ବୋଲବମ୍‌ ଯାତ୍ରାକୁ ସୁପ୍ରିମକୋର୍ଟଙ୍କ ନା, ‘ବନ୍ଦ କର ନହେଲେ ଆଦେଶ ଦେବୁ’

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ ଓ ଜୀବନ ଧାରଣର ଅଧିକାର ସର୍ବୋପରି। ଆଜି ଏପରି ବୟାନ ଦେଇ ସୁପ୍ରିମକୋର୍ଟ ଉତ୍ତର ପ୍ରଦେଶ ସରକାରଙ୍କୁ ସୋମବାର ସୁଦ୍ଧା ବୋଲବମ ବା କାଉଡ଼ି ଯାତ୍ରା ଆୟୋଜନ କରିବାକୁ ନେଇଥିବା ନିଷ୍ପତ୍ତିର ପୁନର୍ବିଚାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମହାମାରୀ କରୋନା ସଂକ୍ରମଣ ବ୍ୟାପୁଥିବାର ବେଳେ ଉତ୍ତର ପ୍ରଦେଶ ସରକାର କାଉଡ଼ି ଯାତ୍ରାକୁ ଅନୁମତି ଦେଇଥିଲେ। ଏହାର ଶୁଣାଣି କରି ସୁପ୍ରିମକୋର୍ଟ ଆଜି କଡ଼ା ଟିପ୍ପଣୀ ଦେଇଛନ୍ତି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଆରଏଫ ନରିମାନ କହିଛନ୍ତି, […]

Kanwar

Hemant Lenka
  • Published: Friday, 16 July 2021
  • , Updated: 16 July 2021, 05:28 PM IST

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ ଓ ଜୀବନ ଧାରଣର ଅଧିକାର ସର୍ବୋପରି। ଆଜି ଏପରି ବୟାନ ଦେଇ ସୁପ୍ରିମକୋର୍ଟ ଉତ୍ତର ପ୍ରଦେଶ ସରକାରଙ୍କୁ ସୋମବାର ସୁଦ୍ଧା ବୋଲବମ ବା କାଉଡ଼ି ଯାତ୍ରା ଆୟୋଜନ କରିବାକୁ ନେଇଥିବା ନିଷ୍ପତ୍ତିର ପୁନର୍ବିଚାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମହାମାରୀ କରୋନା ସଂକ୍ରମଣ ବ୍ୟାପୁଥିବାର ବେଳେ ଉତ୍ତର ପ୍ରଦେଶ ସରକାର କାଉଡ଼ି ଯାତ୍ରାକୁ ଅନୁମତି ଦେଇଥିଲେ। ଏହାର ଶୁଣାଣି କରି ସୁପ୍ରିମକୋର୍ଟ ଆଜି କଡ଼ା ଟିପ୍ପଣୀ ଦେଇଛନ୍ତି।

ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଆରଏଫ ନରିମାନ କହିଛନ୍ତି, “ଆମେ ସମସ୍ତେ ଭାରତର ନାଗରିକ। ଧାରା-୨୧ରେ ଥିବା ଜୀବନ ଧାରଣ ଅଧିକାର ସମସ୍ତଙ୍କର ରହିଛି। ଉତ୍ତର ପ୍ରଦେଶ କେବେ ହେଲେ ଫିଜିକାଲ ବା ଲୋକଙ୍କୁ ନେଇ କାଉଡ଼ି ଯାତ୍ରା କରିପାରିବ ନାହିଁ। କେବେ ହେଲେ କାଉଡ଼ି ଯାତ୍ରା କରାଯାଇ ପାରିବନି।”

ମାମଲାର ଶୁଣାଣିକୁ ସୋମବାରକୁ ଘୁଞ୍ଚାଇ କୋର୍ଟ କହିଛନ୍ତି, ଆମେ ରାଜ୍ୟ ସରକାରଙ୍କୁ ଆଉ ଗୋଟିଏ ସୁଯୋଗ ଦେଉଛୁ। ସେ ତାଙ୍କ ନିଷ୍ପତ୍ତିର ପୁନର୍ବିଚାର କରନ୍ତୁ। ଯଦି ସେମିତି କିଛି ନ ହେବ, ତା’ହେଲେ କୋର୍ଟ ନିର୍ଦ୍ଦେଶ ଜାରି କରିବେ।

ଜଷ୍ଟିସ ନରିମାନ ଓ ଜଷ୍ଟିସ ବିଆର ଗାଭାଇଙ୍କ ଖଣ୍ଡପୀଠ କହିଛନ୍ତି, “ଆମେ କେବେ ହେଲେ କାଉଡ଼ି ଯାତ୍ରାକୁ ଅନୁମତି ଦେଇ ପାରିବୁ ନାହିଁ। ୧୦୦ ପ୍ରତିଶତ। ୟୁପି ସରକାର ଯାତ୍ରାକୁ ସଂପୂର୍ଣ୍ଣ ବନ୍ଦ କରିବାକୁ ବିଚାର କରନ୍ତୁ। ଭାରତୀୟଙ୍କ ସ୍ୱାସ୍ଥ୍ୟ ଓ ଜୀବନ ଧାରଣ ଅଧିକାର ସର୍ବୋପରି। ଅନ୍ୟ ସବୁ ଭାବାବେଗ ମୂଳ ମୌଳିକ ଅଧିକାର ମଧ୍ୟରେ ଆସୁଛି। ତେଣୁ ସରକାର କାଉଡ଼ି ଯାତ୍ରା ଆୟୋଜନ ଉପରେ ବିଚାର କରନ୍ତୁ।”

ଶୁଣାଣି ବେଳେ ଉତ୍ତର ପ୍ରଦେଶ ସରକାର କହିଥିଲେ ଯେ ଆମେ ପ୍ରତୀକାତ୍ମକ ଭାବେ ଏହି ଯାତ୍ରାକୁ ଆୟୋଜନ କରିବୁ। କେବଳ ଟିକାର ଦୁଇଟି ଯାକ ଡୋଜ୍‌ ନେଇଥିବା ଲୋକଙ୍କୁ ଯାତ୍ରାରେ ସାମିଲ ହେବାକୁ ଅନୁମତି ମିଳିବ। ଗଙ୍ଗାଜଳ ବିଭିନ୍ନ ସ୍ଥାନରେ ଟ୍ୟାଙ୍କରେ ରଖାଯିବ। ଏଥିପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା ହୋଇଥିବା ସରକାର କହିଥିଲେ।

କାଉଡ଼ି ଯାତ୍ରାକୁ କେନ୍ଦ୍ର ସରକାର ବିରୋଧ କରିନାହାନ୍ତି। କିନ୍ତୁ କେନ୍ଦ୍ର ସରକାର ଧାର୍ମିକ ଭାବାବେଗ କଥା କୋର୍ଟଙ୍କୁ ଅବଗତ କରାଇଛନ୍ତି। କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଏହା ଏକ ପୁରାତନ ପରମ୍ପରା। ରାଜ୍ୟଗୁଡ଼ିକ ଧାର୍ମିକ ଭାବନାକୁ ସମ୍ମାନ ଜଣାଇ ପବିତ୍ର ଗଙ୍ଗାଜଳ ଟ୍ୟାଙ୍କରରେ କେମିତି ଉପଲବ୍ଧ ହୋଇପାରିବ, ତା’ର ବ୍ୟବସ୍ଥା କରିବା ଦରକାର। ରାଜ୍ୟଗୁଡ଼ିକ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଗଙ୍ଗାଜଳ ବାଣ୍ଟିବାର ବ୍ୟବସ୍ଥା କରନ୍ତୁ। ଏହି ସମୟରେ ସାମାଜିକ ଦୂରତା ଓ ଅନ୍ୟାନ୍ୟ କଟକଣାକୁ କଡ଼ାକଡ଼ି ଭାବେ କରିବା ଉଚିତ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।

ସୂଚନା ଅନୁଯାୟୀ, ଗତ ବର୍ଷ ମହାମାରୀ କରୋନା ସଂକ୍ରମଣ କାଉଡ଼ି ଯାତ୍ରାକୁ ବନ୍ଦ କରାଯାଇଥିଲା।

Related story