ଦ୍ୱନ୍ଦ୍ୱରେ ଗେହଲଟ, ଏବେ ବି ରାହୁଲ ଗାନ୍ଧିଙ୍କ ଠାରୁ ଆଶା ରଖିଛନ୍ତି

ନୂଆଦିଲ୍ଲୀ: ଦୀର୍ଘ ୨୦ ବର୍ଷ ପରେ ଦେଶର ସର୍ବପୁରାତନ ରାଜନୀତିକ ଦଳ କଂଗ୍ରେସ ନିର୍ବାଚନ ଦ୍ୱାରା ମୁଖିଆ ବାଛିବାକୁ ଉଦ୍ୟମ ଆରମ୍ଭ କରିଛି। ଆସନ୍ତା ଗୁରୁବାର ଠାରୁ କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ଆରମ୍ଭ ହେବ। ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ଠାରୁ ଅନୁମତି ପାଇବା ପରେ ବରିଷ୍ଠ ନେତା ଶଶି ଥରୁର ସଭାପତି ପଦ ପାଇଁ ଲଢ଼େଇ କରିବାକୁ ନିଷ୍ପତ୍ତି ନେଇଛନ୍ତି। ହେଲେ ତାଙ୍କ ବିପକ୍ଷରେ ପ୍ରାର୍ଥୀ ହେବାକୁ ଥିବା ରାଜସ୍ଥାନ […]

Rahul-Gandhi

  • Published: Tuesday, 20 September 2022
  • , Updated: 20 September 2022, 03:10 PM IST

ନୂଆଦିଲ୍ଲୀ: ଦୀର୍ଘ ୨୦ ବର୍ଷ ପରେ ଦେଶର ସର୍ବପୁରାତନ ରାଜନୀତିକ ଦଳ କଂଗ୍ରେସ ନିର୍ବାଚନ ଦ୍ୱାରା ମୁଖିଆ ବାଛିବାକୁ ଉଦ୍ୟମ ଆରମ୍ଭ କରିଛି। ଆସନ୍ତା ଗୁରୁବାର ଠାରୁ କଂଗ୍ରେସ ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ନାମାଙ୍କନ ଦାଖଲ ଆରମ୍ଭ ହେବ। ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କ ଠାରୁ ଅନୁମତି ପାଇବା ପରେ ବରିଷ୍ଠ ନେତା ଶଶି ଥରୁର ସଭାପତି ପଦ ପାଇଁ ଲଢ଼େଇ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ହେଲେ ତାଙ୍କ ବିପକ୍ଷରେ ପ୍ରାର୍ଥୀ ହେବାକୁ ଥିବା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବେ ବି ଦ୍ୱନ୍ଦ୍ୱରେ ରହିଛନ୍ତି। ସେ ରାହୁଲ ଗାନ୍ଧିଙ୍କୁ ଆଉ ଥରେ ସଭାପତି ପଦ ସମ୍ଭାଳିବାକୁ ବୁଝାଇବାକୁ ଲକ୍ଷ୍ୟ ରଖିଛନ୍ତି। ତାଙ୍କର ଆଶା ରାହୁଲ ଗାନ୍ଧି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବେ।

ଖାସ ଏହି କାରଣ ପାଇଁ ରାଜସ୍ଥାନ ସମେତ ଏକାଧିକ ରାଜ୍ୟର କଂଗ୍ରେସ କମିଟି ପକ୍ଷରୁ ସର୍ବସମ୍ମତିକ୍ରମେ ରାହୁଲ ଗାନ୍ଧିଙ୍କୁ ସଭାପତି କରିବାକୁ ସଂକଳ୍ପ ପାରିତ କରାଯାଇଛି। ତଥାପି ରାହୁଲ ଗାନ୍ଧି ସଭାପତି ରେସ୍‌ରେ ସାମିଲ ହେବା ମୁଡରେ ନାହାନ୍ତି।

ଗେହଲଟ କିନ୍ତୁ ରାହୁଲ ଗାନ୍ଧିଙ୍କ ଉପରେ ଭରସା ରଖି ତାଙ୍କୁ ଆଉଥରେ ବୁଝାଇବାକୁ ଚେଷ୍ଟା ଚଳାଇଛନ୍ତି। ଯଦି କୌଣସି ସୁଫଳ ନ ମିଳିବ, ତା’ହେଲେ ଅକ୍ଟୋବର ୧୭ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ ପାଇଁ ଗେହଲଟ ଆସନ୍ତା ସୋମବାର ନାମାଙ୍କନ ଦାଖଲ କରିବେ। ଏହି ସମୟରେ ସେ ରାହୁଲ ଗାନ୍ଧିଙ୍କୁ ଭେଟିବେ। ଗେହଲଟ ନିଜେ ନାମାଙ୍କନ ଦାଖଲ କରିବା ପୂର୍ବରୁ ରାହୁଲ ଗାନ୍ଧିଙ୍କୁ ବୁଝାଇବାକୁ ସବୁ ପ୍ରକାରର ଚେଷ୍ଟା କରିବେ ବୋଲି ତାଙ୍କ ନିକଟତମ ସୂତ୍ରରୁ ଖବର ମିଳିଛି।

ଗେହଲଟ ହେଉଛନ୍ତି ଦଳର ବରିଷ୍ଠ ନେତା ଓ ଗାନ୍ଧି ପରିବାରର ଅତ୍ୟନ୍ତ ବିଶ୍ୱସ୍ତ। ସେ ରାଜସ୍ଥାନରେ କଂଗ୍ରେସର ଗଡ଼ ସମ୍ଭାଳିଛନ୍ତି। ଏଠାରେ ବିଜେପିର ଅପରେସନ ଲୋଟସ ବ୍ୟତୀତ ଦଳୀୟ ବିଦ୍ରୋହକୁ ବେଶ ଭଲ ଭାବେ ସମାଧାନ କରିଛନ୍ତି। ତାଙ୍କର ଏହି ଦକ୍ଷତା ଯୋଗୁ ସୋନିଆ ଗାନ୍ଧି ନିଜେ ଗେହଲଟଙ୍କୁ କଂଗ୍ରେସର ମୁଖିଆ ପଦ ସମ୍ଭାଳିବାକୁ କହିଛନ୍ତି।

ହେଲେ ସେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦ ଛାଡ଼ି ଜାତୀୟ ରାଜନୀତିରେ ପ୍ରବେଶ କରିବାକୁ ପଛଘୁଞ୍ଚା ଦେଉଛନ୍ତି। ସେ ଯଦି କଂଗ୍ରେସ ଅଧ୍ୟକ୍ଷ ହେବେ, ତା’ହେଲେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ କୁହାଯାଉଥିବା ସଚିନ ପାଇଲଟ ମୁଖ୍ୟମନ୍ତ୍ରୀ ହୋଇଯିବେ। ୨ ବର୍ଷ ତଳେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ସୃଷ୍ଟି ହୋଇଥିବା ବିବାଦ କାରଣରୁ ସଚିନ ପାଇଲଟ କିଛି ବିଧାୟକଙ୍କୁ ଧରି ଦିଲ୍ଲୀ ଆସିଥିଲେ।

ଗେହଲଟଙ୍କ ସରକାର ପ୍ରତି ବିପଦ ମଧ୍ୟ ସୃଷ୍ଟି ହୋଇଥିଲା। କିନ୍ତୁ ଗାନ୍ଧି ପରିବାରର ହସ୍ତକ୍ଷେପ ପରେ ସଚିନ ପାଇଲଟ ଘରକୁ ବାହୁଡ଼ିଥିଲେ। ଏବେ ସେ ପୁଣି ମୁଖ୍ୟମନ୍ତ୍ରୀ ପଦ ଦଖଲ କରିବା ମୁଡରେ ରହିଛନ୍ତି। ଏଥିପାଇଁ ସହ ଘନଘନ ଦିଲ୍ଲୀ ମଧ୍ୟ ଆସୁଛନ୍ତି। ହାଇକମାଣ୍ଡ ଗେହଲଟ ଓ ସଚିନଙ୍କ କଳିକୁ ପ୍ରଶମିତ କରିବାକୁ ଚାହୁଁଛନ୍ତି। ଯଦି ଗେହଲଟ କଂଗ୍ରେସ ଅଧ୍ୟକ୍ଷ ହେବେ, ତା’ହେଲେ ରାଜସ୍ଥାନରେ ସଚିନ ପାଇଲଟ ଅତିକମରେ ଗୋଟିଏ ବର୍ଷ ମୁଖ୍ୟମନ୍ତ୍ରୀ ଭାବେ କାମ କରିପାରିବେ।

ଏହା ନିଶ୍ଚିତ ଭାବେ ଆସନ୍ତାବର୍ଷ ହେବାକୁ ଥିବା ରାଜସ୍ଥାନ ବିଧାନସଭା ନିର୍ବାଚନରେ ଦଳକୁ ଫାଇଦା ଦେବ ବୋଲି ରାଜନୀତିକ ପଣ୍ଡିତମାନେ ମତ ରଖିଛନ୍ତି। ଗେହଲଟ କିନ୍ତୁ ସଚିନ ପାଇଲଟଙ୍କୁ ମୁଖ୍ୟମନ୍ତ୍ରୀ କରାଇ ଦେବା ମୁଡରେ ନାହାନ୍ତି। ସେ ଯଦି କଂଗ୍ରେସ ଅଧ୍ୟକ୍ଷ ହେବେ, ତଥାପି ତାଙ୍କର ଜଣେ ବିଶ୍ୱସ୍ତ ଲୋକଙ୍କୁ ମୁଖ୍ୟମନ୍ତ୍ରୀ ପଦ ହସ୍ତାନ୍ତର କରିବେ। ଏହି ସର୍ତ୍ତରେ ଗାନ୍ଧି ପରିବାର ରାଜି ହେବା ପରେ ହିଁ ସେ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ଦାଖଲ କରିବେ ବୋଲି କୁହାଯାଉଛି।

Related story