ନୂଆ ଦଳ ଗଠନ କଲେ ଆଜାଦ, ନାଁ ରଖିଲେ ଡେମୋକ୍ରାଟିକ ଆଜାଦ ପାର୍ଟି

ନୂଆଦିଲ୍ଲୀ: କଂଗ୍ରେସ ସହ ଦୀର୍ଘ ୫୦ ବର୍ଷର ସମ୍ପର୍କଚ୍ଛିନ୍ନ କରିଥିବା ଗୁଲାମ ନବୀ ଆଜାଦ ବିଧିବଦ୍ଧ ଭାବେ ନିଜର ନୂଆ ରାଜନୀତିକ ଦଳ ଗଠନ କରିଛନ୍ତି। ଆଜାଦଙ୍କ ନୂଆ ଦଳର ନାଁ ‘ଡେମୋକ୍ରାଟିକ ଆଜାଦ ପାର୍ଟି’ ରହିଛି। ଆଜି ସେ ନୂଆ ରାଜନୀତିକ ଦଳ ଲଞ୍ଚ କରିବା ସହ ଦଳୀୟ ପତାକାଙ୍କୁ ମଧ୍ୟ ଉନ୍ମୋଚନ କରିଛନ୍ତି। ଆଜି ସାମ୍ବାଦିକ ସମ୍ମିଳନୀ କରି ଆଜାଦ କହିଛନ୍ତି, “ସମସ୍ତ ଆଞ୍ଚଳିକ ଓ ଜାତୀୟ ଗଣମାଧ୍ୟମକୁ ମୁଁ ମୋର କୃତଜ୍ଞତା ଜଣାଉଛି। […]

azad

  • Published: Monday, 26 September 2022
  • , Updated: 26 September 2022, 01:45 PM IST

ନୂଆଦିଲ୍ଲୀ: କଂଗ୍ରେସ ସହ ଦୀର୍ଘ ୫୦ ବର୍ଷର ସମ୍ପର୍କଚ୍ଛିନ୍ନ କରିଥିବା ଗୁଲାମ ନବୀ ଆଜାଦ ବିଧିବଦ୍ଧ ଭାବେ ନିଜର ନୂଆ ରାଜନୀତିକ ଦଳ ଗଠନ କରିଛନ୍ତି। ଆଜାଦଙ୍କ ନୂଆ ଦଳର ନାଁ ‘ଡେମୋକ୍ରାଟିକ ଆଜାଦ ପାର୍ଟି’ ରହିଛି। ଆଜି ସେ ନୂଆ ରାଜନୀତିକ ଦଳ ଲଞ୍ଚ କରିବା ସହ ଦଳୀୟ ପତାକାଙ୍କୁ ମଧ୍ୟ ଉନ୍ମୋଚନ କରିଛନ୍ତି।

ଆଜି ସାମ୍ବାଦିକ ସମ୍ମିଳନୀ କରି ଆଜାଦ କହିଛନ୍ତି, “ସମସ୍ତ ଆଞ୍ଚଳିକ ଓ ଜାତୀୟ ଗଣମାଧ୍ୟମକୁ ମୁଁ ମୋର କୃତଜ୍ଞତା ଜଣାଉଛି। ଆମେ ସବୁବେଳେ ସ୍ୱାଧୀନ ଚିନ୍ତାଧାରା ଓ ନୀତିକୁ କାଏମ ରଖିବୁ। ଆମ ଦଳ ସବୁବେଳେ ଗଣତାନ୍ତ୍ରିକ ପାର୍ଟି ହୋଇ ରହିବ। ଏବେ ଆମ ଦଳର ପଞ୍ଜୀକରଣ କରିବା ହିଁ ସବୁଠାରୁ ବଡ଼ କାମ।

ନିର୍ବାଚନ ଯେକୌଣସି ସମୟରେ ହୋଇପାରେ। ଆମ ଦଳ ଏଯାଏ ପଞ୍ଜୀକରଣ ହୋଇନାହିଁ। ତେଣୁ ଏହାକୁ ପଞ୍ଜୀକରଣ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଛି। ସେହିପରି ଆମର ରାଜନୀତିକ କାର୍ଯ୍ୟକଳାପ ମଧ୍ୟ ଜାରି ରହିବ।” ଆଜାଦଙ୍କ ପାର୍ଟିର ପତାକରେ ବ୍ଲ୍ୟୂ, ଧଳା ଓ ହଳଦିଆ ରଙ୍ଗ ରହିଛି।

ଆଜାଦ ଆହୁରି କହିଛନ୍ତି, “ଆମ ପାଖକୁ ଉର୍ଦ୍ଦ୍ୱୁ ଓ ସଂସ୍କୃତ ଭାଷାରେ ଦଳର ନାଁ ପାଇଁ ୧୫ଶହ ପ୍ରସ୍ତାବ ଆସିଥିଲା। ହିନ୍ଦୀ ଓ ଉର୍ଦ୍ଦ୍ୱୁର ମିଶ୍ର ହେଉଛନ୍ତି ‘ହିନ୍ଦୁସ୍ତାନ’। ଆମେ ଆମ ଦଳର ନାଁ ଡେମୋକ୍ରାଟିକ, ଶାନ୍ତିପୂର୍ଣ୍ଣ ଓ ସ୍ୱାଧୀନ ଚିନ୍ତାଧାରାରେ ରଖିଛୁ। ଏଥିପାଇଁ ଆମ ସଂଗଠନର ନାଁ ଡେମୋକ୍ରାଟିକ ଆଜାଦ ପାର୍ଟି ରହିଛି।”

ଆଜି ନୂଆ ଦଳ ସମ୍ପର୍କରେ ଘୋଷଣା କରିବା ପୂର୍ବରୁ ଆଜାଦ ରବିବାର ତାଙ୍କ ସହ ରହିଥିବା କର୍ମୀ ଓ ନେତାମାନଙ୍କ ସହ ବୈଠକ କରିଥିଲେ। ଆଜାଦ କହିଛନ୍ତି, “ଆମ ରାଜନୀତି ଜାତି କିମ୍ବା ଧର୍ମ ଭିତ୍ତିକ ରହିବ ନାହିଁ। ଆମେ ନୂଆ ଦଳ ଗଠନ ପୂର୍ବରୁ ଆଉ କୌଣସି ରାଜନୀତିକ ସଂଗଠନ ସହ ବିଚାରବିମର୍ଶ କରିନାହୁଁ। ମୋ ଦଳ ଗାନ୍ଧିଜୀଙ୍କ ନୀତି ଓ ଆଦର୍ଶରେ ଚାଲିବ।”


କଂଗ୍ରେସ ସହ ସମ୍ପର୍କ ତୁଟାଇବା ପରେ ହିଁ ଆଜାଦ ନୂଆ ଦଳ ଗଠନ କରିବେ ବୋଲି କହିଥିଲେ। ଏଥିସହ ଜମ୍ମୁ-କଶ୍ମରୀରୁ ପ୍ରତ୍ୟାହାର ହୋଇଥିବା ପୂର୍ଣ୍ଣ ରାଜ୍ୟ ମାନ୍ୟତାକୁ ସେ ପୁଣି ଫେରାଇ ଆଣିବା ଦିଗରେ କାମ କରିବେ ବୋଲି ସମସ୍ତଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ଅଗଷ୍ଟ ୨୬ରେ ଆଜାଦ କଂଗ୍ରେସ ଛାଡ଼ିବା ସହ ରାହୁଲ ଗାନ୍ଧିଙ୍କୁ ତୀବ୍ର ସମାଲୋଚନା କରିଥିଲେ। ରାହୁଲ ଗାନ୍ଧିଙ୍କ ଅତ୍ୟଧିକ ହସ୍ତକ୍ଷେପ ଦଳର ବିଧିବ୍ୟବସ୍ଥା ସଂପୂର୍ଣ୍ଣ ଧ୍ୱଂସ କରିଦେଇଥିବା ସେ ଅଭିଯୋଗ କରିଥିଲେ।

Related story