ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀ ସବୁଠାରୁ ପ୍ରଦୂଷିତ ସହରର ମାନ୍ୟତା ପାଇଛି। ୨୦୧୯ରେ ପ୍ରଦୂଷଣ ତାଲିକାରେ ଦିଲ୍ଲୀ ୩ନଂରେ ଥିବା ବେଳେ ଗତବର୍ଷ ଏହା ୨ନଂକୁ ଉଠିଥିଲା। ଏବେ ପ୍ରଦୂଷଣ ମାମଲାରେ ଦିଲ୍ଲୀ ୧ନଂ ସ୍ଥାନରେ ପହଞ୍ଚି ଯାଇଛି। ବାର୍ଷିକ ପିଏମ୨.୫ ସ୍ତରକୁ ଆକଳନ କରି କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ କରିଥିବା ସର୍ଭେ ପରେ ଏପରି ତାଲିକା ପ୍ରକାଶ ପାଇଛି।
ସର୍ଭେ ଅନୁସାରେ, ଦିଲ୍ଲୀର ବାର୍ଷିକ ପିଏମ ୨.୫ ସ୍ତରରେ ୭.୪% ସୁଧାର ଆସିଛି। ୨୦୧୯ରେ ଏହା ୧୦୮ ଥିବା ବେଳେ ଏବେ ୯୯.୭% ହୋଇଛି। ଏହାର ଅର୍ଥ ୩ ବର୍ଷ ମଧ୍ୟରେ ଦିଲ୍ଲୀର ପ୍ରଦୂଷଣ ସ୍ଥିତିରେ ମାତ୍ର ୭% ସୁଧାର ଆସିଛି।
୨୦୧୯ରେ ପ୍ରଦୂଷଣ ମାମଲାରେ ଦିଲ୍ଲୀ ଉପରେ ଥିବା ଗାଜିଆବାଦ ଓ ନୋଏଡାର ସ୍ଥିତି ଚଳିତ ବର୍ଷ ଭଲ ରହିଛି। ଗାଜିଆବାଦର ପ୍ରଦୂଷଣ ମାତ୍ର ୨୨.୨% ଓ ନୋଏଡାର ପ୍ରଦୂଷଣ ମାତ୍ରା ୨୯.୮% ହ୍ରାସ ପାଇଛି। ୨୦୧୯ରେ କେନ୍ଦ୍ର ସରକାର ପିଏମ ୧୦ ଓ ପିଏ୨.୫କୁ ୨୦୨୪ ସୁଦ୍ଧା ୧୩୧ ସହରରେ ୨୦ରୁ ୩୦% ହ୍ରାସ କରିବାକୁ ଏନସିଏପି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଏହା ଅଧୀନରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସର୍ଭେ କରିବା ସହ ବିଭିନ୍ନ ସହରର ପ୍ରଦୂଷଣର ମାତ୍ରାକୁ ଆକଳନ କରୁଛି।
୨୦୨୨ ସେପ୍ଟେମ୍ବରେ କେନ୍ଦ୍ର ସରକାର ୨୦୨୬ ସୁଦ୍ଧା ୪୦% ପ୍ରଦୂଷଣ ହ୍ରାସ କରିବାକୁ ସଂଶୋଧିତ ଟାର୍ଗେଟ ମଧ୍ୟ ଦେଇଛନ୍ତି। ଏହି ଟାର୍ଗେଟକୁ ହାସଲ କରିବା ପାଇଁ ୬,୮୯୭.୦୬ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି।
ଦିଲ୍ଲୀ ପ୍ରଦୂଷିତ ସହରଗୁଡ଼ିକ ତାଲିକାର ୧ନଂରେ ଥିବା ବେଳେ ଦ୍ୱିତୀୟରେ ଫରିଦାବାଦ, ତୃତୀୟରେ ଗାଜିଆବାଦ, ୪ର୍ଥରେ ପାଟନା, ୫ମରେ ମୁଜାଫରପୁର, ୬ରେ ନୋଏଡା, ୭ମରେ ମୀରଟ, ୮ନଂରେ ଗୋବିନ୍ଦଗଡ଼, ୯ମରେ ଗୟା ଓ ୧୦ମରେ ଯୋଧପୁର ରହିଛି। ଗତବର୍ଷ ୧ନଂ ସ୍ଥାନରେ ଥିବା ଗାଜିଆବାଦ ୩ନଂକୁ ଖସିଥିବା ବେଳେ ଦ୍ୱିତୀୟରେ ଥିବା ନୋଏଡା ୬ନଂକୁ ଖସିଛି।