ନୂଆଦିଲ୍ଲୀ: ୫ଟି ରାଜ୍ୟରେ ଅନୁଷ୍ଠିତ ହୋଇଥିବା ବିଧାନସଭା ନିର୍ବାଚନ ପାଇଁ ଆଜି ଭୋଟ୍ ଗଣତି ଚାଲିଛି। ଗଣତି ଜାରି ରହିଥିବା ବେଳେ ପ୍ରାରମ୍ଭିକ ଟ୍ରେଣ୍ଡରେ ୪ଟି ରାଜ୍ୟ- ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ମଣିପୁର ଓ ଗୋଆରେ ବିଜେପି ଆଗରେ ରହିଛି। କିନ୍ତୁ ମଣିପୁର ଓ ଗୋଆରେ ଶାସକ ବିଜେଡିକୁ ବିରୋଧୀ ଦଳ ଗୁଡ଼ିକ କଡ଼ା ଟକ୍କର ଦେଉଥିବା ଦେଖିବାକୁ ମିଳିଛି।
ଖବର ଲେଖାଯିବା ସୁଦ୍ଧା, ୪୦୩ଟି ଆସନ ବିଶିଷ୍ଟ ଉତ୍ତରପ୍ରଦେଶ ବିଧାନସଭାରେ ୨୭୦ଟି ଆସନରୁ ୧୭୨ଟିରେ ବିଜେପି ଆଗରେ ରହିଥିବା ବେଳେ ସମାଜବାଦୀ ପାର୍ଟି ମେଣ୍ଟ ୮୭ଟିରେ ଆଗରେ ରହିଛି। କଂଗ୍ରେସ ୨ ଓ ବିଏସ୍ପି ୮ଟି ଆସନରେ ଆଗୁଆ ରହିଛି ।
ସେହିପରି ଉତ୍ତରାଖଣ୍ଡରେ ୭୦ଟି ବିଧାନସଭା ଆସନ ଥିବା ବେଳେ ଖବର ଲେଖାଯିବା ସୁଦ୍ଧା ୬୪ଟିରୁ ୩୪ଟିରେ ବିଜେପି ଆଗୁଆ ରହିଛି। କଂଗ୍ରେସ ୨୮ଟିରେ ଓ ଅନ୍ୟାନ୍ୟ ଦଳ ୨ଟି ଆସନରେ ଆଗୁଆ ରହିଛନ୍ତି।
୬୦ ବିଧାନସଭା ଆସନ ବିଶିଷ୍ଟ ମଣିପୁରରେ ବିଜେପି ଆଗରେ ଚାଲିଛି । ବିଜେପି ୨୪ ଆସନରେ ଆଗରେ ଚାଲିଥିବା ବେଳେ କଂଗ୍ରେସ ୮ଟି ଆସନରେ ଆଗୁଆ ରହିଛି। କିନ୍ତୁ ଅନ୍ୟାନ୍ୟ ଦଳ ଏଠାରେ ୧୭ଟି ଆସନରେ ଆଗୁଆ ଚାଲିଛନ୍ତି।
ଗୋଆରେ ଶାସକ ବିଜେପି ଅଳ୍ପକେ ଆଗରେ ଚାଲିଛି। ଦଳ ୧୮ଟି ଆସନରେ ଆଗରେ ଚାଲିଥିବା ବେଳେ କଂଗ୍ରେସ ମେଣ୍ଟ ୧୫, ଟିଏମ୍ସି ମେଣ୍ଟ ୪ ଓ ଅନ୍ୟାନ୍ୟ ୨ଟି ଆସନରେ ଆସନରେ ଆଗରେ ଚାଲିଛନ୍ତି।
ପଞ୍ଜାବରେ ଆପ୍ ୫୯ଟି ଆସନରେ ଆଗରେ ରହିଥିବା ବେଳେ କଂଗ୍ରେସ ୩୩, ଅକାଳୀ ମେଣ୍ଟ ୧୩ ଓ ବିଜେପି ମେଣ୍ଟ ୫ଟି ଆସନରେ ଆଗରେ ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।