ଫେରିବାଲାଙ୍କୁ ମାଡ଼ି ବସିଲା ଭାଲୁ, ୩ ଆହତ

ଚେନ୍ନାଇ: ଫେରିବାଲାଙ୍କ ଉପରେ ମାଡ଼ିଗଲା ଭାଲୁ। ଏହି ହିଂସ୍ର ଯନ୍ତୁ ଆକ୍ରମଣରେ ୩ ଜଣ ଆହତ ହୋଇଛନ୍ତି। ଭାଲୁ ଆକ୍ରମଣ ବେଳର ଭିଡିଓ ଭାଇରାଲ ହେବାରେ ଲାଗିଛି। ଶନିବାର ତାମିଲନାଡୁର ତେନକାଶୀ ଜିଲ୍ଲା ଅନ୍ତର୍ଗତ ଅରଣ୍ୟାଞ୍ଚଳରେ ଏହି ଘଟଣା ଘଟିଛି।  ଜଣେ ବ୍ୟକ୍ତି ଦୁଇ ଚକିଆ ଯାନରେ ମସାଲା ପ୍ୟାକେଟ୍ ନେଇ ଯାଉଥିବା ବେଳେ ହଠାତ୍‌ ଭାଲୁଟି ଆକ୍ରମଣ କରିଥିଲା। ଭାଲୁଟି ସମ୍ପୃକ୍ତ ବ୍ୟକ୍ତିକୁ ଭୂଇଁରେ ଗଡ଼ାଇ ଅତ୍ୟନ୍ତ ଭୟଙ୍କର ଭାବେ ଆମ୍ପୁଡ଼ି ଥିଲା। କାରୁତିଲିଙ୍ଗପୁରମ୍‌ର ଫେରି ବ୍ୟବସାୟୀ ବୈଗୁଣ୍ଡାମଣି ବାଇକ୍‌ରେ ମସଲା ପ୍ୟାକେଟ୍‌ ନେଇ ଶିବଶୈଳମ୍‌ରୁ ପେତାନପଲ୍ଲୀ ଯିବା ସମୟରେ ଘଟଣାଟି ଘଟିଥିଲା।

ବନାଞ୍ଚଳ ଦେଇ ମଧ୍ୟରେ ପଡ଼ିଥିବା ରାସ୍ତା ବାଟେ ଯିବା ବେଳେ ଭାଲୁଟି ଲମ୍ଫ ମାରି ବୈଗୁଣ୍ଡାମଣିଙ୍କୁ ତଳେ ପକାଇ ଦେଇ ପୁଳାଏ ଲେଖାଁ କାମୁଡ଼ି ପକାଇଥିଲା। ଖବର ପାଇ ଗ୍ରାମବାସୀ  ଆସି ଭାଲୁଟିକୁ ଘଉଡ଼ାଇବା ଲାଗି ଟେକାପଥର ଫିଙ୍ଗିଲେ। କିନ୍ତୁ ଭାଲୁ ସେସବୁକୁ ଭ୍ରୂକ୍ଷେପ କରି ନଥିଲା। ଓଲଟି ଘେରିଥିବା ଲୋକମାନଙ୍କ ଆଡ଼କୁ ଖେଦି ଯାଇ ନଗେନ୍ଦ୍ର ଓ ଶୈଳେନ୍ଦ୍ର ନାମକ ଅନ୍ୟ ଦୁଇଜଣ ବ୍ୟକ୍ତିଙ୍କୁ ଆକ୍ରମଣ କରି କ୍ଷତାକ୍ତ କରିଥିଲା।

ତେବେ ଖବର ପାଇ ସ୍ଥାନୀୟ ଲୋକେ ଆସି ଭାଲୁ ଉପରକୁ ଟେକାପଥର ମାଡ଼ କରି ଘଉଡ଼ାଇଥିଲେ। ପରେ ବନ ବିଭାଗର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଚିକିତ୍ସା ପାଇଁ ତିନିଜଣଙ୍କୁ ଡାକ୍ତରଖାନା ନେଇଥିଲେ। ସେମାନେ ଭାଲୁକୁ ଟ୍ରାଙ୍କୁଲାଇଜ୍ କରି କାବୁ କରିଥିଲେ। ପରେ ତାକୁ ନିକଟସ୍ଥ ଜଙ୍ଗଲରେ ଛାଡ଼ିଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।