ଟୁଲକିଟ୍‌ ମାମଲାରେ ଦିଶା ରବିଙ୍କୁ ମିଳିଲା ଜାମିନ

ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନ ସହ ଜଡ଼ିତ ଟୁଲକିଟ୍‌ ମାମଲାରେ ଗିରଫ ୨୨ ବର୍ଷୀୟ ଜଳବାୟୁ କର୍ମକର୍ତ୍ତା ଦିଶା ରବିଙ୍କୁ ଦିଲ୍ଲୀର ଗୋଟିଏ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ୧ ଲକ୍ଷ ଟଙ୍କାର ବେଲ ବଣ୍ଡ ଓ ଅତିରିକ୍ତ ଦୁଇଟି ସ୍ୟୁରିଟିଜ୍‌ ବଦଳରେ କୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି। ତେବେ ବେଲ ବଣ୍ଡ ପାଇଁ ଦିଶା ରବିଙ୍କ ପରିବାର ଏକ ଲକ୍ଷ ଟଙ୍କା ଦେବାକୁ ଅକ୍ଷମ ଓ ସେମାନେ ବହୁତ ଗରିବ ବୋଲି ତାଙ୍କ ଓକିଲ କୋର୍ଟଙ୍କୁ ଜଣାଇଥିଲେ। […]

disha

Hemant Lenka
  • Published: Tuesday, 23 February 2021
  • , Updated: 23 February 2021, 05:01 PM IST

ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନ ସହ ଜଡ଼ିତ ଟୁଲକିଟ୍‌ ମାମଲାରେ ଗିରଫ ୨୨ ବର୍ଷୀୟ ଜଳବାୟୁ କର୍ମକର୍ତ୍ତା ଦିଶା ରବିଙ୍କୁ ଦିଲ୍ଲୀର ଗୋଟିଏ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ୧ ଲକ୍ଷ ଟଙ୍କାର ବେଲ ବଣ୍ଡ ଓ ଅତିରିକ୍ତ ଦୁଇଟି ସ୍ୟୁରିଟିଜ୍‌ ବଦଳରେ କୋର୍ଟ ତାଙ୍କୁ ଜାମିନ ଦେଇଛନ୍ତି।

ତେବେ ବେଲ ବଣ୍ଡ ପାଇଁ ଦିଶା ରବିଙ୍କ ପରିବାର ଏକ ଲକ୍ଷ ଟଙ୍କା ଦେବାକୁ ଅକ୍ଷମ ଓ ସେମାନେ ବହୁତ ଗରିବ ବୋଲି ତାଙ୍କ ଓକିଲ କୋର୍ଟଙ୍କୁ ଜଣାଇଥିଲେ। ଆଜି କୋର୍ଟରେ ଦିଶାଙ୍କୁ ହାଜର କରିବା ବେଳେ ସେ ନିଜ ପରିବାର ଲୋକଙ୍କୁ କୁଣ୍ଢାଇ ଧରି କାନ୍ଦିବା ଆରମ୍ଭ କରିଥିଲେ ବୋଲି ଜଣାପଡ଼ିଛି।

ଦିଲ୍ଲୀ ପୁଲିସ୍‌ କୋର୍ଟରେ ଦିଶାଙ୍କ ଜାମିନକୁ ବିରୋଧ କରିଥିଲା। ପୁଲିସ୍‌ କହିଥିଲା ଯେ ଦିଶା, ନିକିତା ଓ ଶାନ୍ତନୁ ମିଳିତ ଭାବେ ଟୁଲକିଟ୍‌ ପ୍ରସ୍ତୁତ କରିଥିଲେ। ଏହି ଟୁଲକିଟ୍‌କୁ ଖଲିସ୍ତାନୀ ସପକ୍ଷବାଦୀଙ୍କ ସହାୟତାରେ ପ୍ରସ୍ତୁତ କରାଯାଇଥିଲା। ସେହିପରି ଗଣତନ୍ତ୍ର ଦିବସରେ ହିଂସାକାଣ୍ଡ ଘଟାଇବା ପାଇଁ ଟୁଲକିଟ୍‌ ଜରିଆରେ ଷଡ଼ଯନ୍ତ୍ର କରାଯାଇଥିଲା। ଏଥିସହ ଏହି ୩ ଜଣ ଭାରତରେ ଖଲିସ୍ତାନୀ ସପକ୍ଷବାଦୀଙ୍କୁ ପୁନଃ ସକ୍ରିୟ କରିବାକୁ ଲକ୍ଷ୍ୟ ରଖିଥିଲେ ବୋଲି ପୁଲିସ୍‌ କହିଥିଲା।

ହେଲେ ଗତ ସପ୍ତାହରେ ହୋଇଥିବା ଶୁଣାଣି ବେଳେ ଆଡିସନାଲ ସେସନ୍ସ କୋର୍ଟ ବିଚାରପତି ଧର୍ମେନ୍ଦ୍ର ରାଣା ପୁଲିସ୍‌କୁ ପ୍ରମାଣ ମାଗିଥିଲେ। ଜାନୁଆରୀ ୨୬ ହିଂସାକାଣ୍ଡ ସହ ଏମାନଙ୍କର କ’ଣ ସମ୍ପର୍କ ରହିଛି? ଯଦି ହିଂସା ଘଟଣାରେ ଏମାନେ ସାମିଲ ଥିଲେ, ତା’ହେଲେ ଏହାର କିଛି ପ୍ରମାଣ ରହିଛି କି? ଆପଣ ଷଡ଼ଯନ୍ତ୍ର କଥା କହୁଛନ୍ତି। ହେଲେ ଆପଣଙ୍କ ପାଖରେ ଜାନୁଆରୀ ୨୬ ଘଟଣା ସହ ଦିଶାଙ୍କ ଲିଙ୍କ ରହିଛି ବୋଲି କୌଣସି ପ୍ରମାଣ ନାହିଁ। ଆପଣ କେବଳ ସ୍ଥିତିକୁ ଦେଖି ଷଡ଼ଯନ୍ତ୍ର କଥା କହୁଛନ୍ତି ବୋଲି ବିଚାରପତି କହିଥିଲେ।

ଏହାପରେ ନିଜର ରାୟକୁ ସଂରକ୍ଷିତ ରଖିଥିଲେ। ହେଲେ ଆଜି କୋର୍ଟ ଦିଶାଙ୍କୁ ଜାମିନ ଦେଇଛନ୍ତି। ଫେବୃଆରୀ ୩ରେ ଜଳବାୟୁ କର୍ମକର୍ତ୍ତା ଗ୍ରେଟା ଥର୍ଣ୍ଣବର୍ଗ ଚାଷୀ ଆନ୍ଦୋଳନକୁ ସମର୍ଥନ କରି ଟ୍ୱିଟ କରିଥିଲେ। ଏଥିସହ ଏହାକୁ କିପରି ସମର୍ଥନ କରାଯିବ, ତା’ର ଗୋଟିଏ ଟୁଲକିଟ୍‌ ଶେୟାର କରିଥିଲେ।

ଏହି ଟୁଲକିଟ୍‌ ଜରିଆରେ ଭାରତକୁ ବଦନାମ କରିବାକୁ ଷଡ଼ଯନ୍ତ୍ର ହୋଇଥିବା ପୁଲିସ୍‌ କହିଥିଲା। ଏଥିସହ ଏହାକୁ ତିଆରି କରିଥିବା ଲୋକଙ୍କ ବିରୋଧରେ ଏଫଆଇଆର ରୁଜୁ କରିଥିଲା। ଶେଷରେ ଗତ ସପ୍ତାହରେ ଦିଲ୍ଲୀ ପୁଲିସ୍‌ ବେଙ୍ଗାଲୁରୁରୁ ଦିଶାଙ୍କୁ ଗିରଫ କରିଥିଲା।

ମଙ୍ଗଲବାର ଦିଶା, ନିକିତା ଓ ଶାନ୍ତନୁଙ୍କୁ ପୁଲିସ ଜେରା ମଧ୍ୟ କରିଥିଲା। ନିକିତା ଓ ଶାନ୍ତନୁ ବମ୍ବେ ହାଇକୋର୍ଟରୁ ଆଗୁଆ ଜାମିନ ପାଇଛନ୍ତି।

Related story