ଶାସକ ଦଳରେ ଗଡ଼ବଡ, ମୁଖ୍ୟମନ୍ତ୍ରୀଙ୍କ ପୁଅ ନାଁରେ ବଟି ଆଦାୟ ଅଭିଯୋଗ

ବେଙ୍ଗାଲୁରୁ: ଏଥର କର୍ଣ୍ଣାଟକରେ ଶାସକ ଦଳ ଭିତରୁ ଉଠିଛି କନ୍ଦଳର ସ୍ୱର। ବିଜେପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅରୁଣ ସିଂହ କର୍ଣ୍ଣାଟକ ଗସ୍ତରେ ଥିବା ବେଳେ ବିଜେପି ଏମଏଲସି ଏ.ଏଚ ବିଶ୍ୱନାଥ ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ୟୁରପ୍ପାଙ୍କ ବିରୋଧରେ ଅସନ୍ତୋଷ ଝାଡିଛନ୍ତି। ସେ ଅରୁଣ ସିଂହଙ୍କୁ ଆହ୍ୱାନ କରି କହିଛନ୍ତି ୟେଦ୍ୟୁରପ୍ପାଙ୍କ ବିକଳ୍ପ ଭାବରେ ଆଉ କାହାକୁ ଦାୟିତ୍ୱ ଦିଆଯିବା ଦରକାର। ଯାହାକି ଦଳ ଭିତରେ ଥିବା ଅସନ୍ତୋଷକୁ ପଦାରେ ପକାଇଛି। ବିଶ୍ୱନାଥ ଆଜି ଅରୁଣ ସିଂହଙ୍କୁ ଭେଟିଥିଲେ। […]

YEDDURAPPA

Subhransu Sekhar
  • Published: Thursday, 17 June 2021
  • , Updated: 17 June 2021, 09:57 PM IST

ବେଙ୍ଗାଲୁରୁ: ଏଥର କର୍ଣ୍ଣାଟକରେ ଶାସକ ଦଳ ଭିତରୁ ଉଠିଛି କନ୍ଦଳର ସ୍ୱର। ବିଜେପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅରୁଣ ସିଂହ କର୍ଣ୍ଣାଟକ ଗସ୍ତରେ ଥିବା ବେଳେ ବିଜେପି ଏମଏଲସି ଏ.ଏଚ ବିଶ୍ୱନାଥ ମୁଖ୍ୟମନ୍ତ୍ରୀ ବିଏସ ୟେଦ୍ୟୁରପ୍ପାଙ୍କ ବିରୋଧରେ ଅସନ୍ତୋଷ ଝାଡିଛନ୍ତି। ସେ ଅରୁଣ ସିଂହଙ୍କୁ ଆହ୍ୱାନ କରି କହିଛନ୍ତି ୟେଦ୍ୟୁରପ୍ପାଙ୍କ ବିକଳ୍ପ ଭାବରେ ଆଉ କାହାକୁ ଦାୟିତ୍ୱ ଦିଆଯିବା ଦରକାର। ଯାହାକି ଦଳ ଭିତରେ ଥିବା ଅସନ୍ତୋଷକୁ ପଦାରେ ପକାଇଛି।

ବିଶ୍ୱନାଥ ଆଜି ଅରୁଣ ସିଂହଙ୍କୁ ଭେଟିଥିଲେ। ଏହାପରେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ କହିଛନ୍ତି, ମୁଖ୍ୟମନ୍ତ୍ରୀ ୟେଦ୍ୟୁରପ୍ପାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବଂ ବୟସକୁ ଦେଖିବାର ଆବଶ୍ୟକ ରହିଛି। ସରକାର ଚଳାଇବା ପାଇଁ ଯେଉଁଭଳି ଉତ୍ସାହ ରହିବା କଥା ଏବେ ସେ ଉତ୍ସାହ ତାଙ୍କ ପାଖରେ ନାହିଁ। ତେଣୁ ସରକାର ଠିକ୍ ଭାବରେ ଚାଲି ପାରୁ ନାହିଁ। ଯାହାର ପରିଣାମ ସ୍ୱରୂପ ତାଙ୍କ ପରିବାର ସରକାର ଚଳାଇବାରେ ହସ୍ତକ୍ଷେପ କରୁଛି। ଆଉ ସରକାର ଚଳାଇବା ପ୍ରକ୍ରିୟାକୁ ଖରାପ କରାଉଛି। ତେଣୁ ଜନମତ ମଧ୍ୟ ସରକାର ବିରୋଧରେ ରହିଛି ବୋଲି ଅରୁଣ ସିଂହଙ୍କୁ ବିଶ୍ୱନାଥ କହିଥିବା କହିଛନ୍ତି।

ସେ ଆହୁରି କହିଛନ୍ତି ଯେ ୟେଦ୍ୟୁରପ୍ପାଙ୍କ ପୁଅ ତଥା ବିଓ୍ୱାଇ ବିଜେୟେନ୍ଦ୍ର ଏବଂ ତାଙ୍କ ସାଙ୍ଗମାନେ ମିଶି ଚାନ୍ଦା ଉଠାଉଥିବା ଶୁଣାଯାଉଛି। ଏହା ସେ ଅରୁଣ ସିଂହଙ୍କୁ କହିଥିବା କହିଛନ୍ତି। ଚାନ୍ଦା ଉଠାଇ ଦିଲ୍ଲୀକୁ ଟଙ୍କା ପଠାଉଛନ୍ତି ବୋଲି ବିଶ୍ୱନାଥ କହିଛନ୍ତି। ହେଲେ କାହାକୁ ଓ କେଉଁ କାରଣ ପାଇଁ ଟଙ୍କା ପଠାଯାଉଛି ସେ ନେଇ ବିଶ୍ୱନାଥ ସ୍ପଷ୍ଟ ଭାବରେ କିଛି କହି ନାହାନ୍ତି। ନିକଟରେ ଜଳ ସେଚନ ପ୍ରକଳ୍ପ ପାଇଁ ୨୦ ହଜାର କୋଟିଏର ଏକ ଠିକା ଦିଆଯାଇଛି। ହେଲେ ଏଥିପାଇଁ ଆବଶ୍ୟକ ଟେଣ୍ଡର ଡକାଯାଇ ନାହିଁ ବୋଲି ସେ କହିଛନ୍ତି।

ତେବେ ବିଶ୍ୱନାଥଙ୍କ ଏହି ପ୍ରତିକ୍ରିୟା ପରେ କର୍ଣ୍ଣାଟକର ମନ୍ତ୍ରୀ ବି ଶ୍ରୀରାମୁଲୁ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ବିଶ୍ୱନାଥଙ୍କ ଅଭିଯୋଗର ସତ୍ୟତା ନାହିଁ। କଂଗ୍ରେସ ରାଜ୍ୟରେ ସରକାର ଭାଙ୍ଗିବାକୁ ଯାଇ ଷଡ଼ଯନ୍ତ୍ର କରୁଛି ବୋଲି ସେ କହିଛନ୍ତି। ସେ ଏ ନେଇ ଅରୁଣ ସିଂହଙ୍କ ସହ କଥା ହୋଇଛନ୍ତି। କଂଗ୍ରେସ ସରକାର ଭାଙ୍ଗିବା ପାଇଁ କିଭଳି ଷଡ଼ଯନ୍ତ୍ର କରୁଛି ତା'ର ପ୍ରମାଣ ସେ ଦେଇଥିବା କହିଛନ୍ତି। ଅରୁଣ ସିଂହ କହିଛନ୍ତି ୟେଦ୍ୟୁରପ୍ପା ମୁଖ୍ୟମନ୍ତ୍ରୀ। ବିଶ୍ୱନାଥଙ୍କ ମତ ବ୍ୟକ୍ତିଗତ ବୋଲି ମନ୍ତ୍ରୀ ଶ୍ରୀରାମୁଲୁ କହିଛନ୍ତି।

ସୂଚନାଯୋଗ୍ୟ, ନିକଟରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ବଦଳିବା ପରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବଦଳିବା ନେଇ ଚର୍ଚ୍ଚା ହେଉଥିଲା। ତେବେ ଏଭଳି କିଛି ନାହିଁ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ। ପରେ କିନ୍ତୁ ଦଳ ଭିତରେ ବଢୁଥିବା ଅସନ୍ତୋଷର କାରଣ ଜାଣିବା ପାଇଁ କେନ୍ଦ୍ର ବିଜେପି ଅରୁଣ ସିଂହଙ୍କୁ କର୍ଣ୍ଣାଟକ ପଠାଇଛନ୍ତି।

Related story