ଗେରୁଆ ପଗଡ଼ିରେ ହାଇକମାଣ୍ଡଙ୍କୁ ବାର୍ତ୍ତା ଦେଲେ କଂଗ୍ରେସ ବିଦ୍ରୋହୀ

ନୂଆଦିଲ୍ଲୀ: କଂଗ୍ରେସ ପାର୍ଟିରେ ଥିବା ଅସନ୍ତୋଷ ପୁଣି ଥରେ ଜଳ ଜଳ କରି ଦେଖାଦେଇଛି। ଦିଲ୍ଲୀ ହାଇକମାଣ୍ଡକୁ ବାର୍ତ୍ତା ଦେବାକୁ ଯାଇ ଅସନ୍ତୁଷ୍ଟ ୨୩ କଂଗ୍ରେସ ନେତା ଏକାଠି ହୋଇଛନ୍ତି ଜମ୍ମୁ କଶ୍ମୀରରେ। ଏକାଠି ବୈଠକ କରି ଦଳର ହାଇକମାଣ୍ଡକୁ ସୁଧାରିବା ପାଇଁ ଆହ୍ୱାନ କରିଛନ୍ତି। ଗତବର୍ଷ ଅଗଷ୍ଟ ମାସରେ ଦଳର ଆମୁଳଚୁଳ ପରିବର୍ତ୍ତନ ପାଇଁ ଏହି ୨୩ ନେତା ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଥିଲେ। ପରେ ଦଳରେ ଏହି ନେତା ମାନେ କୋଣଠେସା ହୋଇଛନ୍ତି। ତେବେ […]

g-23

Subhransu Sekhar
  • Published: Saturday, 27 February 2021
  • , Updated: 27 February 2021, 04:13 PM IST

ନୂଆଦିଲ୍ଲୀ: କଂଗ୍ରେସ ପାର୍ଟିରେ ଥିବା ଅସନ୍ତୋଷ ପୁଣି ଥରେ ଜଳ ଜଳ କରି ଦେଖାଦେଇଛି। ଦିଲ୍ଲୀ ହାଇକମାଣ୍ଡକୁ ବାର୍ତ୍ତା ଦେବାକୁ ଯାଇ ଅସନ୍ତୁଷ୍ଟ ୨୩ କଂଗ୍ରେସ ନେତା ଏକାଠି ହୋଇଛନ୍ତି ଜମ୍ମୁ କଶ୍ମୀରରେ। ଏକାଠି ବୈଠକ କରି ଦଳର ହାଇକମାଣ୍ଡକୁ ସୁଧାରିବା ପାଇଁ ଆହ୍ୱାନ କରିଛନ୍ତି। ଗତବର୍ଷ ଅଗଷ୍ଟ ମାସରେ ଦଳର ଆମୁଳଚୁଳ ପରିବର୍ତ୍ତନ ପାଇଁ ଏହି ୨୩ ନେତା ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଥିଲେ। ପରେ ଦଳରେ ଏହି ନେତା ମାନେ କୋଣଠେସା ହୋଇଛନ୍ତି। ତେବେ ଏହି ୨୩ ନେତା ବୈଠକ କରିବା ବେଳେ ଗେରୁଆ ରଙ୍ଗର ପଗଡ଼ି ପିନ୍ଧିଥିବା ଦେଖିବାକୁ ମିଳିଛି।

ଜମ୍ମୁରେ ଆୟୋଜିତ ହୋଇଥିବା ଏହି 'ଶାନ୍ତି ସମ୍ମିଳନୀ'ରେ କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ କହିଛନ୍ତି ଯେ ଜମ୍ମୁ କଶ୍ମୀର ହେଉ କିମ୍ବା ଲଦାଖ, ଆମେ ସମସ୍ତ ଧର୍ମ, ଲୋକ ଏବଂ ଜାତିଙ୍କୁ ସମ୍ମାନ କରୁଛୁ। ସମସ୍ତଙ୍କୁ ପ୍ରତି ସମ୍ମାନ ରହିଛି। ଏହା ଆମର ଶକ୍ତି ଏବଂ ଆମେ ଏହାକୁ ଅସ୍ତ୍ର କରି ଆଗକୁ ବଢ଼ିବୁ। ଏହି ବୈଠକରେ ଆନନ୍ଦ ଶର୍ମା, ମନୀଷ ତିୱାରୀ, ଭୁପିନ୍ଦର ହୁଡା, ବିବେକ ତଙ୍କା, କପିଲ ସିବଲ, ରାଜ ବାବର ଏବଂ ଅନ୍ୟ ନେତାମାନେ ସାମିଲ୍ ହୋଇଛନ୍ତି।

ଗୁଲାମ ନବୀ ଆଜାଦ କହିଛନ୍ତି ଯେ ଗତ ୬ ବର୍ଷରେ ଜମ୍ମୁ କଶ୍ମୀର ସମ୍ପର୍କରେ ସଂସଦରେ ସେ ଏବଂ ତାଙ୍କର ସମସ୍ତ ବନ୍ଧୁ ଅନେକ ପ୍ରସଙ୍ଗ ଉଠାଇଛନ୍ତି। ରାଜ୍ୟସଭାର ଏହି ପୂର୍ବତନ ସାଂସଦ କହିଛନ୍ତି ଯେ ଜମ୍ମୁ କଶ୍ମୀରର ବେକାରୀ ସମସ୍ୟା, ରାଜ୍ୟ ମାନ୍ୟତା ଦାବି, ଶିଳ୍ପ ଏବଂ ଶିକ୍ଷା ଆଦି ଭୁଶୁଡ଼ି ପଡ଼ିଛି। ସେହିପରି ଜିଏସଟି ଲାଗୁ ହେବା ନେଇ ସଂସଦରେ ସ୍ୱର ଉଠାଇଛନ୍ତି।

ସେ କହିଛନ୍ତି, ଅନେକ ବର୍ଷ ପରେ କିନ୍ତୁ ଆମେ ଏବେ ରାଜ୍ୟର ଅଂଶ ନୁହଁ। ଆମର ପରିଚୟ ହଜିଯାଇଛି। ରାଜ୍ୟର ମାନ୍ୟତା ପାଇବା ପାଇଁ ଆମ ସଂସଦ ଭିତରେ ଓ ବାହାରେ ସଂଗ୍ରାମ ଜାରି ରହିବ।

ଏଥି ସହ କଂଗ୍ରେସ ନେତା କପିଲ ସିବଲ ଏହି ବୈଠକରେ କହିଛନ୍ତି ଯେ କଂଗ୍ରେସ ଦଳ ଦୁର୍ବଳ ହେଉଥିବା ଦେଖାଯାଉଛି ଏବଂ ସେଥିପାଇଁ ଆମେ ଏଠାରେ ଏକାଠି ହୋଇଛୁ। ଆମକୁ ଦଳକୁ ଏକାଠି କରି ମଜବୁତ କରିବାକୁ ପଡିବ। ଗାନ୍ଧିଜୀ ସତ୍ୟର ପଥରେ ଗଲେ, ହେଲେ ଏ କେନ୍ଦ୍ର ସରକାର ମିଛକୁ ଆୟୁଧ କରି ଚାଲୁଛି।

ସେ କହିଛନ୍ତି ଯେ ଗୁଲାମ ନବୀ ଜଣେ ଏପରି ନେତା ଯିଏକି ପ୍ରତ୍ୟେକ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ କଂଗ୍ରେସର ମୂଳ ସ୍ଥିତି ଜାଣିଛନ୍ତି। ସଂସଦରୁ ତାଙ୍କୁ ମୁକ୍ତ କରାଯାଉଥିବା ଜାଣିବା ପରେ ଆମେ ଦୁଃଖିତ। କଂଗ୍ରେସ ଗୁଲାମନବୀଙ୍କ ଅଭିଜ୍ଞତାକୁ କାହିଁକି ବ୍ୟବହାର କରୁନାହିଁ ବୋଲି ସେ ବୁଝିପାରୁନଥିବା କହିଛନ୍ତି।

ସେହିପରି କଂଗ୍ରେସ ନେତା ରାଜ ବାବର କହିଛନ୍ତି, ଲୋକମାନେ ଆମକୁ କହୁଛନ୍ତି, 'ଜି୨୩'। ହେଲେ ଗାନ୍ଧୀଙ୍କ ନାମ ମଧ୍ୟ ଜିରୁ ଆରମ୍ଭ ହୋଇଛି। ତେଣୁ ମୁଁ ଗାନ୍ଧୀ କହୁଛି ବୋଲି କହିଛନ୍ତି। ମହାତ୍ମା ଗାନ୍ଧୀଙ୍କ ବିଶ୍ୱାସ, ସଂକଳ୍ପ ଏବଂ ଧାରଣା ସହିତ ଏହି ଦେଶର ଆଇନ ଏବଂ ସମ୍ବିଧାନ ଗଠନ କରାଯାଇଥିଲା। ଏସବୁ କାମକୁ ଆଗକୁ ନେବାକୁ କଂଗ୍ରେସ ଦୃଢ଼ ଭାବରେ ଛିଡା ହୋଇଛି। 'ଜି୨୩' ଚାହୁଁଛି କଂଗ୍ରେସ ଶକ୍ତିଶାଳୀ ହେଉ ବୋଲି ରାଜ ବବର କହିଛନ୍ତି।

ସୂଚନାଯୋଗ୍ୟ, ଗତ ବର୍ଷ ଅଗଷ୍ଟରେ ୨୩ କଂଗ୍ରେସ ନେତା ଦଳର ସଭାପତି ସୋନିଆ ଗାନ୍ଧୀଙ୍କୁ ଏକ ଚିଠି ଲେଖି ଦଳରେ ବ୍ୟାପକ ସାଂଗଠନିକ ପରିବର୍ତ୍ତନ ଦାବି କରିଥିଲେ। ଏହାସହ ସେ କଂଗ୍ରେସ ୱାର୍କିଂ କମିଟିରେ ନିର୍ବାଚନ ଏବଂ ଦଳର ସଂସ୍କାର ପ୍ରସଙ୍ଗ ଉଠାଇଥିଲେ। ଏହି ପ୍ରସଙ୍ଗଗୁଡିକ ଉପରେ ମଧ୍ୟ ଆଲୋଚନା ହୋଇଥିଲା କିନ୍ତୁ କୌଣସି ସମାଧାନ ଏଯାଏ ହୋଇନାହିଁ। ଜାନୁଆରୀ ୨୨ରେ ଅନୁଷ୍ଠିତ CWC ବୈଠକରେ ରାହୁଲ ଗାନ୍ଧୀ କହିଥିଲେ ଯେ ଆଗାମୀ ରାଜ୍ୟ ବିଧାନସଭା ନିର୍ବାଚନରେ ​​ଦଳର ଧ୍ୟାନ ପ୍ରଥମେ ହେବା ଉଚିତ୍।

Related story