ସୋମବାର ଠାରୁ ରାଜଧାନୀରେ ଖୋଲିବ ସ୍କୁଲ, କଲେଜ: ସହରକୁ ପେଟ୍ରୋଲ-ଡିଜେଲ ଗାଡ଼ି ମନା

ନୂଆଦିଲ୍ଲୀ: ପ୍ରଦୂଷଣର ବିଷୟ ବଳୟରେ ଆଉଟ ପାଉଟ ହେଉଥିବା ରାଜଧାନୀ ଦିଲ୍ଲୀବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଦିଲ୍ଲୀରେ ଏବେ ପ୍ରଦୂଷଣ ମାତ୍ରା ହ୍ରାସ ପାଇଥିଲେ ହେଁ ସ୍ଥିତି ଉଦବେଗଜନକ ରହିଛି। ତଥାପି ଦିଲ୍ଲୀ ସରକାର ଆସନ୍ତା ସୋମବାର ଠାରୁ ସମସ୍ତ ସ୍କୁଲ ଓ କଲେଜ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି। ଆଜି ସୁପ୍ରିମକୋର୍ଟ ପ୍ରଦୂଷଣ ପ୍ରସଙ୍ଗକୁ ନେଇ ଦିଲ୍ଲୀ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ତେବେ ଯଦି ସ୍ଥିତିରେ ସୁଧାର ଆସିଛି, ତା’ହେଲେ କିଛି କଟକଣା କୋହଳ କରିବାକୁ […]

Delhi

Hemant Lenka
  • Published: Wednesday, 24 November 2021
  • , Updated: 24 November 2021, 03:22 PM IST

ନୂଆଦିଲ୍ଲୀ: ପ୍ରଦୂଷଣର ବିଷୟ ବଳୟରେ ଆଉଟ ପାଉଟ ହେଉଥିବା ରାଜଧାନୀ ଦିଲ୍ଲୀବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଦିଲ୍ଲୀରେ ଏବେ ପ୍ରଦୂଷଣ ମାତ୍ରା ହ୍ରାସ ପାଇଥିଲେ ହେଁ ସ୍ଥିତି ଉଦବେଗଜନକ ରହିଛି। ତଥାପି ଦିଲ୍ଲୀ ସରକାର ଆସନ୍ତା ସୋମବାର ଠାରୁ ସମସ୍ତ ସ୍କୁଲ ଓ କଲେଜ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି।

ଆଜି ସୁପ୍ରିମକୋର୍ଟ ପ୍ରଦୂଷଣ ପ୍ରସଙ୍ଗକୁ ନେଇ ଦିଲ୍ଲୀ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ତେବେ ଯଦି ସ୍ଥିତିରେ ସୁଧାର ଆସିଛି, ତା’ହେଲେ କିଛି କଟକଣା କୋହଳ କରିବାକୁ ମଧ୍ୟ ସୁପ୍ରିମକୋର୍ଟ ପରାମର୍ଶ ଦେଇଥିଲେ।

ଏହାପରେ ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ ସ୍କୁଲ ଓ କଲେଜ ଖୋଲିବା ନେଇ ଘୋଷଣା କରିଛନ୍ତି। କିନ୍ତୁ ଡିସେମ୍ବର ୩ ତାରିଖ ଯାଏ ଦିଲ୍ଲୀରେ କୌଣସି ପ୍ରକାରର ପେଟ୍ରୋଲ ଓ ଡିଜେଲ ଗାଡ଼ି ପ୍ରବେଶ କରିପାରିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, “ଦିଲ୍ଲୀରେ ବାୟୁର ଗୁଣବତ୍ତାରେ କିଛିଟା ସୁଧାର ଆସିଛି। ତେଣୁ ସୋମବାର ଠାରୁ ଦିଲ୍ଲୀରେ ଥିବା ସମସ୍ତ ସ୍କୁଲ, କଲେଜ ଓ ଶିକ୍ଷାନୁଷ୍ଠାନ ଖୋଲିବ। ସେହିପରି ସୋମବାର ଠାରୁ ସମସ୍ତ ସରକାରୀ ଅଫିସ ମଧ୍ୟ ଖୋଲିବ। ଅଧିକାରୀମାନେ ଅଫିସ ଆସିବା ପାଇଁ ନିଜ ଗାଡ଼ି ବଦଳରେ ପବ୍ଲିକ ଟ୍ରାନ୍ସପୋର୍ଟ ବ୍ୟବହାର କରନ୍ତୁ।

ସେମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ବସର ବ୍ୟବସ୍ଥା କରାଯିବ। ଯେଉଁ ସବୁ କଲୋନୀରେ ଅଧିକ ସଂଖ୍ୟକ ଦିଲ୍ଲୀ ସରକାରଙ୍କ କର୍ମଚାରୀ ରହୁଛନ୍ତି, ସେଠାରୁ ବସ୍‌ ସେବା ଆରମ୍ଭ କରାଯିବ। ୨୭ ନଭେମ୍ବର ଠାରୁ ଦିଲ୍ଲୀ ସରକାର ସିଏନଜି ଓ ଇଲେକ୍ଟ୍ରିକ ଗାଡ଼ି ଗୁଡ଼ିକୁ ସହରରେ ପ୍ରବେଶ ପାଇଁ ଅନୁମତି ଦେବେ। ଏହାବାଦ ଆଉ ସମସ୍ତ ପ୍ରକାରର ଗାଡ଼ିର ପ୍ରବେଶ ଉପରେ ଆସନ୍ତା ୩ ତାରିଖ ଯାଏ ବ୍ୟାନ ଲଗାଯାଇଛି।”

ଦିଲ୍ଲୀରେ ପ୍ରଦୂଷଣ ପାଇଁ ୨ ସପ୍ତାହ ହେଲାଣି ସ୍କୁଲ, କଲେଜ ଓ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିଲା। ସେହିପରି ନିର୍ମାଣ କାମ ଉପରେ ମଧ୍ୟ ରୋକ ଲଗାଯାଇଥିଲା। ଏବେ ପ୍ରଦୂଷଣ ହ୍ରାସ ପାଉଥିବାରୁ ସରକାର ସୋମବାର ନିର୍ମାଣ କାମ ଉପରେ ଲାଗିଥିବା କଟକଣା ପ୍ରତ୍ୟାହାର କରିଥିଲେ। ଏବେ ସ୍କୁଲ ଓ କଲେଜ ଖୋଲିବାକୁ ମଧ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

Related story