ବିଶାଖାପାଟଣା: ଚିଟ୍ଫଣ୍ଡ ଲିଙ୍କରେ ଗିରଫ ହୋଇଥିବା ବିଶାଖାପାଟଣାର ପୂର୍ବତନ ବିଧାୟକଙ୍କ ଫିଟୁଛି ଗୁମର। ସାମ୍ନାକୁ ଆସିଛି ତାଙ୍କର ଟଲିଉଡ ଲିଙ୍କ। ଗ୍ରାହକଙ୍କଠାରୁ କୋଟି କୋଟି ଟଙ୍କା ଠକି ସେ ତିଆରି କରୁଥିଲେ ତେଲୁଗୁ ଫିଲ୍ମ। ଏନେଇ ମାମଲାର ତଦନ୍ତ କରୁଥିବା ଅର୍ଥନୈତିକ ଅପରାଧ ଶାଖାର ଏସ୍ପି ଗାଗାରିନ ମହାନ୍ତି ସୂଚନା ଦେଇଛନ୍ତି।
ସୂଚନା ମୁତାବକ, ଗିରଫ ପୂର୍ବତନ ବିଧାୟକ ଏମ୍ଭି ପ୍ରସାଦ ଜଣେ ନାମୀଦାମୀ ପ୍ରଯୋଜକ ମଧ୍ୟ ଥିଲେ। ଚିଟଫଣ୍ଡ ବାବଦକୁ କୋଟି କୋଟି ଟଙ୍କା ଲୁଟି ଫିଲ୍ମ ଜଗତରେ ବିନିଯୋଗ କରିଥିଲେ। ବଡ଼ ବଡ଼ ବ୍ୟାନରରେ ଫିଲ୍ମ ତିଆରି କରୁଥିଲେ ସେ।
ୱେଲଫେୟାର ଗ୍ରୁପ୍ ଅଫ୍ କମ୍ପାନୀ ନାଁରେ ଏମ୍ଭି ପ୍ରସାଦ ୧୨ ଶହ କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ରହିଛି। ୨୦୦୧ରୁ ସେ ଓଡ଼ିଶା, ଆନ୍ଧ୍ର, ଛତିଶଗଡ଼ର ବିଭିନ୍ନ ଅଞ୍ଚଳର ଲୋକଙ୍କଠାରୁ ଜମା ସଂଗ୍ରହ କରି ସେହି ଟଙ୍କା ଆଉ ଫେରାଇ ନ ଥିଲେ। ଠକେଇ ଅଭିଯୋଗରେ ବିଶାଖାପାଟଣା ପଶ୍ଚିମ ଜୋନ୍ ପୂର୍ବତନ ବିଧାୟକ ଏମ୍ଭି ପ୍ରସାଦଙ୍କୁ ଇଓଡବ୍ଲୁ ଗିରଫ କରିଥିଲା। ଏଥିସସହ ପ୍ରସାଦଙ୍କ ଘରେ ଚଢ଼ଉ କରି ୪୫ ଲକ୍ଷ ଟଙ୍କା ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିଲା ଇଓଡବ୍ଲୁ।
ଚିଟଫଣ୍ଡ ଠକେଇ ଅଭିଯୋଗରେ ଗିରଫ ପରେ ଗତକାଲି ଏମ୍ଭି ପ୍ରସାଦଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ମଙ୍ଗଳବାର ତାଙ୍କୁ କଟକ ସ୍ୱତନ୍ତ୍ର ଚିଟ୍ଫଣ୍ଡ କୋର୍ଟରେ ହାଜର କରାଯାଇଥିଲା। ଆସନ୍ତା ସୋମବାର ତାଙ୍କ ଜାମିନ ଆବେଦନର ଶୁଣାଣି ହେବ।
ପ୍ରକାଶ ଥାଉକି ଏମ. ବିଜୟ ପ୍ରସାଦ ୨୦୦୯ ମସିହାରେ ଆନ୍ଧ୍ରପ୍ରଦେଶ କଂଗ୍ରେସ ଦଳର ପ୍ରାର୍ଥୀ ରୂପେ ବିଶାଖାପାଟଣା ପଶ୍ଚିମ ଜୋନ ଆସନରୁ ବିଜୟୀ ହୋଇଥିଲେ। ସେ ୨୦୧୯ ମସିହାରେ ୱାଇଏସଆର କଂଗ୍ରେସ ଦଳରେ ଯୋଗ ଦେଇଥିଲେ କିନ୍ତୁ ଚଳିତ ଥର ସେ ନିର୍ବାଚନ ହାରିଯାଇଥିଲେ। ବର୍ତ୍ତମାନ ସେ ଆନ୍ଧ୍ରପ୍ରଦେଶ ଶିକ୍ଷା ଓ ୱେଲଫେର ଡେଭଲପମେଣ୍ଟ କର୍ପୋରେସନର ଚେୟାରମେନ୍ ଅଛନ୍ତି।