ରାଇପୁର: ଅଳ୍ପକେ ବର୍ତ୍ତିଲେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ। ତାଙ୍କ ଘରେ ଲାଗିଲା ନିଆଁ। ପଲାମୁ ସ୍ଥିତ ସର୍କିଟ ହାଉସରେ ସଟସର୍କିଟ୍ ହୋଇଛି। ଏହାକୁ ନେଇ ପୂରା ଆର୍ଜେଡି ଶିବିରରେ ଆତଙ୍କ ଖେଳିଯାଇଛି।
ଲାଲୁ ଝାଡଖଣ୍ଡର ପଲାମୁ ସ୍ଥିତ ସର୍କିଟ ହାଉସର ଏକ ରୁମ୍ରେ ଥିଲେ। ତେବେ ଆଜି ସେ ରହିଥିବା ଉକ୍ତ ରୁମ୍ରେ ହିଁ ଏକ ଫ୍ୟାନ୍ରେ ସଟ୍ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଛି। ସେହି ସମୟରେ ଲାଲୁ ଯାଦବ ଡାଇନିଂ ଟେବୁଲରେ ଜଳଖିଆ ଖାଉଥିଲେ। ସଟ୍ସର୍କିଟ୍ ହେବା ପରେ ସେବାୟତମାନେ ତୁରନ୍ତ ସେହି କୋଠରୀରେ ଥିବା ବିଦ୍ୟୁତ କାଟି ସେଠାରୁ ବୁଲୁଥିବା ଫ୍ୟାନକୁ ବାହାର କରିଦେଇଥିଲେ। ଏଥିସହ ନିଆଁକୁ ମଧ୍ୟ ଆୟତ୍ତ କରିଥିଲେ। ଏହି ଘଟଣା ଘଟିବା ସମୟରେ ଲାଲୁ ଯାଦବ କୋଠରୀରେ ଉପସ୍ଥିତ ନଥିଲେ।
ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ମାମଲାରେ ହାଜର ହେବା ପାଇଁ ଲାଲୁ ପ୍ରସାଦ ଯାଦବ ପାଲାମୁରେ ପହଞ୍ଚିଛନ୍ତି। ସେ ଜୁନ୍ ୮ରେ ପାଲାମୁ କୋର୍ଟରେ ହାଜର ହେବେ। ସୋମବାର ଦିନ ଲାଲୁ ହେଲିକପ୍ଟର ଯୋଗେ ଚିଆଙ୍କି ବିମାନ ବନ୍ଦରରେ ପହଞ୍ଚି ସେଠାରୁ ସର୍କିଟ ହାଉସରେ ପହଞ୍ଚିଥିଲେ। ଲାଲୁ ଯାଦବ ଏହି ସର୍କିଟ ହାଉସରେ ରାତି ରହିଥିଲେ। ସକାଳେ, ସେ ପାଖ କୋଠରୀରେ ଜଳଖିଆ ଖାଉଥିଲେ। ଏତିକି ବେଳେ ରୁମ୍ର କାନ୍ଥରେ ଲାଗିଥିବା ଏକ ଫ୍ୟାନ୍ରେ ସଟ୍ସର୍କିଟ୍ ଯୋଗୁ ନିଆଁ ଲାଗି ଯାଇଥିଲା।
୧୯୯୫ ଗଣ୍ଡୱା ବିଧାନସଭା ନିର୍ବାଚନ ବେଳେ ଲାଲୁଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ତାଙ୍କ ବିରୋଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ଅଭିଯୋଗ ରହିଛି। କୁହାଯାଉଛି, ଗଣ୍ଡୱା ଗୋବିନ୍ଦ ହାଇସ୍କୁଲରେ ନିର୍ବାଚନ ସଭା ଆୟୋଜନ କରାଯାଇଥିଲା, ଏହି ସଭାରେ ଯୋଗ ଦେବା ପାଇଁ ଲାଲୁ ହେଲିକପ୍ଟର ଯୋଗେ ପହଞ୍ଚିଥିଲେ। ତେବେ ଯେଉଁସ୍ଥାନରେ ହେଲିକପ୍ଟର ଲ୍ୟାଣ୍ଡ କରିବା ପାଇଁ ନିର୍ଦ୍ଧାରିତ କରାଯାଇଥିଲା, ତା'ବଦଳରେ ଲାଲୁ ଏକ ଚାଷ ଜମିରେ ନିଜ ହେଲିକପ୍ଟରକୁ ଲ୍ୟାଣ୍ଡ କରାଇଥିଲେ। ଏହାକୁ ନେଇ ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା।