ସେପ୍ଟେମ୍ବର ୩୦ରେ ମମତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର

ନୂଆଦିଲ୍ଲୀ: ଆସନ୍ତା ୩୦ରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର। ଆଜି ନିର୍ବାଚନ କମିଶନ ପଶ୍ଚିମବଙ୍ଗର ଭବାନୀପୁର ସମେତ ସମସେରଗଞ୍ଜ ଓ ଜଙ୍ଗିପୁର ବିଧାନସଭା ଆସନ ପାଇଁ ଉପ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ଏଠାରେ ସେପ୍ଟେମ୍ବର ୩୦ରେ ଭୋଟ ଗ୍ରହଣ ହେବ ଓ ଅକ୍ଟୋବର ୩ରେ ରେଜଲ୍ଟ ପ୍ରକାଶ ପାଇଛି। ଓଡ଼ିଶାର ପିପିଲିରେ ମଧ୍ୟ ୩୦ ତାରିଖରେ ଉପ ନିର୍ବାଚନ ଅନୁଷ୍ଠିତ ହେବ ବୋଲି କମିଶନ ଘୋଷଣା କରିଛନ୍ତି। ବିଧାନସଭା ନିର୍ବାଚନ […]

Mamata

Hemant Lenka
  • Published: Saturday, 04 September 2021
  • , Updated: 04 September 2021, 02:00 PM IST

ନୂଆଦିଲ୍ଲୀ: ଆସନ୍ତା ୩୦ରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର। ଆଜି ନିର୍ବାଚନ କମିଶନ ପଶ୍ଚିମବଙ୍ଗର ଭବାନୀପୁର ସମେତ ସମସେରଗଞ୍ଜ ଓ ଜଙ୍ଗିପୁର ବିଧାନସଭା ଆସନ ପାଇଁ ଉପ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ଏଠାରେ ସେପ୍ଟେମ୍ବର ୩୦ରେ ଭୋଟ ଗ୍ରହଣ ହେବ ଓ ଅକ୍ଟୋବର ୩ରେ ରେଜଲ୍ଟ ପ୍ରକାଶ ପାଇଛି। ଓଡ଼ିଶାର ପିପିଲିରେ ମଧ୍ୟ ୩୦ ତାରିଖରେ ଉପ ନିର୍ବାଚନ ଅନୁଷ୍ଠିତ ହେବ ବୋଲି କମିଶନ ଘୋଷଣା କରିଛନ୍ତି।

ବିଧାନସଭା ନିର୍ବାଚନ ବେଳେ ମମତା ନନ୍ଦିଗ୍ରାମ ନିର୍ବାଚନରେ ଲଢ଼େଇ କରି ହାରି ଯାଇଥିଲେ। ଏହାସତ୍ତ୍ୱେ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ନିୟମ ଅନୁସାରେ ତାଙ୍କୁ ଏହି ପଦ ବଜାୟ ରଖିବାକୁ ହେଲେ ୬ ମାସ ମଧ୍ୟରେ ବିଧାନସଭାକୁ ନିର୍ବାଚିତ ହେବାକୁ ପଡ଼ିବ।

କିନ୍ତୁ ମହାମାରୀ କରୋନା ଯୋଗୁ ଉପ ନିର୍ବାଚନ ଅନୁଷ୍ଠିତ ହେବା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। କିନ୍ତୁ ଆଜି ଭାରତୀୟ ନିର୍ବାଚନ କମିଶନ ପଶ୍ଚିମବଙ୍ଗର ୩ ବିଧାନସଭା ଆସନ ପାଇଁ ଉପ ନିର୍ବାଚନର ତାରିଖ ଘୋଷଣା କରିଛନ୍ତି। ଏହା ମଧ୍ୟରେ ଭବାନୀପୁର ମଧ୍ୟ ରହିଛି।

ଏହି ଆସନରୁ ହିଁ ମମତା ଉପ ନିର୍ବାଚନ ଲଢ଼ିବେ। ସେ କ୍ରମାଗତ ଭାବେ ଏହି ଆସନରୁ ପ୍ରାର୍ଥୀ ହେଉଥିଲେ। କିନ୍ତୁ ଏପ୍ରିଲ-ମେ’ ମାସରେ ଅନୁଷ୍ଠିତ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ବେଳେ ସେ ବିଜେପିର ଶୁଭେନ୍ଦୁ ଅଧିକାରୀଙ୍କୁ ଟକ୍କର ଦେବାକୁ ନନ୍ଦିଗ୍ରାମରୁ ପ୍ରାର୍ଥୀ ହୋଇଥିଲେ। ଏଠାରେ ତାଙ୍କୁ ହାରିବାକୁ ପଡ଼ିଥିଲା। ଏହାପରେ ଭବାନୀପୁର ଆସନରେ ଜିତିଥିବା ଟିଏମସି ପ୍ରାର୍ଥୀ ଦିଦିଙ୍କ ପାଇଁ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ। ସେବେଠାରୁ ଏହା ଖାଲି ପଡ଼ିଛି।

କମିଶନଙ୍କ ପକ୍ଷରୁ ଜାରି ପ୍ରେସ୍‌ ରିଲିଜରେ କୁହାଯାଇଛି ଯେ ଉପ ନିର୍ବାଚନର ତାରିଖ ଘୋଷଣା କରାଯିବା ପୂର୍ବରୁ ବିଭିନ୍ନ ରାଜ୍ୟର ମୁଖ୍ୟ ଶାସନ ସଚିବମାନଙ୍କ ସହ ଆଲୋଚନା କରାଯାଇଥିଲା। କରୋନା ସଂକ୍ରମଣ ନିୟନ୍ତ୍ରଣାଧୀନ ଥିବା ସେମାନେ କହିବା ପରେ ପଶ୍ଚିମବଙ୍ଗର ୩ ଓ ପିପିଲି ଉପ ନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି।

ପଶ୍ଚିମବଙ୍ଗର ମୁଖ୍ୟ ସଚିବ ଭବାନୀପୁର ଆସନରେ ସ୍ୱତନ୍ତ୍ର ଭାବେ ଉପ ନିର୍ବାଚନ କରିବାକୁ ଅନୁରୋଧ କରିଥିଲେ। କାରଣ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ମମତା ବାନାର୍ଜୀଙ୍କ ୬ ମାସର କାର୍ଯ୍ୟକାଳ ଏଠାରେ ଶେଷ ହେବାକୁ ଯାଉଛି। ମମତା ବାନାର୍ଜୀ ଭବାନୀପୁର ଆସନରୁ ପ୍ରାର୍ଥୀ ହୋଇ ବିଧାନସଭାକୁ ଯିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ତେଣୁ ତାଙ୍କ ଅନୁରୋଧକୁ ରକ୍ଷା କରି ଭବାନୀପୁର ଆସନରେ ଉପ ନିର୍ବାଚନ କରାଯାଉଛି।

ତେବେ ବିଭିନ୍ନ ରାଜ୍ୟରେ ଖାଲି ପଡ଼ିଥିବା ଅନ୍ୟ ୩୧ଟି ବିଧାନସଭା ଆସନ ଓ ୩ଟି ସଂସଦୀୟ କ୍ଷେତ୍ରରେ ଏବେ ନିର୍ବାଚନ ହେବନି। ବର୍ତ୍ତମାନ କେବଳ ୪ଟି ଆସନରେ ଉପ ନିର୍ବାଚନ ହେବ ବୋଲି କମିଶନ କହିଛନ୍ତି।

କମିଶନଙ୍କ ବିଜ୍ଞପ୍ତି ଅନୁସାରେ, ଉପ ନିର୍ବାଚନ ଅନୁଷ୍ଠିତ ହୋଇଥିବା ଆସନଗୁଡ଼ିକରେ ଆଜିଠାରୁ ହିଁ ଆଚରଣ ବିଧି ଲାଗୁ ହୋଇଛି। ଉପ ନିର୍ବାଚନ ପାଇଁ ଗେଜେଟ ନୋଟିଫିକେସନ ୬ ତାରିଖରେ ପ୍ରକାଶ ପାଇବ। ନାମାଙ୍କନ ଦାଖଲର ଶେଷ ତାରିଖ ହେଉଛି ୧୩ ତାରିଖ।

୧୪ ତାରିଖରେ ଯାଞ୍ଚ ଓ ନାମାଙ୍କନ ପ୍ରତ୍ୟାହାର କରିବାର ଶେଷ ତାରିଖ ହେଉଛି ସେପ୍ଟେମ୍ବର ୧୬। ୩୦ ତାରିଖରେ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ଅକ୍ଟୋବର ୩ରେ ରେଜଲ୍ଟ ବାହାରିବ। ଅକ୍ଟୋବର ୫ ସୁଦ୍ଧା ସମସ୍ତ ନିର୍ବାଚନ ପ୍ରକ୍ରିୟା ଶେଷ ହେବ।

ପୂରା ନିର୍ବାଚନ ପ୍ରକ୍ରିୟା କୋଭିଡ ପ୍ରୋଟକଲ ମଧ୍ୟରେ ହେବ। ପ୍ରଚାର ବେଳେ ରାଜନୀତିକ ଦଳଗୁଡ଼ିକ ରେଜିଷ୍ଟରର ବ୍ୟବହାର କରିବେ। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ବେଳେ ସବୁ ରାଜନୀତିକ ଦଳ କୋଭିଡ କଟକଣାକୁ ଉଲ୍ଲଙ୍ଘନ କରିଥିଲେ। ତଥାପି ନିର୍ବାଚନ କମିଶନ ଚୁପ୍‌ ଥିବାରୁ ବିଭିନ୍ନ ମହଲରେ ସମାଲୋଚନାର ଶିକାର ହୋଇଥିଲେ। ଏଥିପାଇଁ ଏଥର କମିଶନ ସବୁ ରାଜନୀତିକ ଦଳକୁ ନିୟମକୁ କାକଡ଼ି ଭାବେ ପାଳନ କରିବାକୁ କହିଛନ୍ତି।

Related story