ନୂଆଦିଲ୍ଲୀ: ଶତ୍ରୁଦେଶ ପାକିସ୍ତାନକୁ ଡାଟା ଦେଉଥିବା ଅଭିଯୋଗରେ ଜଣେ ଅଟକ। ଡାଟା ଦେଉଥିବା ବ୍ୟକ୍ତି ଜଣଙ୍କ ଦେଶର ଯବାନ। ଜମ୍ମୁ କଶ୍ମୀର ସ୍ଥିତ ଉଧମପୁରରେ ଥିବା ଭାରତୀୟ ସେନାର ସମ୍ବେଦନଶୀଳ ତଥ୍ୟ ଲିକ୍ କରିଥିବା ମାମଲାରେ ଅଟକ ରଖାଯାଇଛି ଏହି ଯବାନ ଜଣଙ୍କୁ। ସୂଚନାନୁସାରେ, ଅତ୍ୟଧିକ ସମ୍ବେଦନଶୀଳ ତଥ୍ୟ ଲିକ୍ ହୋଇନାହିଁ, କିନ୍ତୁ ଏକ ସୁରକ୍ଷିତ ଆଧାରରୁ ତଥ୍ୟ କିପରି ଲିକ୍ ହୋଇଛି ସେ ନେଇ ତଦନ୍ତ ଆରମ୍ଭ ହୋଇଛି। ଜମ୍ମୁ କଶ୍ମୀରର ଉଧମପୁରରେ ସେନାର ଉତ୍ତର କମାଣ୍ଡ ରହିଛି। ଏହା କଶ୍ମୀର ଉପତ୍ୟକା ନିକଟରେ ଥିବା ପୂର୍ବ ଲଦାଖ, ସିଆଚିନ୍, କାରଗିଲ୍ ଏବଂ ଏଲଓସି ନିକଟରେ ଥିବା ଏଲଏସି ସୁରକ୍ଷା ପାଇଁ ଦାୟୀ।
ସୂଚନାଯୋଗ୍ୟ, ନିକଟରେ ସେଣ୍ଟ୍ରାଲ୍ ଇଣ୍ଟେଲିଜେନ୍ସ ଏଜେନ୍ସିର ସୂଚନା ଅନୁସାରେ ଛୁଟିରେ ଥିବା ଜଣେ ସନ୍ଦିଗ୍ଧ ଯବାନଙ୍କ ବିଷୟରେ ସତର୍କ ସୂଚନା ଜାରି କରିଥିଲା। ଉତ୍ତର କୋମାଣ୍ଡରେ ପୋଷ୍ଟ ହୋଇଥିବା ଏହି ଯବାନ ଛୁଟିଦିନରେ ଇଣ୍ଟରନେଟରେ ପାକିସ୍ତାନୀ ଗୁପ୍ତଚର ସଂସ୍ଥାକୁ ସମ୍ବେଦନଶୀଳ ସୂଚନା ପ୍ରଦାନ କରୁଥିଲା। ସନ୍ଦିଗ୍ଧ ଯବାନ ଛୁଟିରେ ଯିବା ପୂର୍ବରୁ ଉତ୍ତର କମାଣ୍ଡର ଏକ କମ୍ପ୍ୟୁଟରରୁ ତଥ୍ୟ ଚୋରି କରି ଛୁଟିଦିନରେ ପାକିସ୍ତାନକୁ ତଥ୍ୟ ପଠାଇଥିବା ଅଭିଯୋଗ ହୋଇଛି।
ଯଦିଓ ଏହି ମାମଲା ଡିଜିଏମଓ ସ୍ତରୀୟ ବୁଝାମଣା ଏବଂ ଭାରତ ଏବଂ ପାକିସ୍ଥାନର ଅସ୍ତ୍ରବିରତି ଚୁକ୍ତି ପୂର୍ବରୁ ହୋଇଛି। ହେଲେ ଯଦି ଅଭିଯୋଗ ସତ୍ୟ ବୋଲି ଜଣାପଡେ ତେବେ ସନ୍ଦିଗ୍ଧ ଯବାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି।
ତେବେ ଏଭଳି ଖବର କୌଣସି ନୂଆ ନୁହେଁ ପାକିସ୍ତାନୀ ଗୁପ୍ତଚର ଏଜେନ୍ସି ଆଇଏସଆଇ ସୋଶାଲ ମିଡିଆ କିମ୍ବା ହନି ଟ୍ରାପ ମାଧ୍ୟମରେ ଭାରତୀୟ ଯବାନଙ୍କୁ ଫସାଇ ଟଙ୍କା କିମ୍ବା ଅନ୍ୟ ଲୋଭନୀୟ ସ୍କିମ୍ ଦେଖାଇ ଅନେକ ଗୁପ୍ତ ତଥ୍ୟ ନେଇଥାଏ।