ନୂଆଦିଲ୍ଲୀ: କରୋନାରୁ ଆରୋଗ୍ୟ ହେବା ପାଇଁ ଡାକ୍ତରମାନେ ଯେଉଁଭଳି ଗୁଡାଏ ଔଷଧ ପ୍ରେସକ୍ରିପସନ କରୁଥିଲେ ତାହା ଏବେ ଆବଶ୍ୟକ ନାହିଁ। ଅଧିକାଂଶ ଲୋକେ ଟିକା ନେଇଥିଲେ ବି ଏବେ ସେମାନେ କରୋନାରେ ସଂକ୍ରମିତ ହେଉଛନ୍ତି। କିନ୍ତୁ ସେମାନଙ୍କ ପାଖରେ କରୋନାର ସାମାନ୍ୟ ଲକ୍ଷଣ ଦେଖିବାକୁ ମିଳୁଛି। ଏପରି ସ୍ଥିତିରେ କରୋନା ଆକ୍ରାନ୍ତଙ୍କୁ ମଲନୁପିରାଭିର ଭଳି ଔଷଧ ଦେବା ପରିବର୍ତ୍ତେ ପାରାସିଟାମଲ ଦେବା ଦରକାର। ସେହିପରି ଆଂଟି ବାୟୋଟିକ ନଖାଇବାକୁ ପରାମର୍ଶ ଦେଉଛନ୍ତି ବିଶେଷଜ୍ଞ।
ଆଇସିଏମଆରର ଗବେଷକ ତଥା କେନ୍ଦ୍ର ସରକାରଙ୍କ କୋଭିଡ ଟାସ୍କ ଫୋର୍ସ କମିଟିର ସଦସ୍ୟ ଡାକ୍ତର ସଞ୍ଜୟ ପୂଜାରୀ କହିଛନ୍ତି, ମଲନୁପିରାଭିର ଔଷଧ ଖାଇବା ପରେ ସଂପୃକ୍ତ ବ୍ୟକ୍ତିଙ୍କ ଶରୀରରେ ଅନେକ ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳିିଛି । ତେଣୁ ମଲନୁପିରାଭିର ହେଉ ଅବା ଫାଭିପିରାଭିର ଭଳି ଔଷଧ ନଖାଇବା ଦରକାର। ଆଇସିଏମଆର ବିଶେଷଜ୍ଞଙ୍କ ପରାମର୍ଶ ସେତେବେଳେ ଆସିଛି ଯେତେବେଳେ ବିଦେଶରେ ରହୁଥବା ୩୫-୪୦ ବିଶେଷଜ୍ଞ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଭାରତରେ କରୋନା ଉପଚାରରେ ଅଧିକ ହାଇଡୋଜ ଔଷଧ ବ୍ୟବହାର ହେଉଛି ବୋଲି କହିଥିଲେ।
ଉଲ୍ଲେଖଯୋଗ୍ୟ, କରୋନା ଉପଚାର ଔଷଧ ତାଲିକାରୁ ନିକଟରେ କେରଳ ସରକାର ମଲନୁପିରାଭିର ଏବଂ ଫାଭିପିରାଭିର ଭଳି ଔଷଧକୁ ପ୍ରତ୍ୟାହାର କରି ନେଇଛନ୍ତି। ବିଶେଷଜ୍ଞ କହିଛନ୍ତି, ପାରାସିଟାମଲ ଔଷଧ ଖାଇବା ଦ୍ୱାରା ପ୍ରବଳ ଜ୍ୱର ହୋଇଥାଉ କି ସାମାନ୍ୟ ଜ୍ୱର ଜଣେ ଆରୋଗ୍ୟ ହୋଇପାରିବ। ତେଣୁ କରୋନାର ସାମାନ୍ୟ ଲକ୍ଷଣ ରହିଥିଲେ ପାରାସିଟାମଲ ଉପରେ ଗୁରୁତ୍ୱ ଦିଆଯିବା ଦରକାର। ହାଇ ଡୋଜର ଔଷଧ ନେଲେ ଶରୀର ଉପରେ ଖରାପ ପ୍ରଭାବ ପଡିବାର ସମ୍ଭାବନା ରହୁଛି।
ସେହିପରି ଦେଶର ଅନ୍ୟତମ ବରିଷ୍ଠ ଚିକିତ୍ସକ ତଥା ଇନଫେକସନ ଡିଜିଜ ଏବଂ ଇନଫେକସନ କଂଟ୍ରୋଲ ବିଭାଗର ଡାକ୍ତର ଅନୁପ ଆର ୱାରିଅର କହିଥିଲେ କୋଭିଡ ମୁକାବିଲା ପାଇଁ ପାରାସିଟାମଲ ଏବଂ କିଛି ଭିଟାମିନ ଔଷଧ ଖାଇଲେ ଭଲ ହୋଇଯିବ। ଅଧିକ ଡୋଜ ଔଷଧ ଖାଇବାର କୌଣସି ଆବଶ୍ୟକତା ନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।