ତେଜିଲା କଂଗ୍ରେସ ସଙ୍କଟ: ସିଡବ୍ଲ୍ୟୁସି ବୈଠକ ତୁରନ୍ତ ଡାକିବାକୁ ସୋନିଆଙ୍କୁ ଚିଠି

ନୂଆଦିଲ୍ଲୀ: ଦେଶର ସର୍ବପୁରାତନ ରାଜନୀତିକ ଦଳ କଂଗ୍ରେସରେ ସୃଷ୍ଟି ହୋଇଥିବା ଦଳୀୟ କନ୍ଦଳ ଓ ନେତୃତ୍ୱ ସଙ୍କଟ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ପ୍ରଥମେ କପିଲ ସିବଲ କଂଗ୍ରେସରେ କେହି ଅଧ୍ୟକ୍ଷ ନଥିବା କହି ସମାଲୋଚନା କରିଥିବା ବେଳେ ଏବେ ଗୁଲାମ ନବୀ ଆଜାଦ ସିଡବ୍ଲ୍ୟୁସି ବୈଠକ ତୁରନ୍ତ ଡାକିବାକୁ ସୋନିଆ ଗାନ୍ଧିଙ୍କୁ ଚିଠି ଲେଖିଛନ୍ତି। ଗତବର୍ଷ ଅଗଷ୍ଟରେ ଗୁଲାମ ନବୀଙ୍କ ନେତୃତ୍ୱରେ ଦଳର ୨୩ ଜଣ ନେତା ସୋନିଆ ଗାନ୍ଧିଙ୍କୁ ଚିଠି ଲେଖିଥିଲେ। ଏହି […]

sonia

Hemant Lenka
  • Published: Wednesday, 29 September 2021
  • , Updated: 29 September 2021, 06:17 PM IST

ନୂଆଦିଲ୍ଲୀ: ଦେଶର ସର୍ବପୁରାତନ ରାଜନୀତିକ ଦଳ କଂଗ୍ରେସରେ ସୃଷ୍ଟି ହୋଇଥିବା ଦଳୀୟ କନ୍ଦଳ ଓ ନେତୃତ୍ୱ ସଙ୍କଟ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ପ୍ରଥମେ କପିଲ ସିବଲ କଂଗ୍ରେସରେ କେହି ଅଧ୍ୟକ୍ଷ ନଥିବା କହି ସମାଲୋଚନା କରିଥିବା ବେଳେ ଏବେ ଗୁଲାମ ନବୀ ଆଜାଦ ସିଡବ୍ଲ୍ୟୁସି ବୈଠକ ତୁରନ୍ତ ଡାକିବାକୁ ସୋନିଆ ଗାନ୍ଧିଙ୍କୁ ଚିଠି ଲେଖିଛନ୍ତି।

ଗତବର୍ଷ ଅଗଷ୍ଟରେ ଗୁଲାମ ନବୀଙ୍କ ନେତୃତ୍ୱରେ ଦଳର ୨୩ ଜଣ ନେତା ସୋନିଆ ଗାନ୍ଧିଙ୍କୁ ଚିଠି ଲେଖିଥିଲେ। ଏହି ସମୟରେ ସେମାନେ ଦଳୀୟ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଓ ସାଂଗଠନିକ ପରିବର୍ତ୍ତନ କଥା ଉଠାଇଥିଲେ। ସେମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ସୋନିଆ ସବୁ କିଛି କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

କିନ୍ତୁ ଏଯାଏ ପ୍ରତିଶ୍ରୁତି ପୂରଣ ହୋଇ ନଥିବାରୁ ଗୁଲାମ ନବୀ ଚିଠିରେ ସେକଥା ତାଙ୍କୁ ମନେପକାଇ ଦେଇଛନ୍ତି। ସେ ତୁରନ୍ତ ସିଡବ୍ଲ୍ୟୁସି ବୈଠକ ଡାକି ଦଳରେ ସୃଷ୍ଟି ହୋଇଥିବା କନ୍ଦଳ ସମ୍ପର୍କରେ ଆଲୋଚନା କରିବାକୁ କହିଛନ୍ତି। ଦଳରେ ନେତୃତ୍ୱ ସଙ୍କଟ ରହିଥିବାରୁ ଅନେକ ବିଶୃଙ୍ଖଳା ଦେଖାଯାଉଥିବା କଥା ସୋନିଆଙ୍କୁ ଅବଗତ କରାଇଥିବା ଜଣାପଡ଼ିଛି।

ଅଧ୍ୟକ୍ଷ ପଦ ସହ ସିଡବ୍ଲ୍ୟୁସି ଓ ସାଂଗଠିକ ସ୍ତରରେ ତୁରନ୍ତ ନିର୍ବାଚନ କରି ନେତୃତ୍ୱ ପରିବର୍ତ୍ତନ କରିବାକୁ ଗୁଲାମ ନବୀ ଆଜାଦ ଚିଠିରେ ଅନୁରୋଧ କରିଛନ୍ତି। ଏହାପୂର୍ବରୁ କପିଲ ସିବଲ ସାମ୍ବାଦିକ ସମ୍ମିଳନୀରେ କରି କଂଗ୍ରେସରେ କେହି ଅଧ୍ୟକ୍ଷ ନାହାନ୍ତି ଓ କିଏ ଏସବୁ ନିଷ୍ପତ୍ତି ନେଉଛି ବୋଲି ପ୍ରଶ୍ନ କରିଥିଲେ।

୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ରାହୁଲ ଗାନ୍ଧି ଦଳର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ଏହାପରେ ସୋନିଆ ଗାନ୍ଧି ଅନ୍ତରୀଣ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି।

Related story