ନୂଆଦିଲ୍ଲୀ: ପ୍ରଫେଟ ମହମ୍ମଦଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଥିବା ବିଜେପିର ନିଲମ୍ବିତ ନୂପୁର ଶର୍ମାଙ୍କ ବଢ଼ିଲା ସୁରକ୍ଷା। ଧମକ ପରେ ଦିଲ୍ଲୀ ପୁଲିସ ବିଜେପିର ପୂର୍ବତନ ରାଷ୍ଟ୍ରୀୟ ମୁଖପାତ୍ର ଓ ତାଙ୍କ ପରିବାରର ସୁରକ୍ଷା କଡାକଡି କରିଛି।
ବାସ୍ତବରେ ପ୍ରଫେଟ ମହମ୍ମଦଙ୍କୁ ନେଇ ନୂପୁର ବିବାଦୀୟ ଟିପ୍ପଣୀ ଦେଇଥିଲେ। ଏହାପରେ ତାଙ୍କୁ ହତ୍ୟା ଧମକ ମିଳିଥିଲା। ଏନେଇ ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରିଥିଲା। ଜୀବନରେ ମାରିଦେବାକୁ ଧମକ ମିଳିବା ପରେ ନୂପୁର ପୁଲିସକୁ ସୁରକ୍ଷା ଯୋଗାଇବା ପାଇଁ ଅନୁରୋଧ କରିଥିଲେ।
ସମାଚାର ଏଜେନ୍ସି ପିଟିଆଇ ମୁତାବକ, ନୂପୁର ଶର୍ମା ଓ ତାଙ୍କ ପରିବାରକୁ ପୁଲିସ ପକ୍ଷରୁ ପ୍ରଟେକ୍ସନ ଦିଆଯାଇଛି। ସେପଟେ ବିବାଦୀୟ ବୟାନକୁ ନେଇ ମୁସଲିମ ଦେଶଗୁଡିକରେ ବଢ଼ୁଥିବା ବିରୋଧକୁ ଦେଖି ବିଜେପି ରବିବାର ନୂପୁର ଶର୍ମାଙ୍କୁ ଦଳରୁ ନିଲମ୍ବିତ କରିଛି। ଜାତୀୟ ମୁଖପାତ୍ର ନୂପୁର ଶର୍ମାଙ୍କୁ ଦଳର ହାଇକକାଣ୍ଡ ନିଲମ୍ବିତ କରିଛନ୍ତି। ସେହିପରି ଦଳ ଦିଲ୍ଲୀ ବିଜେପିର ମିଡିଆ ମୁଖ୍ୟ ନବୀନ କୁମାର ଜିନ୍ଦଲଙ୍କୁ ଦଳରୁ ବହିସ୍କାର କରାଯାଇଛି। ନବୀନ କୁମାରଙ୍କୁ ଦଳର ପ୍ରାଥମିକ ସଦସ୍ୟ ପଦରୁ ହଟାଇ ଦିଆଯାଇଛି।
ମୁସଲିମ ଗୋଷ୍ଠୀର ବିରୋଧ ତଥା କୁଏତ, କାତାର ଏବଂ ଇରାନ ଭଳି ଦେଶଗୁଡିକର ତୀବ୍ର ପ୍ରତିକ୍ରିୟା ମଧ୍ୟରେ ବିଜେପି ଏକ ବିବୃତ୍ତି ଜାରି କରି କହିଛି। ସେ ସମସ୍ତ ଧର୍ମକୁ ସମ୍ମାନ କରୁଛି ଏବଂ କୌଣସି ଧାର୍ମିକ ବ୍ୟକ୍ତିତ୍ୱର ଅପମାନକୁ ଦୃଢ଼ ନିନ୍ଦା କରିଛୁ ବୋଲି କହିଛି।
ସୂଚନା ଅନୁଯାୟୀ, ଏକ ଟିଭି ଡିବେଟରେ ନୂପୁର ପ୍ରଫେଟ ମହମ୍ମଦଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଯାହାକୁ ନେଇ ଗତ ଶୁକ୍ରବାର କାନପୁରରେ ସାମ୍ପ୍ରଦାୟିକ ଗଣ୍ଡଗୋଳର ସୂତ୍ରପାତ ଘଟିଥିଲା। ନୂପୁର ଶର୍ମାଙ୍କ ବୟାନକୁ ବିରୋଧ କରି କାନପୁରର ଏକ ମୁସଲମାନ ସଙ୍ଗଠନ ବନ୍ଦ ଡାକରା ଦେବା ସହ ଦୁଇ ଗୋଷ୍ଠୀ ମଧ୍ୟରେ ଢେଲାପଥର ମାଡ଼ ହୋଇଥିଲା।