ନୂଆଦିଲ୍ଲୀ: ବିଜେପି ନେତା ତଜିନ୍ଦର ପାଲ ସିଂହ ବାଗା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଦୀପାବଳିରେ ବାଣଫୁଟାକୁ ବାରଣ କରାଯାଇଥିବାରୁ ତଜିନ୍ଦର ତେରଛାବାଣ ମାରିଛନ୍ତି। ସେପଟେ କେଜ୍ରିୱାଲଙ୍କ ମନ୍ତ୍ରିମଣ୍ଡଳରେ ରାଜ କୁମାର ଆନନ୍ଦଙ୍କୁ ନୂତନ ମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଥିବାରୁ ସେ ବାଣ ଫୁଟା ଖୁସି ମନାଇଛନ୍ତି। ରାଜ କୁମାର ଆନନ୍ଦ ନିଜ ଘର ଆଗରେ ବାଣ ଫୁଟାଉଥିବା ଭିଡିଓକୁ ତଜିନ୍ଦର ପାଲ ସିଂହ ବାଗା ଟ୍ୱିଟ୍ କରି କେଜ୍ରିୱାଲ ସରକାରଙ୍କୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି ଯେ, ଦୀପାବଳିରେ ପଟାକା ଫୁଟାଇଲେ ପ୍ରଦୂଷଣ ହେବ। ଯିଏ ଫୁଟାଇବ ତାଙ୍କୁ ଜେଲ ଯିବାକୁ ପଡ଼ିବ। ହେଲେ ଆପଣଙ୍କ ଲୋକ ମନ୍ତ୍ରୀ ହେବା ଖୁସିରେ ବାଣ ଫୁଟାଇଲେ ସେଥିରୁ ଅମ୍ଲଜାନ ନିର୍ଜତ ହେବ। ଆପଣଙ୍କୁ ପ୍ରଦୂଷଣ ନୁହଁ ଦୀପାବଳି ଚିନ୍ତା ଘାରିଛି।
ଆପଣ ଜଣେ ହିନ୍ଦୁ ବିରୋଧୀ ବୋଲି ପୁଣଥରେ ପ୍ରମାଣିତ ହୋଇଛି ବୋଲି ସେ ଟ୍ୱିଟ୍ କରି ଲେଖିଛନ୍ତି। ସୂଚନା ଅନୁଯାୟୀ, ଦୀପାବଳି ପୂର୍ବରୁ ଦିଲ୍ଲୀରେ ବାଣକୁ ନେଇ ଅଧିକ କଟକଣା ଜାରି ହୋଇଛି। ପୂର୍ବରୁ ଦିଲ୍ଲୀରେ କେବଳ ବାଣ ନିଷିଦ୍ଧ କରାଯାଇଥିଲା। କିନ୍ତୁ ଏବେ ଦିଲ୍ଲୀରେ ବାଣ ଫୁଟାଇଲେ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ। ଦୀପାବଳିରେ ଯଦି କେହି ବାଣ ଫୁଟାଇବେ ତେବେ ତାଙ୍କୁ ୬ ମାସ ଜେଲ୍ ଏବଂ ୨୦୦ ଟଙ୍କା ଜରିମାନା କରାଯିବ ବୋଲି ପରିବେଶ ମନ୍ତ୍ରୀ ଗୋପାଳ ରାୟ କହିଛନ୍ତି।
https://twitter.com/TajinderBagga/status/1582819889118470145?s=20&t=4crirjBOmLW4SWUN4Wa_dw
ଦିଲ୍ଲୀରେ ବାଣ ଉତ୍ପାଦନ, ଗଚ୍ଛିତ ଏବଂ ବିକ୍ରି କଲେ ୫୦୦୦ ପର୍ଯ୍ୟନ୍ତ ଜରିମାନା ଏବଂ ୩ ବର୍ଷ ଜେଲ୍ଦଣ୍ଡ ହେବ। ଦିଲ୍ଲୀ ପ୍ରଦୂଷଣ ନିୟନ୍ତ୍ରଣ କମିଟି ଦ୍ୱାରା ୩୩ ଟିମ୍ ଗଠନ ହୋଇଛି। ଉଲ୍ଲେଖଯୋଗ୍ୟ, ସେପ୍ଟେମ୍ବରରେ ଦିଲ୍ଲୀ ସରକାର ବାଣ ବିକ୍ରି ଏବଂ ଉତ୍ପାଦନ ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଇଥିଲେ। ଜାନୁଆରି ୧ ପର୍ଯ୍ୟନ୍ତ ସହରରେ ସମସ୍ତ ପ୍ରକାରର ବାଣ ବ୍ୟବହାର, ବିକ୍ରି ଏବଂ ଉତ୍ପାଦନ ନିଷିଦ୍ଧ କରାଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।