଡ଼ି ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହେବେ କି? ଏହାର ଉତ୍ତର ଆଜି ନିଜେ ଅଖିଲେଶ ଦେଇଛନ୍ତି।

ସେ କହିଛନ୍ତି, “ମୁଁ ବିଧାନସଭା ନିର୍ବାଚନ ଲଢ଼ିବି କି ନାହିଁ, ତା’ ନିଷ୍ପତ୍ତି ଆଜମଗଡ଼ବାସୀ ନେବେ। ଆଜାମଗଡ଼ର ଲୋକଙ୍କ ଅନୁମତି ଆଣିବା ପରେ ମୁଁ ନିର୍ବାଚନ ଲଢ଼ିବି କି ନାହିଁ, ତା’ ଉପରେ ନିଷ୍ପତ୍ତି ନେବି। କାରଣ ସେଠାକାର ଲୋକମାନେ ଲୋକସଭାକୁ ନିର୍ବାଚିତ କରିଛନ୍ତି। ସେମାନଙ୍କ ବିନା ଅନୁମତିରେ ମୁଁ ବିଧାନସଭା ନିର୍ବାଚନ ଲଢ଼ିପାରିବି ନାହିଁ।”

ଅନ୍ୟପକ୍ଷରେ ସପା ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅଖିଲେଶ ନିର୍ବାଚନ ଲଢ଼ନ୍ତୁ ବୋଲି ଦଳର ବରିଷ୍ଠ ନେତାମାନେ ଚାହୁଁଛନ୍ତି। ଅଖିଲେଶ ମଧ୍ୟ ଏଥିରେ ରାଜି ହୋଇଛନ୍ତି। ହେଲେ ସେ କେଉଁ ଆସନରୁ ନିର୍ବାଚନ ଲଢ଼ିବେ, ସେକଥା ଏଯାଏ ସ୍ଥିର ହୋଇନି। ଆଜି ଯାଏ ଅଖିଲେଶ କେବେ ହେଲେ ବିଧାନସଭା ନିର୍ବାଚନ ଲଢ଼ି ନାହାନ୍ତି। ସେ ବିଧାନ ପରିଷଦକୁ ନିର୍ବାଚିତ ହୋଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ତେଣୁ ସେ ସେ ଯଦି ପ୍ରାର୍ଥୀ ହୁଅନ୍ତି, ତା’ହେଲେ ପ୍ରଥମଥର ପାଇଁ ବିଧାନସଭା ନିର୍ବାଚନରେ ନିଜ ଭାଗ୍ୟ ପରୀକ୍ଷା କରିବେ।

ନିକଟରେ ସେ କହିଥିଲେ ଯେ “ଦଳ ଚାହିଁଲେ ମୁଁ ବିଧାନସଭା ନିର୍ବାଚନ ଲଢ଼ିବି।” ଏବେ ଦଳର ବରିଷ୍ଠ ନେତାମାନେ ଅଖିଲେଶଙ୍କୁ ନିର୍ବାଚନ ଲଢ଼ିବାକୁ କହୁଛନ୍ତି। ତେଣୁ ସେ ନିର୍ବାଚନ ଲଢ଼ିବାର ଯଥେଷ୍ଟ ସମ୍ଭାବନା ରହିଛି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଏଥର ପ୍ରଥମଥର ପାଇଁ ବିଧାନସଭା ନିର୍ବାଚନ ଲଢ଼ିବେ।

ବିଜେପି ତାଙ୍କୁ ଗୋରଖପୁର ଆସନରୁ ପ୍ରାର୍ଥୀ କରିଛି। ଯୋଗୀ ପ୍ରାର୍ଥୀ ହେଇଥିବାରୁ ସମାଜବାଦୀ ପାର୍ଟି ମଧ୍ୟ ଅଖିଲେଶଙ୍କୁ ନିର୍ବାଚନ ଲଢ଼ନ୍ତୁ ବୋଲି ଚାହୁଁଛି। ଏବେ ଅଖିଲେଶଙ୍କ ନିଷ୍ପତ୍ତି ଉପରେ ସମସ୍ତ ନଜର ରହିଛି।

ସୂଚନାଯୋଗ୍ୟ, ୨୦୧୨ରେ ସମାଜବାଦୀ ପାର୍ଟି ଉତ୍ତର ପ୍ରଦେଶରେ ସରକାର ଗଠନ କରିଥିଲା। ଏହି ସମୟରେ ଅଖିଲେଶ କନ୍ନୌଜରୁ ଲୋକସଭା ସାଂସଦ ଥିଲେ। ହେଲେ ସେ ସାଂସଦ ପଦ ଛାଡ଼ି ଉତ୍ତର ପ୍ରଦେଶ ବିଧାନ ପରିଷଦକୁ ନିର୍ବାଚିତ ହୋଇଥିଲେ। ଏଥିସହ ମାତ୍ର ୩୮ ବର୍ଷ ବୟସରେ ଦେଶର ସବୁଠାରୁ କନିଷ୍ଠ ରାଜନେତା ଭାବେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହାପରେ ତାଙ୍କ ପତ୍ନୀ ଡିମ୍ପଲ ଯାଦବ କନ୍ନୌଜରୁ ଲୋକସଭାକୁ ନିର୍ବାଚିତ ହୋଇଥିଲେ।

Related story