ଜାଲିଆନାୱାଲା ବାଗ ନବୀକରଣକୁ ନେଇ କଂଗ୍ରେସରେ ଭିନ୍ନମତ

ନୂଆଦିଲ୍ଲୀ: ଜାଲିଆନାୱାଲା ବାଗର ନବୀକରଣକୁ କଂଗ୍ରେସ ବିରୋଧ କରୁଥିବା ବେଳେ ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ଏହାକୁ ସମର୍ଥନ କରିଛନ୍ତି। କେବଳ କଂଗ୍ରେସ ନୁହେଁ କେନ୍ଦ୍ର ସରକାର ଜାଲିଆନାୱାଲା ବାଗର ନବୀକରଣ କରିଥିବାରୁ ଏହାକୁ ଅନେକ ଐତିହାସିକ ଓ ସାମାଜିକ ସଂଗଠନ ମଧ୍ୟ ବିରୋଧ କରୁଛନ୍ତି। ଆଜି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ନବୀକରଣକୁ ବିରୋଧ କରି ସେ ଜଣେ ସହିଦଙ୍କ ପୁଅ ବୋଲି କହିଥିଲେ। ହେଲେ ଏହାର କିଛି ଘଣ୍ଟା ପରେ ଅମରିନ୍ଦର ସିଂହ […]

Congress

Hemant Lenka
  • Published: Tuesday, 31 August 2021
  • , Updated: 31 August 2021, 06:28 PM IST

ନୂଆଦିଲ୍ଲୀ: ଜାଲିଆନାୱାଲା ବାଗର ନବୀକରଣକୁ କଂଗ୍ରେସ ବିରୋଧ କରୁଥିବା ବେଳେ ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ଏହାକୁ ସମର୍ଥନ କରିଛନ୍ତି। କେବଳ କଂଗ୍ରେସ ନୁହେଁ କେନ୍ଦ୍ର ସରକାର ଜାଲିଆନାୱାଲା ବାଗର ନବୀକରଣ କରିଥିବାରୁ ଏହାକୁ ଅନେକ ଐତିହାସିକ ଓ ସାମାଜିକ ସଂଗଠନ ମଧ୍ୟ ବିରୋଧ କରୁଛନ୍ତି।

ଆଜି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ନବୀକରଣକୁ ବିରୋଧ କରି ସେ ଜଣେ ସହିଦଙ୍କ ପୁଅ ବୋଲି କହିଥିଲେ। ହେଲେ ଏହାର କିଛି ଘଣ୍ଟା ପରେ ଅମରିନ୍ଦର ସିଂହ କହିଛନ୍ତି, “ମୁଁ ଜାଣିନି ଜାଲିଆନାୱାଲା ବାଗରୁ କ’ଣ ହଟାଯାଇଛି। ହେଲେ ମୋ ମତରେ ଏହା ବହୁତ ସୁନ୍ଦର ଦେଖାଯାଉଛି।”

ଜାଲିଆନାୱାଲା ବାଗ ସ୍ମାରକୀରେ ଲେଜର ଲାଇଟର ବ୍ୟବସ୍ଥା କରାଯାଇଥିବା ବେଳେ ପ୍ରବେଶ ପଥରେ ମଧ୍ୟ ଅନେକ ପ୍ରକାରର ଡିଜାଇନ କରାଯାଇଛି। ଏଠାରେ ଥିବା ପ୍ରକୃତ ସହିଦଙ୍କ ସ୍ମୃତିକୁ ହଟାଇ ଦିଆଯାଇଥିବା ଅଭିଯୋଗ ହୋଇଛି। ଏପରି କରି କେନ୍ଦ୍ର ସରକାର ଜାଲିଆନାୱାଲାବାଗରେ ଦେଶ ପାଇଁ ବଳିଦାନ ଦେଇଥିବା ହଜାର ହଜାର ପୁରୁଷ ଓ ମହିଳାଙ୍କୁ ଅପମାନିତ କରିଛନ୍ତି ଅନେକ ଲୋକ କହୁଛନ୍ତି।

ରାହୁଲ ଗାନ୍ଧି ଆଜି କହିଥିଲେ ଯେ “ଜାଲିଆନାୱାଲା ବାଗର ସହିଦଙ୍କୁ ଏପରି ଅପମାନ ସେହିମାନେ ଦେଇପାରିବେ, ଯେଉଁମାନେ ବଳିଦାନର ଅର୍ଥ ବୁଝିନାହାନ୍ତି। ମୁଁ ଜଣେ ସହିଦର ପୁଅ। ମୁଁ କେବେ ହେଲେ ସହିଦଙ୍କ ଅପମାନ ସହ୍ୟ କରିପାରିବି ନାହିଁ। ଆମେ ଏହି ଅଭଦ୍ର କ୍ରୁରତା ବିରୋଧରେ ରହିଛୁ।”

କେବଳ ରାହୁଲ ଗାନ୍ଧି ନୁହନ୍ତି, ସିପିଏମର ସୀତାରାମ ୟେଚୁରୀ, କଂଗ୍ରେସର ହସିବା ଅମୀନ ଓ ଶିବସେନା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ପ୍ରମୁଖ ଜାଲିଆନାୱାଲା ବାଗର ନବୀକରଣକୁ ନେଇ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି।

ସୂଚନାଯୋଗ୍ୟ, ପଞ୍ଜାବର ଅମୃତସର ଠାରେ ଥିବା ଜାଲିଆନାୱାଲା ବାଗରେ ୧୯୧୯ ମସିହା ଏପ୍ରିଲ ୧୩ ତାରିଖରେ ହଜାର ହଜାର ନିରସ୍ତ୍ର ଭାରତୀୟଙ୍କ ଉପରେ ଜେନେରାଲ ଡାୟାରଙ୍କ ନିର୍ଦ୍ଦେଶକ୍ରମେ ବ୍ରିଟିଶ ସେନା ଅତି ବୀଭତ୍ସ ଢଙ୍ଗରେ ଆଖିବୁଜା ଗୁଳିମାଡ଼ କରି ଗଣହତ୍ୟା କରିଥିଲେ।

ଯଦିଓ ବ୍ରିଟିଶ୍‌ ରେକର୍ଡ କହୁଛି ଏହି ଘଟଣାର ସହିଦଙ୍କ ସଂଖ୍ୟା ୪୦୦, ଭାରତୀୟ ହିସାବ କହୁଛି ସହିଦଙ୍କ ସଂଖ୍ୟା ୧୦୦୦।

Related story