କୋହଳ ହେଲା ଲକଡାଉନ: ୭ରୁ ଖୋଲିବ ଶିକ୍ଷାନୁଷ୍ଠାନ ଓ ଜିମ

ପାଟନା: ମହାମାରୀ କରୋନାର ଦ୍ୱିତୀୟ ଲହକୁ ରୋକିବା ପାଇଁ ଜାରି ଲକଡାଉନକୁ ଆହୁରି କୋହଳ କରିଛନ୍ତି ବିହାର ସରକାର। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନିଜେ କଟକଣା କୋହଳ ସମ୍ପର୍କରେ ଘୋଷଣା କରିବା ସହ ୭ ତାରିଖରୁ ରାଜ୍ୟରେ ଥିବା ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକ ସହ ଜିମ ଖୋଲିବ ବୋଲି କହିଛନ୍ତି। ବିଶେଷଜ୍ଞ କମିଟିର ସଦସ୍ୟମାନଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରିବା ପାଇଁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଟ୍ୱିଟରରେ ଏପରି ଘୋଷଣା କରିଛନ୍ତି। ଏହି ନୂଆ ନିୟମ […]

Corona

Hemant Lenka
  • Published: Monday, 05 July 2021
  • , Updated: 05 July 2021, 05:34 PM IST

ପାଟନା: ମହାମାରୀ କରୋନାର ଦ୍ୱିତୀୟ ଲହକୁ ରୋକିବା ପାଇଁ ଜାରି ଲକଡାଉନକୁ ଆହୁରି କୋହଳ କରିଛନ୍ତି ବିହାର ସରକାର। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନିଜେ କଟକଣା କୋହଳ ସମ୍ପର୍କରେ ଘୋଷଣା କରିବା ସହ ୭ ତାରିଖରୁ ରାଜ୍ୟରେ ଥିବା ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକ ସହ ଜିମ ଖୋଲିବ ବୋଲି କହିଛନ୍ତି।

ବିଶେଷଜ୍ଞ କମିଟିର ସଦସ୍ୟମାନଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରିବା ପାଇଁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଟ୍ୱିଟରରେ ଏପରି ଘୋଷଣା କରିଛନ୍ତି। ଏହି ନୂଆ ନିୟମ ଜୁଲାଇ ୭ରୁ ଲାଗୁ ହୋଇ ମାସକ ଯାଏ ବଳବତ୍ତର ରହିବ।

ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ନୂଆ ଗାଇଡଲାଇନରେ କୁହାଯାଇଛି ଯେ ଜୁଲାଇ ୭ ତାରିଖରୁ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ପିଲାମାନଙ୍କ କ୍ଲାସ ଆରମ୍ଭ ହେବ। ତେବେ ଛାତ୍ରଛାତ୍ରୀଙ୍କ ଉପସ୍ଥାପନା ୫୦%ରୁ ଅଧିକ ହେବନି। ଏହି ସମାନ ନିୟମ କଲେଜ, ବିଶ୍ୱବିଦ୍ୟାଳୟ ଓ ଟେକ୍ନିକାଲ ଇନଷ୍ଟିଚ୍ୟୁଟ ପାଇଁ ମଧ୍ୟ ଲାଗୁ ହେବ।

ତେବେ କୌଣସି ଶିକ୍ଷାନୁଷ୍ଠାନକୁ ଏହି ସମୟରେ ପରୀକ୍ଷା କରିବାକୁ ଅନୁମତି ମିଳିନାହିଁ। ସଂକ୍ରମଣକୁ ରୋକିବା ପାଇଁ ଜାରି ଏସ୍‌ଓପି ଓ ସମସ୍ତ ଶିକ୍ଷାନୁଷ୍ଠାନରେ ଟିକାକରଣର ବ୍ୟବସ୍ଥା କରିବାକୁ ମଧ୍ୟ ଗାଇଡଲାଇନରେ କୁହାଯାଇଛି। ଜିମ, କ୍ଲବ ଓ ସୁଇମିଂ ପୁଲ୍‌ ୫୦% ଲୋକଙ୍କୁ ନେଇ ଚାଲିପାରିବ।

ଯେଉଁମାନେ ଟିକା ନେଇଥିବେ, ସେମାନେ ଏହି ସୁବିଧା ଉପଭୋଗ କରିପାରିବେ। ଷ୍ଟାଡିୟମ ଓ ସ୍ପୋର୍ଟସ କମ୍ପ୍ଲେକ୍ସରେ କେବଳ କ୍ରୀଡ଼ାବିତଙ୍କୁ ଅଭ୍ୟାସ ପାଇଁ ଅନୁମତି ମିଳିବ। ଏଠାରେ ଅନ୍ୟ କୌଣସି କାର୍ଯ୍ୟକ୍ରମ ହୋଇପାରିବ ନାହିଁ। ସମସ୍ତ ରେଷ୍ଟୁରାଣ୍ଟ ୫୦% ଲୋକଙ୍କ ବସିଭଳି ବ୍ୟବସ୍ଥା କରି ଖାଇବା ଦେଇପାରିବେ।

ପୂର୍ବରୁ ସରକାରୀ ଓ ବେସରକାରୀ ସଂସ୍ଥାଗୁଡ଼ିକ ୫୦% କର୍ମଚାରୀଙ୍କୁ ନେଇ କାମ କରୁଥିଲେ। ହେଲେ ୭ ତାରିଖରୁ ଏଗୁଡ଼ିକ ପୂର୍ଣ୍ଣ କ୍ଷମତାର କର୍ମଚାରୀଙ୍କୁ ନେଇ ଚାଲିବ। ତେବେ ଟିକା ନେଇଥିବା ଲୋକଙ୍କୁ ହିଁ ପ୍ରବେଶ ପାଇଁ ଅନୁମତି ମିଳିବ।


କଟକଣା କୋହଳ ହୋଇଥିଲେ ହେଁ ରାତି ୯ଟାରୁ ଭୋର ୫ଟା ଯାଏ ରାତ୍ରୀକାଳୀନ କର୍ଫ୍ୟୁ ବଳବତ୍ତର ରହିବ। ଧର୍ମାନୁଷ୍ଠାନ ଗୁଡ଼ିକ ବର୍ତ୍ତମାନ ଖୋଲିବ ନାହିଁ। ବାହାଘର ଓ ଶୁଦ୍ଧିକ୍ରିୟାରେ ୫୦ ଜଣ ଲୋକ ସାମିଲ ହୋଇପାରିବେ।

Related story