ଦ୍ରୌପଦୀଙ୍କ ଲମ୍ବା ଯାତ୍ରା: ମ୍ୟୁନିସିପାଲିଟି କାଉନସିଲରରୁ ଦେଶର ରାଷ୍ଟ୍ରପତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନରେ ବାଜିମାତ କରିଛନ୍ତି ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ। ଗୋଟିଏ ଆଦିବାସୀ ପରିବାରରୁ ଆସି ଦେଶର ପ୍ରଥମ ନାଗରିକ ହେବାକୁ ଯାଉଛନ୍ତି ଦ୍ରୌପଦୀ ମୁର୍ମୁ। ସେ ଆସନ୍ତା ୨୫ ତାରିଖରେ ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ। ଏଥିସହ ପ୍ରଥମ ଆଦିବାସୀ ମହିଳା ଭାବେ ରାଷ୍ଟ୍ରପତି ହେବାର ସୌଭାଗ୍ୟ ମଧ୍ୟ ଅର୍ଜନ କରିବେ। ଓଡ଼ିଶାର ରାଇରଙ୍ଗପୁର ଭଳି ଗୋଟିଏ ଛୋଟିଆ ସହରରୁ ଦିଲ୍ଲୀର ରାଇସିନା ହିଲରେ ପହଞ୍ଚିବା ଶ୍ରୀମତୀ ମୁର୍ମୁଙ୍କ ପାଇଁ […]

Draupadi Murmu

Hemant Lenka
  • Published: Thursday, 21 July 2022
  • , Updated: 21 July 2022, 08:14 PM IST

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନରେ ବାଜିମାତ କରିଛନ୍ତି ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ। ଗୋଟିଏ ଆଦିବାସୀ ପରିବାରରୁ ଆସି ଦେଶର ପ୍ରଥମ ନାଗରିକ ହେବାକୁ ଯାଉଛନ୍ତି ଦ୍ରୌପଦୀ ମୁର୍ମୁ। ସେ ଆସନ୍ତା ୨୫ ତାରିଖରେ ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ। ଏଥିସହ ପ୍ରଥମ ଆଦିବାସୀ ମହିଳା ଭାବେ ରାଷ୍ଟ୍ରପତି ହେବାର ସୌଭାଗ୍ୟ ମଧ୍ୟ ଅର୍ଜନ କରିବେ।

ଓଡ଼ିଶାର ରାଇରଙ୍ଗପୁର ଭଳି ଗୋଟିଏ ଛୋଟିଆ ସହରରୁ ଦିଲ୍ଲୀର ରାଇସିନା ହିଲରେ ପହଞ୍ଚିବା ଶ୍ରୀମତୀ ମୁର୍ମୁଙ୍କ ପାଇଁ ଆଦୌ ସହଜ ନଥିଲେ। ସେ ନିଜର ରାଜନୀତିକ କ୍ୟାରିୟରର କାଉନସିଲରରୁ ଆରମ୍ଭ କରିଥିଲେ। ଏବେ ସେ ରାଷ୍ଟ୍ରପତି ନିର୍ବାଚନ ଜିତିଛନ୍ତି।

ମୟୂରଭଞ୍ଜର ରାଇରଙ୍ଗପୁର ଅନ୍ତର୍ଗତ ବାଲଦାପୋଷି ଅଂଚଳର ଶ୍ରୀମତୀ ମୁର୍ମୁ ଶିକ୍ଷକତା ଛାଡ଼ି ୧୯୯୭ ମସିହାରେ ରାଜନୀତିରେ ପ୍ରବେଶ କରିଥିଲେ। ସେବେଠାରୁ ସେ ଆଉ ପଛକୁ ଫେରିନାହାନ୍ତି । ବିଏ ପାସ୍ କରିଥିବା ଶ୍ରୀମତୀ ମୁର୍ମୁ ରାଇରଙ୍ଗପୁର ଏନଏସି ଉପାଧ୍ୟକ୍ଷା ପଦବୀରୁ ଏବେ ଦେଶର ସର୍ବୋଚ୍ଚ ପଦବୀ ଅଳଙ୍କୃତ କରିଛନ୍ତି।

ସ୍ୱାମୀଙ୍କ ଚାକିରି ପାଇଁ ଦ୍ରୌପଦୀ ମୁର୍ମୁ ପରିବାର ସହ ରାଇରଙ୍ଗପୁର ସହରର ବାଙ୍ଗିରପୋଷିରେ ରହିଥିଲେ। ୧୯୯୭ ମସିହାରେ ସେ ରହୁଥିବା ୨ ନଂ ୱାର୍ଡ ଆଦିବାସୀ ମହିଳାଙ୍କ ପାଇଁ ସଂରକ୍ଷିତ ହୋଇଥିଲା। ଏହି ସମୟରେ ବିଜେପି ଦ୍ରୌପଦୀ ମୁର୍ମୁଙ୍କୁ ପ୍ରାର୍ଥୀ କରିଥିଲା। ସେ ମଧ୍ୟ ନିର୍ବାଚନ ଜିତି କାଉନସିଲର ହୋଇଥିଲେ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦ୍ରୌପଦୀ ଏହି ଅଞ୍ଚଳର ମୂଳବାସିନ୍ଦା ନୁହନ୍ତି। ତଥାପି ସେ ଲୋକଙ୍କ ଭରସା ଜିତିବାକୁ ସକ୍ଷମ ହୋଇଥିଲେ। ବିଜେପି ମଧ୍ୟ ଅଧିକ ସଂଖ୍ୟକ ୱାର୍ଡରେ ଜିତି ଅଧ୍ୟକ୍ଷ ପଦ ହାତେଇଥିଲା। ଦ୍ରୌପଦୀ ମୁର୍ମୁ ବିଜ୍ଞାପିତ ଅଞ୍ଚଳ ପରିଷଦର ଉପାଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଉପାଧ୍ୟକ୍ଷ ଭାବେ ସେ ସ୍ୱଚ୍ଛତା କାମରେ ଲାଗି ପଡ଼ିଥିଲେ।

ଗଳିଗଳି ବୁଲି ଅଳିଆ ଓ ଡ୍ରେନ ସଫା କରିବାକୁ ଗୁରୁତ୍ୱ ଦେଇଥିଲେ। ସ୍ୱାମୀଙ୍କ କାରରେ ସେ ସବୁଦିନ ୧୫ଟି ଯାକ ୱାର୍ଡ ବୁଲି ସ୍ୱଚ୍ଛତା କାମ ତଦାରଖ କରୁଥିଲେ। ଏହି କାମ ଯୋଗୁ ସେ ୨୦୦୦ ମସିହାରେ ବିଧାୟକ ଭାବେ ଓଡ଼ିଶା ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୦ରୁ ୨୦୦୪ ମସିହା ପର୍ଯ୍ୟନ୍ତ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ଓ ବିଜେପି ମେଣ୍ଟ ସରକାରରେ ଶ୍ରୀମତୀ ମୁର୍ମୁ ବାଣିଜ୍ୟ ଓ ପରିବହନ, ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିବାବେଳେ ରାଇରଙ୍ଗପୁର ଆସନରୁ ୨୦୦୯ ମସିହା ପର୍ଯ୍ୟନ୍ତ ଓଡ଼ିଶା ବିଧାନସଭା ସଦସ୍ୟ ଥିଲେ। ସାନ୍ତାଳୀ ସମୁଦାୟର ମହିଳା ଶ୍ରୀମତୀ ମୁର୍ମୁଙ୍କୁ ୨୦୧୫ ମସିହାରେ ଝାଡ଼ଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ କରି ବିଜେପି ପଠାଇଥିଲା। ୨୦୦୯ ଓ ୨୦୧୪ରେ ସେ ଲୋକସଭା ନିର୍ବାଚନ ଲଢ଼ିଥିଲେ ମଧ୍ୟ ହାରିଥିଲେ।

ସଂକ୍ଷେପରେ ଦ୍ରୌପଦୀ ମୁର୍ମୁ

ଜନ୍ମ-୨୦-୬-୧୯୫୮

ଜନ୍ମସ୍ଥା- ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ କୁସୁମୀ ବ୍ଲକ ଉପରବେଡ଼ା ଗାଁ

ବାପା-ବିରଞ୍ଚି ନାରାୟଣ ଟୁଡୁ, ମା’-ସିନଗୋ ଟୁଡୁ

ଶିକ୍ଷା-ଗାଁ ସ୍କୁଲ, ଭୁବନେଶ୍ୱରର ୟୁନିଟ-୨ ବାଳିକା ଉଚ୍ଚ ବିଦ୍ୟାଳୟରେ ମ୍ୟାଟ୍ରିକ(୧୯୭୪), ରମାଦେବୀ ମହିଳା ମହାବିଦ୍ୟାଳୟରେ +୨ ଓ +୩

ସ୍ୱାମୀ-ସ୍ୱର୍ଗତ ଶ୍ୟାମଚରଣ ମୁର୍ମୁ

ସନ୍ତାନ-ବଡ଼ଝିଅ, ବଡ଼ ପୁଅ ଲକ୍ଷ୍ମଣ ଓ ସାନ ପୁଅ ସିପୁନଙ୍କ ଦେହାନ୍ତ, ସାନ ଝିଅ ଇତିଶ୍ରୀ ବ୍ୟାଙ୍କ ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି।

Related story