ରାହୁଲ ଗାନ୍ଧୀ ନେତୃତ୍ୱ ନେବାରେ ବିଫଳ କହି ଇସ୍ତଫା ଦେଲେ କଂଗ୍ରେସ ବିଧାୟକ

ଗୌହାଟି: ସାରା ଦେଶରେ ମୌସୁମୀ ଛୁଇଁବା ପରେ ତାପମାତ୍ରା କମିଛି। ହେଲେ କଂଗ୍ରେସରେ କୁହୁଳୁଥିବା କନ୍ଦଳର ତାତି ଏଯାଏ କମିନି। ପଞ୍ଜାବ, ରାଜସ୍ଥାନ, ମହାରାଷ୍ଟ୍ର ଡେଇଁ ଏବେ ଆସାମରେ ଏହି କନ୍ଦଳ ପହଞ୍ଚିଛି। ଆଜି ସିଧାସିଧା କଂଗ୍ରେସ ନେତୃତ୍ୱ ତଥା ଗାନ୍ଧୀ ପରିବାରର ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇ ଜଣେ ନିର୍ବାଚିତ କଂଗ୍ରେସ ବିଧାୟକ ଦଳରୁ ଇସ୍ତଫା ଦେଇଛନ୍ତି। ଯାହାକି ଦଳ ଭିତରେ ନେତୃତ୍ୱକୁ ନେଇ ଥିବା ଅସନ୍ତୋଷର ପରିମାଣ ଯେ କେତେ ଭୟଙ୍କର ତାହା ଜଳ […]

rupajyoti-kurmu

Subhransu Sekhar
  • Published: Friday, 18 June 2021
  • , Updated: 18 June 2021, 05:08 PM IST

ଗୌହାଟି: ସାରା ଦେଶରେ ମୌସୁମୀ ଛୁଇଁବା ପରେ ତାପମାତ୍ରା କମିଛି। ହେଲେ କଂଗ୍ରେସରେ କୁହୁଳୁଥିବା କନ୍ଦଳର ତାତି ଏଯାଏ କମିନି। ପଞ୍ଜାବ, ରାଜସ୍ଥାନ, ମହାରାଷ୍ଟ୍ର ଡେଇଁ ଏବେ ଆସାମରେ ଏହି କନ୍ଦଳ ପହଞ୍ଚିଛି। ଆଜି ସିଧାସିଧା କଂଗ୍ରେସ ନେତୃତ୍ୱ ତଥା ଗାନ୍ଧୀ ପରିବାରର ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇ ଜଣେ ନିର୍ବାଚିତ କଂଗ୍ରେସ ବିଧାୟକ ଦଳରୁ ଇସ୍ତଫା ଦେଇଛନ୍ତି। ଯାହାକି ଦଳ ଭିତରେ ନେତୃତ୍ୱକୁ ନେଇ ଥିବା ଅସନ୍ତୋଷର ପରିମାଣ ଯେ କେତେ ଭୟଙ୍କର ତାହା ଜଳ ଜଳ କରି ସ୍ପଷ୍ଟ ହେଉଛି। ଆସାମ ବିଧାନସଭାକୁ କଂଗ୍ରେସ ଟିକେଟରୁ ଚାରି ଥର ନିର୍ବାଚିତ ହୋଇଥିବା ଏହି ବିଧାୟକ ହେଉଛନ୍ତି ରୁପଜ୍ୟୋତି କୁର୍ମୀ। ସେ ଆଜି ବାଚସ୍ପତି ଭେଟି ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି। ଏଥିସହ ହାତ ପାର୍ଟିକୁ ବାଏ ବାଏ କହିଛନ୍ତି। ଏବେ ସେ ବିଜେପିରେ ସାମିଲ୍ ହେବେ ବୋଲି ଜଣାପଡ଼ିଛି। ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଅସନ୍ତୋଷ ପ୍ରକାଶ କରି ଦଳରୁ ଇସ୍ତଫା ଦେଉଥିବା ରୁପଜ୍ୟୋତି କହିଛନ୍ତି।

https://twitter.com/ANI/status/1405774428919656455?s=20

ରୁପଜ୍ୟୋତି କୁର୍ମୀ ଆସାମର ଜୋରହାଟ ଜିଲ୍ଲାର ମରିଆନୀ ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ। ୨୦୦୬ ପାଖରୁ ମୋଟ୍ ୪ ଥର ଆସାମ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ସେ କଂଗ୍ରେସ ଟିକେଟରୁ ନିର୍ବାଚିତ ହେବା ପୂର୍ବରୁ ତାଙ୍କ ମା' ସମାନ ଆସନରୁ ବିଧାନସଭାକୁ  ତିନି ଥର ନିର୍ବାଚିତ ହୋଇଥିଲେ। ଆସାମରେ କଂଗ୍ରେସ ସରକାରରେ ମନ୍ତ୍ରୀ ମଧ୍ୟ ରୁପଜ୍ୟୋତିଙ୍କ ମା' ଥିଲେ। ୨୦୦୪ରେ ରୁପଜ୍ୟୋତିଙ୍କ ମାଙ୍କର ଦେହାନ୍ତ ହୋଇଥିଲା। ଏହାପରେ ସେ ୨୦୦୬ରେ ଉପନିର୍ବାଚନରେ କଂଗ୍ରେସ ଟିକେଟରୁ ବିଜୟୀ ହୋଇ ବିଧାନସଭାକୁ ନିର୍ବାଚିତ ହେଉଛନ୍ତି।

ସେ କହିଛନ୍ତି ଯେ ୨୦୦୩ରେ ରାହୁଲ୍ ଗାନ୍ଧୀ କଂଗ୍ରେସର କୌଣସି ବଡ଼ ପଦବୀରେ ନଥିଲେ। ସୋନିଆ ଗାନ୍ଧୀ ଦଳର ନେତୃତ୍ୱ ନେଇ କେନ୍ଦ୍ରରେ ସରକାର ଗଢ଼ିବାରେ ସଫଳ ହୋଇଥିଲେ। ହେଲେ ରାହୁଲ ଗାନ୍ଧୀ ଏହାପରେ ଦଳର ପ୍ରମୁଖ ପଦବୀରେ ରହିଛନ୍ତି। ଆଉ ସେ ଆସିବା ପାଖରୁ ଦଳରେ ସେମିତି କିଛି ଅଗ୍ରଗତି ହେଉନି। କେନ୍ଦ୍ର କଂଗ୍ରେସ ହେଉ ଅବା ରାଜ୍ୟର କଂଗ୍ରେସ ମୁଖିଆ କେବଳ ବୟସ୍କ ନେତାଙ୍କୁ ଗୁରୁତ୍ୱ ଦେଉଛନ୍ତି। ଯୁବ ନେତାଙ୍କୁ ସବୁବେଳେ ଅଣଦେଖା କରୁଛନ୍ତି ବୋଲି ସେ କହିଛନ୍ତି।

https://twitter.com/ANI/status/1405750577661845510?s=20

ନିକଟରେ ବିଧାନସଭା ନିର୍ବାଚନ ହୋଇଥିଲା। କଂଗ୍ରେସ ଏଆଇଡିୟୁଏଫ ସହିତ ମେଣ୍ଟ କରିଥିଲା। ହେଲେ ଦଳର ଯୁବ ନେତା ଏହି ମେଣ୍ଟକୁ ବିରୋଧ କରିଥିଲେ ଦିଲ୍ଲୀରେ। ଦଳ ପ୍ରତି ଲୋକଙ୍କର ସମର୍ଥନ ରହିଥିଲା ହେଲେ ଏଆଇଡିୟୁଏଫ ସହିତ କଂଗ୍ରେସ ମେଣ୍ଟ କରିବାରୁ ଏଭଳି ଶୋଚନୀୟ ପରାଜୟ ହୋଇଛି ବୋଲି ରୁପଜ୍ୟୋତି କହିଛନ୍ତି।

ଯେ ପର୍ଯ୍ୟନ୍ତ ରାହୁଲ ଗାନ୍ଧୀ ଦଳରେ ଥିବେ କଂଗ୍ରେସ ଆଗକୁ ବଢ଼ିବ ନାହିଁ କହି ଗାନ୍ଧୀ ପରିବାରର ଉତ୍ତରାଧିକାରୀଙ୍କୁ ବାଣ ମାରିଛନ୍ତି ରୁପଜ୍ୟୋତି। ଖାଲି ଆସାମ ନୁହେଁ ନିକଟରେ ହୋଇଥିବା ୫ ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି। ଏଥିପାଇଁ ରାହୁଲ ଗାନ୍ଧୀ ହିଁ ଦାୟୀ ବୋଲି ସେ କହିଛନ୍ତି। ରୁପଜ୍ୟୋତି ବିଧାନସଭାରୁ ଇସ୍ତଫା ଦେବା ପରେ ଏବେ ଆସାମରେ ମୋଟ୍ ୧୨୬ ଆସନରୁ ୨୮ ହୋଇଛି କଂଗ୍ରେସ ବିଧାୟକ ସଂଖ୍ୟା।

Related story