ମୁମ୍ବାଇ: ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମଙ୍କ ମନି ଲଣ୍ଡରିଂ ମାମଲାରେ ଗତକାଲି ଗିରଫ ହୋଇଛନ୍ତି ମହାରାଷ୍ଟ୍ର ମନ୍ତ୍ରୀ ନୱାବ ମଲିକ। ଏବେ ଏହି ମାମଲାରେ ନୱାବ ମଲିକଙ୍କ ଭାଇଙ୍କ ନାଁ ମଧ୍ୟ ସାମ୍ନାକୁ ଆସିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନଓ୍ଵାବ ମଲିକଙ୍କ ଭାଇ କପ୍ତାନ ମଲିକଙ୍କୁ ସମନ କରିଛି। ଏନେଇ ତାଙ୍କ ପରିବାର ପକ୍ଷ ସୂଚନା ଦେଇଛି।
ସେପଟେ ଆଜି ନଓ୍ଵାବ ମଲିକଙ୍କ ଭଉଣୀ ମଧ୍ୟ ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ମୁମ୍ବାଇ ଅଣ୍ଡରୱାର୍ଲ୍ଡର କାର୍ଯ୍ୟକଳାପ ସହିତ ଜଡିତ ଏକ ମନି ଲଣ୍ଡରିଂ ମାମଲାରେ ନଓ୍ଵାବ ମଲିକଙ୍କୁ ଗିରଫ କରିବାର ଗୋଟିଏ ଦିନ ପରେ ଇଡି ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି।
ଗତକାଲି ଇଡି ଏହି ମନି ଲଣ୍ଡରିଂ ମାମଲାରେ ପ୍ରଥମେ ନୱାବ ମଲିକଙ୍କୁ ତାଙ୍କ ଘରେ ପଚରାଉଚରା କରିଥିଲା। ପରେ ତାଙ୍କୁ ଘରୁ ଉଠାଇଆଣିଥିଲା ଇଡି। ଦୀର୍ଘ ୮ ଘଣ୍ଟାର ପଚରାଉଚରା ପରେ ଏନ୍ସିପି ନେତାଙ୍କୁ ଇଡି ଗିରଫ କରିଥିଲା। ବୁଧବାର ଗିରଫ ହେବା ପରେ ତାଙ୍କୁ କୋର୍ଟରେ ହାଜର କରାଯାଇଥିଲା। ସେଠାରୁ କୋର୍ଟ ନଓ୍ଵାବ ମଲିକଙ୍କୁ ମାର୍ଚ୍ଚ ୩ ତାରିଖ ପର୍ଯ୍ୟନ୍ତ ଇଡି ହେପାଜତକୁ ପଠାଇ ଦେଇଛନ୍ତି।
କଥିତ ରୂପେ ଏହି ମନି ଲଣ୍ଡରିଂ ମାମଲାରେ ଅଣ୍ଡରଓ୍ଵାଲର୍ଡ ଡନ୍ ଦାଉଦ ଇବ୍ରାହିମର ସହଯୋଗୀମାନଙ୍କ ସହ ନଓ୍ଵାବ ମଲିକ ଏକ ଚୁକ୍ତି ସହିତ ଜଡିତ ବୋଲି ଇଡି ସୂତ୍ରରୁ ଜଣାପଡିଛି।
ଦାଉଦ ଇବ୍ରାହିମ, ତାଙ୍କ ଭାଇ ଅନିସ, ଇକବାଲ, ସହଯୋଗୀ ଛୋଟା ସକିଲ ଏବଂ ଅନ୍ୟମାନଙ୍କ ବିରୋଧରେ ରୁଜୁ ହୋଇଥିବା ଏକ ମାମଲାର ଏବେ ଇଡି ତଦନ୍ତ ଜାରି ରଖିଛି। ଗତ ସପ୍ତାହରେ, ଇଡି ମୁମ୍ବାଇର ବିଭିନ୍ନ ସ୍ଥାନରେ ଛାନ୍ଭିନ୍ ଆରମ୍ଭ କରିବା ସହ ଚଢ଼ାଉ କରିଥିଲା। ଇଡି କହିଛି ଯେ ଏକ ନିର୍ଦ୍ଦିଷ୍ଟ ରିଅଲ ଇଷ୍ଟେଟ ପ୍ରକଳ୍ପରେ ନଓ୍ଵାବ ମଲିକଙ୍କ ବେନାମୀ ବିନିଯୋଗର ବିବରଣୀ ସେମାନଙ୍କ ପାଖରେ ଅଛି। ପ୍ରାୟ ୩୦୦ କୋଟି ଟଙ୍କର ଏକ ସମ୍ପତ୍ତିକୁ ନୱାବ କୁଆଡେ ୫୫ ଲକ୍ଷ ଟଙ୍କାରେ କିଣିଥିବା ଇଡି କହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।