ନୂଆଦିଲ୍ଲୀ: କରୋନାର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ ବିପଦ ସତ୍ତ୍ୱେ ଆସନ୍ତା ବର୍ଷ ହେବାକୁ ଥିବା ୟୁପି ସମେତ ୫ଟି ରାଜ୍ୟରେ ନିର୍ବାଚନକୁ ସ୍ଥଗିତ ରଖାଯିବ ନାହିଁ। ଏକ ବିଶେଷ ସୂତ୍ରରୁ ଏହି ସୂଚନା ମିଳିଛି। ସାମ୍ବିଧାନିକ ନିୟମ ଅନୁଯାୟୀ, ନିର୍ବାଚନ କାର୍ଯ୍ୟସୂଚୀ ବଳବତ୍ତର ରହିବ।
ଦେଶରେ ବଢ଼ୁଥିବା ଓମିକ୍ରନ୍ ମାମଲାକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ଏକ ବୈଠକ କରିଛନ୍ତି। ବିଧାନସଭା ନିର୍ବାଚନ ପ୍ରସଙ୍ଗରେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ସଚିବଙ୍କ ସହିତ ଏହି ବୈଠକ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ସମ୍ପୃକ୍ତ ୫ ରାଜ୍ୟରେ ଟିକା କଭରେଜ୍ ଏବଂ ଓମିକ୍ରନ୍ ମାମଲା ସମ୍ବନ୍ଧୀୟ ବିବରଣୀ ନିଆଯାଇଛି।
ନିର୍ବାଚନ ହେତୁ କଠୋର କୋଭିଡ ପ୍ରୋଟୋକଲ ଆବଶ୍ୟକତା ଉପରେ ନିର୍ବାଚନ କମିଶନ ଆଲୋଚନା କରିଥିଲେ। ନିର୍ବାଚନର ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ଆୟୋଗର ଟିମ୍ ଆସନ୍ତାକାଲି ୟୁପି ଗସ୍ତ କରିବେ। ଏହି ସମୟରେ ପାରାମିଲିଟାରୀ ବାହିନୀର ମୁଖ୍ୟଙ୍କ ସହ କମିଶନ ଆଲୋଚନା କରିବେ।
ସୂଚନା ଅନୁଯାୟୀ, ନିର୍ବାଚନ ଦୃଷ୍ଟିରେ ରଖି ଏବେଠାରୁ ଜୋରଦାର ପ୍ରଚାର ଆରମ୍ଭ ହୋଇଗଲାଣି । ରାଜ୍ୟ ସରକାରଙ୍କ ପକ୍ଷରୁ ଉଦ୍ଘାଟନ୍ ଓ ଶିଳାନ୍ୟାସ ପର୍ବରେ ହଜାର ହଜାର ଲୋକଙ୍କ ଜନସମାଗମ ହେଉଛି। ବିଶେଷ କରି ଉତ୍ତରପ୍ରଦେଶ ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାରାଥନ ଗସ୍ତ କରୁଥିବା ଚର୍ଚ୍ଚା ହେଉଛି। ତେଣୁ ଆଗକୁ ନିର୍ବାଚନ ଥିବାରୁ ସତର୍କତା ନେଇ ଚିନ୍ତାପ୍ରକଟ କରାଯାଇଛି।