ରାଜ୍ୟରେ ବଢ଼ୁଛି କରୋନାର ‘R’ ଫ୍ୟାକ୍ଟର, ସତର୍କ ସୂଚନା ଜାରି କଲା କେନ୍ଦ୍ର

ନୂଆଦିଲ୍ଲୀ: ମହାମାରୀ କରୋନାର ‘R’ ଫ୍ୟାକ୍ଟର ଅନେକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ବଢ଼ୁଥିବାରୁ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି କେନ୍ଦ୍ର ସରକାର। ଏଥିପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏଥିସହ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରମାନଙ୍କୁ ସଂକ୍ରମଣ ରୋକିବା ପାଇଁ ଜାରି କଟକଣାକୁ ଲୋକମାନେ କେମିତି କଡ଼ାକଡ଼ି ଭାବେ ପାଳନ କରିବେ, ସେ ଦିଗରେ ଦୃଷ୍ଟି ଦେବାକୁ କୁହାଯାଇଛି। ସେହିପରି କିଛି ସ୍ଥାନରେ ଜମୁଥିବା ଭିଡ଼କୁ ତୁରନ୍ତ ନିୟନ୍ତ୍ରଣ […]

R-factor

Hemant Lenka
  • Published: Wednesday, 14 July 2021
  • , Updated: 14 July 2021, 06:22 PM IST

ନୂଆଦିଲ୍ଲୀ: ମହାମାରୀ କରୋନାର ‘R’ ଫ୍ୟାକ୍ଟର ଅନେକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ବଢ଼ୁଥିବାରୁ ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି କେନ୍ଦ୍ର ସରକାର। ଏଥିପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏଥିସହ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରମାନଙ୍କୁ ସଂକ୍ରମଣ ରୋକିବା ପାଇଁ ଜାରି କଟକଣାକୁ ଲୋକମାନେ କେମିତି କଡ଼ାକଡ଼ି ଭାବେ ପାଳନ କରିବେ, ସେ ଦିଗରେ ଦୃଷ୍ଟି ଦେବାକୁ କୁହାଯାଇଛି।

ସେହିପରି କିଛି ସ୍ଥାନରେ ଜମୁଥିବା ଭିଡ଼କୁ ତୁରନ୍ତ ନିୟନ୍ତ୍ରଣ କରିବାକୁ ମଧ୍ୟ ଏଥିରେ ପରାମର୍ଶ ଦିଆଯାଇଛି। ବୁଧବାର ଦେଶରେ କରୋନାର ୩୮,୭୯୨ ନୂଆ ମାମଲା ରିପୋର୍ଟ ହୋଇଛି। ମଙ୍ଗଳବାର ତୁଳନାରେ ଏହା ୨୩% ଅଧିକ।

ବିଶେଷ କରି ଉତ୍ତରପୂର୍ବ ରାଜ୍ୟଗୁଡ଼ିକରେ ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଥିବାରୁ ସମସ୍ତଙ୍କ ଚିନ୍ତା ବଢ଼ି ଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ମଙ୍ଗଳବାର ନର୍ଥଇଷ୍ଟର ୮ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରି ସ୍ଥିତିର ସମୀକ୍ଷା କରିଥିଲେ।

ଆଜି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ରାଜ୍ୟମାନଙ୍କୁ ଚିଠି ଲେଖି କହିଛି ଯେ କିଛି ରାଜ୍ୟରେ କୋଭିଡ-୧୯ ପ୍ରୋଟକଲକୁ ଖୋଲାଖୋଲି ଉଲ୍ଲଘଂନ କରାଯାଉଛି। ବିଶେଷ କରି ସରକାରୀ ଯାନବାହାନ ଓ ପାହାଡ଼ି ଅଞ୍ଚଳରେ ଏହାର ଧଜିଆ ଉଡ଼ୁଛି। କିଛି ରାଜ୍ୟରେ କ୍ରମାଗତ ଭାବେ ଆର୍‌ ଫ୍ୟାକ୍ଟର ବୃଦ୍ଧି ପାଇବା ଚିନ୍ତାର ବିଷୟ।

ଆର ଫ୍ୟାକ୍ଟର ୧.୦ ଉପରେ ରହୁଥିବାରୁ ସଂକ୍ରମଣ କେତେ ଅଧିକ ବେଗରେ ବ୍ୟାପିଛୁ, ତାହା ସ୍ପଷ୍ଟ ଜଣାପଡ଼ୁଛି। ତେଣୁ କଟକଣାକୁ କାର୍ଯ୍ୟକାରୀ କରିବା ଦାୟିତ୍ୱରେ ଥିବା ଅଧିକାରୀମାନେ ଏହାକୁ ଗୁରୁତ୍ୱର ସହ ନେବା ଦରକାର। ଗହଳୀ ହେଉଥିବା ମଲ, ଦୋକାନ, ମାର୍କେଟ, ବାର, ଷ୍ଟାଡିୟମ ଓ ରେଷ୍ଟୁରାଣ୍ଟ ଭଳି ସ୍ଥାନରେ ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯାଉ।

ସେହିପରି ହଟସ୍ପଟ ଅଞ୍ଚଳ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରି ସଂକ୍ରମଣକୁ ରୋକିବା ପାଇଁ ପଦକ୍ଷେପ ନିଅନ୍ତୁ। ବର୍ତ୍ତମାନ କରୋନାର ଦ୍ୱିତୀୟ ୱେଭ ସଂପୂର୍ଣ୍ଣ ଭାବେ ଶେଷ ହୋଇନାହିଁ। ଆମ ସମସ୍ତଙ୍କୁ ମନେ ରଖିବାକୁ ହେବ ଯେ ଟିକାକରଣର ବେଗ ବଢ଼ିଛି ସତ, ହେଲେ ନିୟମ ଉଲ୍ଲଙ୍ଘନ ପାଇଁ କୌଣସି ସ୍ଥାନ ନାହିଁ।

ଆମକୁ ସତର୍କ ରହିବା ସହ କଟକଣାକୁ ମାନିବାକୁ ପଡ଼ିବ। ଏହାଦ୍ୱାରା ହିଁ ପଜିଟିଭିଟି ରେଟ୍‌ ହ୍ରାସ ପାଇପାରିବ। ଯେଉଁଠି ପଜିଟିଭିଟି ରେଟ୍‌ କମ ରହିଛି, ସେଠାରେ ଭବିଷ୍ୟତରେ ଯେମିତି ଏହା ନ ବଢ଼ିବ, ତା’ର ବ୍ୟବସ୍ଥା କରାଯିବା ଦରକାର ବୋଲି ମନ୍ତ୍ରଣାଳୟ କହିଛି।

ସୂଚନାଯୋଗ୍ୟ, ଆର ଫ୍ୟାକ୍ଟର ହେଉଛି ଜଣେ ସଂକ୍ରମିତଙ୍କ ଠାରୁ କେତେ ଜଣ ଭାଇରସ ଦ୍ୱାରା ଆକ୍ରାନ୍ତ ହେଉଛନ୍ତି। ଆର ୧ର ଅର୍ଥ ଜଣେ ସଂକ୍ରମିତ ବ୍ୟକ୍ତି ଆଉ ଜଣଙ୍କୁ ସଂକ୍ରମିତ କରୁଛନ୍ତି। ମହାମାରୀ ସମୟରେ ସମସ୍ତେ ଆର ଫ୍ୟାକ୍ଟରକୁ ୧ରୁ ତଳକୁ ରଖିବାକୁ ଚେଷ୍ଟା କରନ୍ତି।

ଯେତେବେଳେ ଦେଶରେ ଦୈନିକ ୪ ଲକ୍ଷ ସଂକ୍ରମିତ ଚିହ୍ନଟ ହେଉଥିଲେ ସେତେବେଳେ ଆର ପ୍ୟାକ୍ଟର ୧.୩୨ ରହିଥିଲା। ଏହାପରେ ଏହା ହ୍ରାସ ପାଇଥିଲା। ଏପରି କି ଏକଦା ଆର ଫ୍ୟାକ୍ଟର ୦.୭୪ ହୋଇଯାଇଥିଲା। କିନ୍ତୁ ଏବେ ଏହା ବଢ଼ିବାରେ ଲାଗିଛି।

Related story