ନଏଡା: ଆଗକୁ ୫ ରାଜ୍ୟର ବିଧାନସଭା ନିର୍ବାଚନ। ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି, ରାଜନୀତି ସେତିକି ସରଗରମ ହେଉଛି। ସବୁ ଦଳର ନେତା ମଇଦାନକୁ ଓହ୍ଲାଇ ପଡିଛନ୍ତି। ଘରକୁ ଘର ବୁଲି କରୁଛନ୍ତି କ୍ୟାମ୍ପେନ। ଏହାରି ଭିତରେ ଉତ୍ତରପ୍ରଦେଶକୁ ହାତେଇବା ପାଇଁ ଜୋରସୋର୍ରେ ପ୍ରଚାର ଚାଲିଛି। କିଏ ମାଳ ମାଳ ପ୍ରତିଶୃତି ଦେଉଛି ତ ଆଉ କିଏ ଗୀତ ଗାଇ କରୁଛନ୍ତି ପ୍ରଚାର। ତେବେ ଏହି ପ୍ରଚାର ସାଂସଦଙ୍କୁ ଏବେ ମହଙ୍ଗା ପଡିଛି। ତାଙ୍କ ନାଁରେ ରୁଜୁ ହୋଇଛି ମାମଲା।
ଅଭିନେତାରୁ ନେତା ପାଲଟିଥିବା ଭୋଜପୁରୀ ସୁପରଷ୍ଟାର ତଥା ବିଜେପି ସାଂସଦ ରବି କିଶନଙ୍କୁ ନିର୍ବାଚନ ପ୍ରଚାର କରିବା ମହଙ୍ଗା ପଡିଛି। ଗୋରଖପୁର ସାଂସଦ ଗତକାଲି ନଏଡାରେ ବିଜେପି ପ୍ରାର୍ଥୀ ପଙ୍କଜ ସିଂହଙ୍କ ପାଇଁ ପ୍ରଚାର କରିବା ପାଇଁ ପହଞ୍ଚିଥିଲେ। ତାଙ୍କୁ ଦେଖିବା ପାଇଁ ସେଠାରେ ପ୍ରବଳ ଭିଡ ଜମିଥିଲା। ସେ ଗୀତ ଗାଇ ନିଜ ଷ୍ଟାଇଲ୍ରେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରଚାର କରିଥିଲେ। ତେବେ ଏହି ପ୍ରଚାର ବେଳେ ନା ତାଙ୍କ ମୁହଁରେ ମାସ୍କ ଥିଲା ନା ହିଁ ସାମାଜିକ ଦୂରତା। କେବଳ ସେତିକି ନୁହେଁ ସେ ନିର୍ବାଚନର ଆଚରଣ ବିଧିକୁ ମଧ୍ୟ ଖୋଲାଖୋଲି ଉଲ୍ଲଙ୍ଘନ କରିଥିଲେ। ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଭିଡିଓ ଭାଇରାଲ ହେବା ପରେ ତାଙ୍କ ନାଁରେ କରୋନା ପ୍ରଟୋକଲ ଓ ନିର୍ବାଚନର ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗ ହୋଇଛି। ନଏଡା ଥାନା ଫେଜ୍-୩ ପ୍ରଭାରୀ ତାଙ୍କ ନାଁରେ ମାମଲା ରୁଜୁ କରି ତା'ର ଏକ କପି ରିଟର୍ଣ୍ଣିଂ ଅଫିସରଙ୍କୁ ଦେଇଛନ୍ତି।
ସୂଚନା ମୁତାବକ, ଚୋଟପୁର କଲୋନୀରେ ବହୁ ସଂଖ୍ୟାରେ ପୂର୍ବାଚଳ ଏବଂ ବିହାରୀ ଲୋକ ବାସ କରନ୍ତି। ଭୋଜପୁରୀ ଫିଲ୍ମ ସୁପରଷ୍ଟାରଙ୍କ ଆଗମନ ସୂଚନା ହେତୁ ବହୁ ସଂଖ୍ୟାରେ ଲୋକ ଏଠି ଏକାଠି ହୋଇଥିଲେ। ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୁଲିସକୁ ବହୁତ ପରିଶ୍ରମ କରିବାକୁ ପଡ଼ିଥିଲା। ରବି କିଶନ ପ୍ରଚାର ପାଇଁ ରବିବାର ବିଳମ୍ବିତ ରାତିରେ ଏଠାରେ ପହଞ୍ଚିଥିଲେ। ତାଙ୍କୁ ଦେଖିବା ପାଇଁ ହଜାର ହଜାର ଲୋକ ଏକତ୍ରିତ ହୋଇଥିଲେ। ଏହି ସମୟରେ, ସାମାଜିକ ଦୂରତା ତ ଦୂରର କଥା କେହି ମାସ୍କ ମଧ୍ୟ ପିନ୍ଧିନଥିଲେ। ଏହି ପ୍ରଚାର ଅଭିଯାନରେ ସାଂସଦଙ୍କ ସହ ନୋଏଡାର ଅନେକ ବିଜେପି ନେତା ମଧ୍ୟ ତାଙ୍କ ସହ ଥିଲେ। ଏହି ସମୟରେ ରବି କିଶନ ଭୋଜପୁରୀ ଗୀତ ଗାଇ ପ୍ରଚାର କରିଥିଲେ।