କେନ୍ଦ୍ରମନ୍ତ୍ରୀଙ୍କ ଗିରଫଦାରୀ ପରେ ଚିହିଁକି ଉଠିଲା ବିଜେପି, ତାଲିବାନୀ ଶାସନ କଥା ବି ଉଠାଇଲା

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ଚାପୁଡ଼ା ମାରିବା ଭଳି ବୟାନ ଦେଇ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ ଗିରଫ ହୋଇଛନ୍ତି। ଏହାକୁ ନେଇ ଏବେ ରାଜନୀତିକ ବୟାନବାଜୀ ଆରମ୍ଭ ହୋଇଯାଇଛି। ନାରାୟଣ ରାଣେଙ୍କ ଚାପୁଡ଼ା ମାରିବା ବୟାନରୁ ବିଜେପି ନିଜକୁ ଦୂରେଇ ରଖିଥିଲେ ହେଁ ଗିରଫଦାରୀକୁ ସହଜରେ ହଜମ କରିପାରିନାହିଁ। ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଗିରଫଦାରୀକୁ ସାମ୍ବିଧାନିକ ମୂଲ୍ୟବୋଧର ଉଲ୍ଲଙ୍ଘନ ବୋଲି କହିଥିବା ବେଳେ ରାଜ୍ୟ ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡନାଭିସ ତାଲିବାନ ଭଳି ଶାସନ କଥା […]

BJP

Hemant Lenka
  • Published: Tuesday, 24 August 2021
  • , Updated: 24 August 2021, 06:46 PM IST

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ଚାପୁଡ଼ା ମାରିବା ଭଳି ବୟାନ ଦେଇ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ ଗିରଫ ହୋଇଛନ୍ତି। ଏହାକୁ ନେଇ ଏବେ ରାଜନୀତିକ ବୟାନବାଜୀ ଆରମ୍ଭ ହୋଇଯାଇଛି। ନାରାୟଣ ରାଣେଙ୍କ ଚାପୁଡ଼ା ମାରିବା ବୟାନରୁ ବିଜେପି ନିଜକୁ ଦୂରେଇ ରଖିଥିଲେ ହେଁ ଗିରଫଦାରୀକୁ ସହଜରେ ହଜମ କରିପାରିନାହିଁ।

ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଗିରଫଦାରୀକୁ ସାମ୍ବିଧାନିକ ମୂଲ୍ୟବୋଧର ଉଲ୍ଲଙ୍ଘନ ବୋଲି କହିଥିବା ବେଳେ ରାଜ୍ୟ ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡନାଭିସ ତାଲିବାନ ଭଳି ଶାସନ କଥା ଉଠାଇଛନ୍ତି।

ବିଜେପିର ଜନ ଆଶୀର୍ବାଦ ଯାତ୍ରା ବେଳେ କେନ୍ଦ୍ରମନ୍ତ୍ରୀ ରାଣେ ବିବାଦୀୟ ବୟାନ ଦେଇଥିଲେ। ସେ କହିଥିଲେ ଯେ “ଜଣେ ମୁଖ୍ୟମନ୍ତ୍ରୀ ଦେଶର ସ୍ୱାଧୀନତା ବର୍ଷକୁ ମନେ ନ ରଖିବା ଲଜ୍ଜାଜନକ। ମୁଁ ଯଦି ସେ ଭାଷଣ ଦେବା ବେଳେ ମଞ୍ଚ ଉପରେ ରହିଥାଆନ୍ତି, ତା’ହେଲେ ମୁଁ ତାଙ୍କୁ ଗୋଟିଏ ଶକ୍ତ ଚାପୁଡ଼ା ମାରିଥାଆନ୍ତି।”

ଏହି ବୟାନକୁ ନେଇ ମହାରାଷ୍ଟ୍ର ରାଜନୀତି ସରଗରମ ହୋଇ ଉଠିଥିଲା। ରାଣେଙ୍କ ନାଁରେ ୩୬ଟି ଏଫଆଇଆର ରୁଜୁ ହେବା ପରେ ପୁଲିସ୍‌ ତାଙ୍କୁ ଆଜି ରତ୍ନଗିରିରୁ ଗିରଫ କରିଛି। ସେ ବିଜେପିର ଜନ ଆଶୀର୍ବାଦ ଯାତ୍ରାରେ ଯୋଗ ଦେଇ ଖାଉଥିବା ବେଳେ ପୁଲିସ୍‌ ତାଙ୍କୁ ଗିରଫ କରିଛି।

ଗିରଫଦାରୀ ପରେ ବିଜେପିର ସବୁ ନେତା ଗୋଟିଏ ସ୍ୱରରେ ମହାରାଷ୍ଟ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ବିଜେପି ନେତା ଫଡନାଭିସ କହିଛନ୍ତି, ବିଜେପି କେବେ ହେଲେ ରାଣେଙ୍କ ବୟାନକୁ ସମର୍ଥନ କରୁନାହିଁ। କିନ୍ତୁ ଦଳ ତାଙ୍କ ପଛରେ ଶତ ପ୍ରତିଶତ ରହିଛି। ରାଜନୀତିକ ଆକ୍ରୋଶ ପାଇଁ ରାଜ୍ୟ ପୁଲିସ୍‌ ଫୋର୍ସକୁ ବ୍ୟବହାର କରାଯାଉଛି। ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି କାଏମ ରଖିବା ଦରକାର। ଏଠାରେ ତାଲିବାନ ଶାସନ କେବେ ହେଲେ ଗ୍ରହଣୀୟ ନୁହେଁ। ପ୍ରତିଶୋଧ ନେବାକୁ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ସେ କହିଛନ୍ତି।

ମହାରାଷ୍ଟ୍ର ସରକାର ପ୍ରତିଶୋଧର ରାଜନୀତି କରୁଥିବାର ଅଭିଯୋଗ କରି ବିଜେପି ସଭାପତି ଜେପି ନଡ୍ଡା କହିଛନ୍ତି, “ବିଜେପି ଜନ ଆଶୀର୍ବାଦ ଯାତ୍ରାରୁ ପାଉଥିବା ଲୋକ ସମର୍ଥନ ଏମାନଙ୍କୁ ସମସ୍ୟାରେ ପକାଇଛି। ମହାରାଷ୍ଟ୍ର ସରକାର କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ଗିରଫ କରି ସମ୍ବିଧାନର ମୂଲ୍ୟବୋଧକୁ ଉଲ୍ଲଙ୍ଘନ କରିଛନ୍ତି।

ଆମେ କେବେ ହେଲେ ଏପରି କାର୍ଯ୍ୟାନୁଷ୍ଠାନରେ ଡରିବୁ ନାହିଁ କିମ୍ବା ପଛକୁ ହଟିବୁ ନାହିଁ। ଆମେ ଗଣତାନ୍ତ୍ରିକ ଉପାୟରେ ଲଢ଼େଇ କରିବୁ। ଆମର ଯାତ୍ରା ଜାରି ରହିବ।” ବିଜେପି ମୁଖପାତ୍ର ସମ୍ବିତ ପାତ୍ର ଓ କୀର୍ତ୍ତି ସୋମେୟା ମଧ୍ୟ ମହାରାଷ୍ଟ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି।

ସୂଚନାଯୋଗ୍ୟ, ଶିବସେନାରୁ ରାଜନୀତିକ କ୍ୟାରିୟର ଆରମ୍ଭ କରିଥିବା ରାଣେ ଦଳ ଛାଡ଼ିବା ପରେ ପ୍ରଥମେ କଂଗ୍ରେସ ଓ ୨୦୧୭ରେ ବିଜେପିରେ ମିଶିଥିଲେ। ନିକଟରେ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ମଧ୍ୟ ସେ ସ୍ଥାନ ପାଇଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ୨୦ ବର୍ଷ ମଧ୍ୟରେ ପ୍ରଥମ କେନ୍ଦ୍ରମନ୍ତ୍ରୀ ଭାବେ ରାଣେଙ୍କୁ ପୁଲିସ ବାନ୍ଧିଛି।

Related story