/odisha-reporter/media/post_attachments/uploads/2021/07/DY-chandrachud.jpg)
DY-chandrachud
ନୂଆଦିଲ୍ଲୀ: ଦେଶରେ ଦେଶଦ୍ରୋହଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ଅପରାଧିକ ଆଇନର ଅପବ୍ୟବହାର କରାଯାଉଥିବା ନେଇ ବିତର୍କ ଚାଲିଥିବା ବେଳେ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡ଼ ବଡ଼ବୟାନ ଦେଇଛନ୍ତି। ସରକାରୀ ବିରୋଧୀ ମତ ବା ଭିନ୍ନ ମତ ରଖୁଥିବା ଲୋକଙ୍କ ସ୍ୱରକୁ ଚାପି ଦେବା ପାଇଁ ଆତଙ୍କବାଦ ବିରୋଧୀ ଆଇନର ଅପବ୍ୟବହାର କରାଯିବା ଠିକ୍ ନୁହେଁ ବୋଲି ସେ କହିଛନ୍ତି।
ଭାରତ-ଆମେରିକା ମଧ୍ୟରେ ଆଇନଗତ ସମ୍ପର୍କକୁ ନେଇ ଆୟୋଜିତ ଏକ ସମ୍ମିଳନୀରେ ଯୋଗଦେଇ ଜଷ୍ଟିସ ଚନ୍ଦ୍ରଚୂଡ଼ ଏପରି ମତ ରଖିଛନ୍ତି। ସେ କହିଛନ୍ତି, “ଆତଙ୍କବାଦ ବିରୋଧୀ ଆଇନ ସହ ଅନ୍ୟ ଅପରାଧିକ ଆଇନକୁ କେବେ ହେଲେ ଅପବ୍ୟବହାର କରି ଭିନ୍ନ ମତ ରଖୁଥିବା ଲୋକଙ୍କ ସ୍ୱରକୁ ଚାପି ଦେବା କିମ୍ବା ସାଧାରଣ ଲୋକଙ୍କୁ ନିର୍ଯାତନା ଦେବା ଠିକ୍ ନୁହେଁ।
ନାଗରିକଙ୍କୁ ସେମାନଙ୍କ ସ୍ୱାଧୀନତାରୁ ବଞ୍ଚିତ କରିବା ପାଇଁ ହେଉଥିବା ଉଦ୍ୟମରୁ ସୁରକ୍ଷା ଦେବା ପାଇଁ ଆମ ଅଦାଲତଗୁଡ଼ିକ ପ୍ରଥମ ଧାଡ଼ି ରକ୍ଷାକବଚ ଭାବେ ଛିଡ଼ା ହେବା ଉଚିତ। ଏକଥା ମୁଁ ଅର୍ଣ୍ଣବ ଗୋସ୍ୱାମୀ ବନାମ ରାଜ୍ୟ ସରକାରଙ୍କ ମଧ୍ୟରେ ଚାଲିଥିବା ମାମଲାର ରାୟ ଦେବା ବେଳେ ମଧ୍ୟ କହିଥିଲି।
ଗୋଟିଏ ଦିନ ପାଇଁ ବି ସ୍ୱାଧୀନତା ହରାଇବା ବହୁତ ବଡ଼ କଥା। ଆମର ନିଷ୍ପତ୍ତିରେ ଆମେ ସର୍ବଦା ଗଭୀର ବ୍ୟବସ୍ଥିତ ବିଷୟଗୁଡ଼ିକ ପ୍ରତି ଧ୍ୟାନ ଦେବା ଆବଶ୍ୟକ। ଭାରତ ଓ ଆମେରିକା ଦୁନିଆର ଭିନ୍ନ ଭିନ୍ନ କୋଣରେ ଅଛନ୍ତି। ତଥାପି ଦୁଇ ଦେଶ ଗୋଟିଏ ଗଭୀର ସାମାଜିକ, ସାଂସ୍କୃତିକ ଓ ଅର୍ଥନୀତିକ ସମ୍ପର୍କ ସ୍ଥାପନ କରିପାରିଛନ୍ତି।
ଭାରତର ସର୍ବୋଚ୍ଚ ଅଦାଲତ ଓ ଆମେରିକାର ସର୍ବୋଚ୍ଚ ଅଦାଲତକୁ ସବୁଠାରୁ ଶକ୍ତିଶାଳୀ ଅଦାଲତ ବୋଲି କୁହାଯାଏ। ସମଲିଙ୍ଗୀ ସମ୍ପର୍କକୁ ଅପରାଧ ମୁକ୍ତ କରିବା ପାଇଁ ଭାରତର ସର୍ବୋଚ୍ଚ ଅଦାଲତ ଦେଇଥିବା ରାୟ ଲରେନ୍ସ ବନାମ ଟେକସାସ ପ୍ରସଙ୍ଗରେ ଆମେରିକା କୋର୍ଟ ଦେଇଥିବା ରାୟକୁ ଆଧାର କରି ଦିଆଯାଇଥିଲା।
ସ୍ୱାଧୀନତା, ବାକ ସ୍ୱାଧୀନତା ତଥା ଧାର୍ମିକ ଶାନ୍ତି ପ୍ରତିଷ୍ଠା କ୍ଷେତ୍ରରେ ଆମେରିକା ଆଗରେ ରହିଛି। ଭାରତ ସର୍ବ ପୁରାତନ ତଥା ସବୁଠାରୁ ବଡ଼ ଗଣତନ୍ତ୍ର ଭାବରେ ବହୁ ସଂସ୍କୃତି ଓ ବହୁମୁଖୀ ସମାଜର ଆଦର୍ଶକୁ ପ୍ରତିପାଦନ କରୁଛି। ଭାରତୀୟ ସମ୍ବିଧାନ ମଧ୍ୟ ଲୋକଙ୍କ ଅଧିକାର ପ୍ରତି ଏକ ଗଭୀର ପ୍ରତିବଦ୍ଧତା ଓ ସମ୍ମାନ ଉପରେ ଧ୍ୟାନ ଦେଇଥାଏ।
ଭାରତୀୟ ନ୍ୟାୟପାଳିକା ଉପରେ ଆମେରିକାର ପ୍ରଭାବକୁ କମ୍ କରାଯାଇପାରିବ ନାହିଁ। ଏହା ଭାରତୀୟ ସମ୍ବିଧାନର ହୃଦୟ ଓ ପ୍ରାଣରେ ରହିଛି। ଆମେରିକାର ପ୍ରଭାବର ଉଦାହରଣ ହେଉଛି ଭାରତର ସମ୍ବିଧାନର ଧାରା ୨୧। ଏଥିରେ ବ୍ୟକ୍ତିଗତ ସ୍ୱାଧୀନତାକୁ ସୁରକ୍ଷାର ଦେବାର ବ୍ୟବସ୍ଥା କରାଯାଇଛି।
ଏହା ବିଲ୍ ଅଫ ରାଇଟ୍ସକୁ ଆଧାର କରି ପ୍ରସ୍ତୁତ କରାଯାଇଛି। ଏଥିରେ କୌଣସି ବ୍ୟକ୍ତି ଆଇନର ଉପଯୁକ୍ତ ଟ୍ରାଏଲ ବିନା ଜୀବନ, ସ୍ୱାଧୀନତା କିମ୍ବା ସମ୍ପତ୍ତିରୁ ବଞ୍ଚିତ ହୋଇପାରିବେ ନାହିଁ ବୋଲି କୁହାଯାଇଛି ବୋଲି ଜଷ୍ଟିସ ଚନ୍ଦ୍ରଚୂଡ଼ କହିଛନ୍ତି।
ଭାରତରେ ଅନେକ ଲୋକଙ୍କ ଉପରେ ୟୁଏପିଏ ଲଗା ଯାଉଥିବା ବେଳେ ପରବର୍ତ୍ତୀ ଅବସ୍ଥାରେ ସେମାନେ ଦୋଷମୁକ୍ତ ହୋଇ ଜେଲରୁ ବାହାରୁଛନ୍ତି। ଦୋଷମୁକ୍ତ ହେବା ପୂର୍ବରୁ ସେମାନଙ୍କୁ ଦୀର୍ଘ ବର୍ଷ ଧରି ଜେଲ୍ରେ ରହିବାକୁ ପଡ଼ୁଛି। ଏସବୁ ଭିତରେ ଜଷ୍ଟିସ ଚନ୍ଦ୍ରଚୂଡ଼ ଏପରି ବୟାନ ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
