ଆଇଟି ହାର୍ଡଓୟାର କ୍ଷେତ୍ରରେ ପିଏଲ୍‍ଆଇ ସ୍କିମ୍‍ ଲାଗୁ ପ୍ରସ୍ତାବକୁ କ୍ୟାବିନେଟ ମୋହର

ନୂଆଦିଲ୍ଲୀ: ଆଜି କେନ୍ଦ୍ର କ୍ୟାବିନେଟ୍ ଆଇଟି ହାର୍ଡଓୟାର କ୍ଷେତ୍ର ପାଇଁ ଉତ୍ପାଦନଭିତ୍ତିକ ପ୍ରୋତ୍ସାହନ ବା ପିଏଲ୍‍ଆଇ ଯୋଜନା ଲାଗୁ କରିବା ସଂକ୍ରାନ୍ତ ପ୍ରସ୍ତାବ ଅନୁମୋଦନ ଦେଇଛି। ଘରୋଇ କ୍ଷେତ୍ରରେ ବି ନିର୍ମାଣ ଶିଳ୍ପକୁ ପ୍ରୋତ୍ସାହିତ କରିବା ସହ ଆଇଟି ହାର୍ଡଓୟାର କ୍ଷେତ୍ରରେ ଅଧିକରୁ ଅଧିକ ପୁଞ୍ଜି ନିବେଶକୁ ଆକର୍ଷିତ କରିବାକୁ ଏହି ପଦକ୍ଷେପ ନିଆଯାଇଛି । ଏହି ଯୋଜନାରେ ଲାପ୍‍ଟ୍ୟାପ, ଟାବଲେଟ୍ସ, ଅଲ୍‍ ଇନ୍‍ ୱାନ୍‍ ପିସି ଏବଂ ସର୍ଭରକୁ ଅନ୍ତର୍ଭୁକ୍ତ କରାଯାଇଛି । ଏହି ଯୋଜନାରେ […]

PLI-FOR-IT-SECTOR

Subhransu Sekhar
  • Published: Wednesday, 24 February 2021
  • , Updated: 24 February 2021, 10:17 PM IST

ନୂଆଦିଲ୍ଲୀ: ଆଜି କେନ୍ଦ୍ର କ୍ୟାବିନେଟ୍ ଆଇଟି ହାର୍ଡଓୟାର କ୍ଷେତ୍ର ପାଇଁ ଉତ୍ପାଦନଭିତ୍ତିକ ପ୍ରୋତ୍ସାହନ ବା ପିଏଲ୍‍ଆଇ ଯୋଜନା ଲାଗୁ କରିବା ସଂକ୍ରାନ୍ତ ପ୍ରସ୍ତାବ ଅନୁମୋଦନ ଦେଇଛି। ଘରୋଇ କ୍ଷେତ୍ରରେ ବି ନିର୍ମାଣ ଶିଳ୍ପକୁ ପ୍ରୋତ୍ସାହିତ କରିବା ସହ ଆଇଟି ହାର୍ଡଓୟାର କ୍ଷେତ୍ରରେ ଅଧିକରୁ ଅଧିକ ପୁଞ୍ଜି ନିବେଶକୁ ଆକର୍ଷିତ କରିବାକୁ ଏହି ପଦକ୍ଷେପ ନିଆଯାଇଛି । ଏହି ଯୋଜନାରେ ଲାପ୍‍ଟ୍ୟାପ, ଟାବଲେଟ୍ସ, ଅଲ୍‍ ଇନ୍‍ ୱାନ୍‍ ପିସି ଏବଂ ସର୍ଭରକୁ ଅନ୍ତର୍ଭୁକ୍ତ କରାଯାଇଛି । ଏହି ଯୋଜନାରେ ୨୦୧୯-୨୦ ମୂଳ ବର୍ଷ ହିସାବରେ ଉତ୍ପାଦିତ ସାମଗ୍ରୀ ବିକ୍ରି ଉପରେ ୪ ଶତାଂଶରୁ ୨ ଶତାଂଶ ପର୍ଯ୍ୟନ୍ତ କ୍ରମହ୍ରାସମାନ ଭିତ୍ତିରେ ପ୍ରୋତ୍ସାହନ ଯୋଗାଇ ଦିଆଯିବ । ଯୋଗ୍ୟ କଂପାନୀଗୁଡିକୁ ୪ ବର୍ଷ ପାଇଁ ଏହି ସୁବିଧା ମିଳିବ। ଏହି ଯୋଜନାରେ ୫ଟି ବିଶ୍ୱସ୍ତରୀୟ କଂପାନୀ ଏବଂ ୧୦ଟି ଘରୋଇ ଅଗ୍ରଣୀ କଂପାନୀ ଉପକୃତ ହେବେ। ଏହିସବୁ କଂପାନୀ ଆଇଟି ହାର୍ଡଓୟାର ଏବଂ ଲାପଟ୍ୟାପ, ଟାବଲେଟ୍ସ, ଅନ୍‍ ଇନ୍‍ ୱାନ ପିସି ଓ ସର୍ଭର ଉତ୍ପାଦନରେ ବିଶେଷ ଦକ୍ଷତା ଅର୍ଜନ କରିଛନ୍ତି । ଏହିସବୁ ସାମଗ୍ରୀର ଚାହିଦା ଦେଶରେ ଅଧିକ ଥିବାରୁ ବିଦେଶରୁ ଏହାକୁ ବିପୁଳ ପରିମାଣରେ ଆମଦାନୀ କରାଯାଉଛି। ତେଣୁ ଏହି ବଜାର ଚାହିଦା ଦୃଷ୍ଟିରୁ ଦେଶ ଭିତରେ ଏହାକୁ ତିଆରି କରିବା ପାଇଁ ଆତ୍ମନିର୍ଭର ଭାରତ ଅଧୀନରେ ଏହାକୁ ରଖାଯାଇଛି।

ଏହି ପ୍ରସ୍ତାବିତ ଯୋଜନାର ମୋଟ ବ୍ୟୟ ୪ ବର୍ଷ ପାଇଁ ପ୍ରାୟ ୭୩୫୦ କୋଟି ଟଙ୍କା । ଏଥିରେ ୭୩୨୫ କୋଟି ଟଙ୍କାର ପ୍ରୋତ୍ସାହନ ରାଶି ଏବଂ ୨୫ କୋଟି ଟଙ୍କାର ପ୍ରଶାସନିକ ଖର୍ଚ୍ଚ ଅନ୍ତର୍ଭୁକ୍ତ। ଏହି ଯୋଜନାରେ ଦେଶରେ ଇଲେକ୍‍ଟ୍ରୋନିକ ଇକୋ ସିଷ୍ଟମର ବିକାଶ ଘଟିବ । ଏହାଛଡା ଭାରତ ଇଲେକ୍‍ଟ୍ରୋନିକ୍ସ ସିଷ୍ଟମ ଡିଜାଇନ ଓ ଉତ୍ପାଦନର ଏକ ପ୍ରମୁଖ ହବ୍‍ଭାବେ ପରିଣତ ହେବ । ଏହାଛଡା ଏ କ୍ଷେତ୍ରରେ ଭାରତ ବିଶ୍ୱର ଯୋଗାଣ ଜଞ୍ଜିରରେ ସାମିଲ ହୋଇପାରିବ। ସର୍ବୋପରି ଏହାଦ୍ୱାରା ଭାରତ ଆଇଟି ହାର୍ଡଓୟାର ରପ୍ତାନୀର ଲକ୍ଷ୍ୟସ୍ଥଳରେ ପରିଣତ ହୋଇପାରିବ। ଏହି ଯୋଜନାରେ ଆସନ୍ତା ୪ ବର୍ଷ ମଧ୍ୟରେ ୧ ଲକ୍ଷ ୮୦ ହଜାର ପ୍ରତ୍ୟକ୍ଷ ଓ ପରୋକ୍ଷ କର୍ମନିଯୁକ୍ତି ସୃଷ୍ଟି କରାଯାଇପାରିବ । ଆହୁରି ମଧ୍ୟ ଦେଶର ଆଇଟି ହାର୍ଡଓୟାର କ୍ଷେତ୍ର ୨୦୨୫ ସୁଦ୍ଧା ଶତକଡା ୨୦ରୁ ୨୫ ହାରରେ ବୃଦ୍ଧି ପାଇବ।

ଭାରତକୁ ବିଶ୍ୱର ଇଲେକ୍‍ଟ୍ରୋନିକ ସିଷ୍ଟମ ଡିଜାଇନ ମ୍ୟାନୁଫାକ୍‍ଚରିଂ ହବ୍‍ରେ ପରିଣତ କରିବା ପାଇଁ ୨୦୧୯ ଜାତୀୟ ଇଲେକ୍‍ଟ୍ରୋନିକ୍ସ ନୀତିରେ ଘୋଷଣା କରାଯାଇଥିଲା । ଭାରତରେ ଆବଶ୍ୟକ ଭିତ୍ତିଭୂମି ଓ ଅନୁକୂଳ ପରିବେଶ ରହିଥିବାରୁ ଏହି ଉଦ୍ୟୋଗକୁ ପ୍ରୋତ୍ସାହିତ କରି ବିଶ୍ୱସ୍ତରରେ ପ୍ରତିଯୋଗିତା କରିବାର ସିଦ୍ଧାନ୍ତ ନିଆଯାଇଥିଲା । ଏବେ ଭାରତର ଲାପଟ୍ୟାପ ଓ ଟାବ୍‍ଲେଟ ଚାହିଦା ପୂରଣ କରିବା ପାଇଁ ମୁଖ୍ୟତଃ ଆମଦାନୀ ଉପରେ ନିର୍ଭର କରିବାକୁ ପଡୁଛି । ୨୦୧୯-୨୦ରେ ଭାରତ ୪.୨୧ ବିଲିୟନ ଡଲାର ମୂଲ୍ୟର ଲାପଟପ୍‍ ଓ ୦.୪୧ ବିଲିୟନ ଡଲାର ମୂଲ୍ୟର ଟାବଲେଟ ଆମଦାନୀ କରିଥିଲା । ବିଶ୍ୱରେ ୬/୭ଟି କଂପାନୀ ଆଇଟି ହାର୍ଡଓୟାର ବଜାରକୁ ନିଜ ଦଖଲରେ ରଖିଛନ୍ତି । ବିଶ୍ୱ ବଜାରର ୭୦ ଭାଗ ଅଂଶ ସେମାନଙ୍କ ନିୟନ୍ତ୍ରଣରେ ରହିଛି । ଏହିସବୁ କଂପାନୀ ଭାରତରେ ସେମାନଙ୍କ ଉଦ୍ୟୋଗ ଖୋଲିଲେ ଦେଶ ଏସବୁରେ ଆତ୍ମନିର୍ଭର ହେବା ସହ ମେକ୍‍ ଇନ୍‍ ଇଣ୍ଡିଆ କାର୍ଯ୍ୟକ୍ରମ ମଧ୍ୟ ସଫଳ ହୋଇପାରିବ। ସୂଚନାଯୋଗ୍ୟ, ଔଷଧପତ୍ର କ୍ଷେତ୍ର ବା ଫାର୍ମାସ୍ୟୁଟିକାଲ ଉଦ୍ୟୋଗକୁ ମଧ୍ୟ ଆଗକୁ ବଢ଼ାଇବା ପାଇଁ ଉତ୍ପାଦନଭିତ୍ତିକ ପ୍ରୋତ୍ସାହନ ଯୋଜନା ବା ପିଏଲ୍‍ଆଇକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ ଦେଇଛି।

Related story