କୋଲକାତା: କୋଲକାତାରେ ଥିବା ବାଂଲାଦେଶ ହାଇକମିଶନ କାର୍ଯ୍ୟାଳୟ ସମ୍ମୁଖରେ ଶୁକ୍ରବାର ଗୁଳିମାଡ଼ ହୋଇଛି। କୋଲକାତା ପୁଲିସର ଜଣେ ସଶସ୍ତ୍ର କନଷ୍ଟେବଳ ଜଣେ ମହିଳାଙ୍କୁ ମାରିବା ପରେ ନିଜେ ଆତ୍ମହତ୍ୟା କରିଛନ୍ତି।
ମୃତ କନଷ୍ଟେବଳଙ୍କ ନାଁ ତୁଡ଼ୁପ ଲେପଚା। କୋଲକାତାର ପଞ୍ଚମ ବାଟାଲିଅନର ତୁଡୁକ ବାଂଲାଦେଶ ହାଇକମିଶନଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସୁରକ୍ଷାକର୍ମୀ ଭାବେ ନିୟୋଜିତ ଥିଲେ। ଆଜି ଛୁଟିରୁ ଫେରି ଡ୍ୟୁଟିରେ ଯୋଗ ଦେଇଥିଲେ ଓ ଅପରାହ୍ଣରେ ଏହି କାଣ୍ଡ ଭିଆଇ ଥିଲେ। ଏଭଳି କାଣ୍ଡ ଭିଆଇବାର ଘଣ୍ଟାଏ ପୂର୍ବରୁ ତୁଡ଼ୁପ ଅସ୍ୱାଭାବିକ୍ ଜଣାପଡ଼ୁଥିଲେ।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ତୁଡ଼ୁପ ହଠାତ୍ ବନ୍ଧୁକରୁ ଗୁଳି କରିଥିଲେ। ସେ ଜଣେ ମହିଳାଙ୍କୁ ଗୁଳି କରି ମାରି ଦେଇଥିଲେ। ତାଙ୍କ ଗୁଳିମାଡ଼ରେ ଆଉ ଦୁଇ ଜଣ ବ୍ୟକ୍ତି ଆହତ ହୋଇଥିଲେ। ତା'ପରେ ସେ ନିଜକୁ ଗୁଳି କରିଥିଲେ। ତୁଡ଼ୁକ ନିଜ ପାଖରେ ଥିବା ସେଲଫ୍ ଲୋଡିଂ ରାଇଫଲରୁ ଗୁଳି କରିଥିଲେ।
ପୁଲିସ୍ କହିଛି, ତୁଡ଼ୁପ ଚାପଗ୍ରସ୍ତ ଥିଲେ। ଘଟଣାର ତଦନ୍ତ ଆରମ୍ଭ ହୋଇଛି। ସିସିଟିଭି ଫୁଟେଜ ସଂଗ୍ରହ କରାଯାଇଛି। ଏହି ଗୁଳିକାଣ୍ଡ ସହ ପ୍ରଫେଟ ମହମ୍ମଦ ବିରୋଧୀ ମନ୍ତବ୍ୟକୁ ନେଇ ଚାଲିଥିବା ଆନ୍ଦୋଳନର କୌଣସି ସମ୍ପର୍କ ନଥିବା ପୁଲିସ କହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।