ମା’କୁ ବଞ୍ଚାଇବାକୁ ଯାଇ ବାପାକୁ ଶିଳପୁଆରେ ପିଟି ମାରିଦେଲା ଝିଅ

ଗାଜିଆବାଦ: ପ୍ରତିଦିନ କଳହ ସହ ମାରପିଟ୍‌। ଅତ୍ୟାଚାର ସୀମା ଟପିଗଲା। ନିଜ ମା ଉପରେ ଅକଥନୀୟ ନିର୍ଯାତନାକୁ ସିହିପାରିଲାନି ଝିଅ। ମାକୁ ବଞ୍ଚାଇବାକୁ ଯାଇ ଶେଷରେ  ଘରେ ଥିବା ଶିଳପୁଆକୁ ଆଣି ବାପା ମୁଣ୍ଡରେ ଛେଚିଦେଲା। ଫଳରେ ବାପାଙ୍କର ପ୍ରାଣ ଉଡ଼ିଗଲା। ଏମିତି   ଏକ ଅଭାବନୀୟ ଘଟଣା ଉତ୍ତରପ୍ରଦେଶର ଗାଜିଆବାଦର ମଧୁବନବାପୁଧାମ ଏରିଆରେ ଘଟିଛି। ପୁଲିସ  ସମ୍ପୃକ୍ତ ବ୍ୟକ୍ତିଙ୍କ ସ୍ତ୍ରୀକୁ ଗିରଫ କରିଥିବା ବେଳେ ଝିଅ ନାବାଳିକା ଥିବାରୁ ଜୁଭେନାଇଲ ହୋମକୁ ପଠାଇଛି। ଉଭୟଙ୍କ ନାମରେ ହତ୍ୟା ମାମଲା ରୁଜୁ ହୋଇଛି। ମୃତ ବ୍ୟକ୍ତିଙ୍କର ବୟସ ୪୨ ବର୍ଷ ହେବ । ଗ୍ରେଟର ନୋଏଡାରେ ସମ୍ପୃକ୍ତ ବ୍ୟକ୍ତିଙ୍କର ଏକ ଗହଣା ଦୋକାନ ରହିଛି। ଘରେ ତାଙ୍କର ୩୮ ବର୍ଷୀୟ ପତ୍ନୀ,  ଦୁଇ ପୁଅ ଏବଂ ଜଣେ ଝିଅ ଅଛନ୍ତି।  ମଧୁବନ ଏରିଆର  ସେକ୍ଟର ୨୩ରେ ଏମାନେ ରହୁନ୍ତି।

ତାଙ୍କ ଘର ଠାରୁ ଦେଢ଼ କିମି ଦୂର ନେହରୁନଗରରେ  ରବିବାର ରାତି ୪ଟାରେ ପୁଲିସ ପାଟ୍ରୋଲିଂ କରୁଥିଲା। ଏହି ସମୟରେ  ସେଠାରେ ଏକ କାର ପାର୍କିଂ ହୋଇଥିବା ପୁଲିସ ଦେଖିବାକୁ ପାଇଥିଲା। ପୁଲିସ ଯେତେବେଳେ କାରଟି ଯାଞ୍ଚ କଲା ସେଥିରୁ ଏକ ମୃତ ଦେହ ବାହାରିଥିଲା ।  ପୁଲିସ ମୃତ ଦେହଟିକୁ  ମେଡିକାଲକୁ ନେଇଥିଲା।  ଡାକ୍ତର ସେଠାରେ  ମୃତ ବୋଲି  ସ୍ପଷ୍ଟ କରିଥିଲେ।  ମଧୁବନବାପୁଧାମ ପୁଲିସ  ଷ୍ଟେସନ ଅଧିକାରୀ ଏହା କହିଛନ୍ତି । ଏହା ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା।  ପୁଲିସ ମୃତଦେହକୁ ଚିହ୍ନଟ କରି ତାଙ୍କ ଘରେ  ପହଞ୍ଚିଥିଲା । ଆଉ ତାଙ୍କ ଘରେ ଚଟାଣ ସାରା ରକ୍ତ ପଡ଼ିଥିବା ପୁଲିସ ଦେଖିବାକୁ ପାଇଥିଲା। ଏହା ପରେ ପୁଲିସ ସମ୍ପୃକ୍ତ ବ୍ୟକ୍ତିଙ୍କ ପତ୍ନୀଙ୍କୁ ପରରାଉଚରା କରିଥିଲା। ଜେରା ବେଳେ ସବୁ କଥା ମହିଳା ଜଣକ ମାନିଥିଲେ । ତାଙ୍କ କହିବା ଅନୁଯାୟୀ ତାଙ୍କ ସ୍ୱାମୀଙ୍କର ଅନ୍ୟ ଜଣେ ମହିଳାଙ୍କ ସହ ପରକିୟା ସମ୍ପର୍କ ଥିଲା। ଏହାକୁ ନେଇ ପ୍ରତିଦିନ ଘରେ କଳହ ଉପୁଜେ। ଅନ୍ୟ ମହିଳାଙ୍କ ସମ୍ପର୍କ ରଖିବାକୁ ସେ ଯେତେ ବାରଣ କରିଥିଲେ ମଧ୍ୟ ତାଙ୍କ ସ୍ୱାମୀ ମାନନ୍ତି ନାହିଁ ।

ରବିବାର ରାତିରେ ଏହି କାରଣକୁ ନେଇ ଘରୋଇ କଳହ ତୀବ୍ର ହୋଇ ଥିଲା।  ତାଙ୍କ ସ୍ୱାମୀ ଅନ୍ୟ ଜଣେ ମହିଳାଙ୍କ ସହ ଫୋନରେ ଗପୁଥିବାରୁ ସେ ତାକୁ ଛଡ଼ାଇ ଆଣିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହି ସମୟରେ ତାଙ୍କ ସ୍ୱାମୀ ତାଙ୍କୁ ପ୍ରବଳ ମାଡ଼ ମାରିଥିଲେ। ଘରେ ଥିବା ଝିଅ ପ୍ରତିବାଦ କରିଥିଲା। କିନ୍ତୁ ତାଙ୍କୁବି ପ୍ରବଳ ମାଡ଼ ମାରିଥିଲେ। ଏଥିରେ ସାନ ଝିଅ ଜଣକ ଉତକ୍ଷିପ୍ତ ହୋଇ ଘରେ ଥିବା ଶିଳପୁଆ ଆଣି ବାପା ମୁଣ୍ଡରେ ଛେଚି ଦେଇଥିଲେ। ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ପରେ  ତାଙ୍କ ୱାଗନର କାରରେ ମୃତ ଦେହଟିକୁ ଘର ଠାରୁ ଦେଢ଼ କିମି ଦୂର ନେଇ ରଖିଥିଲେ। ମୃତ ଦେହଟିକୁ  ଫିଙ୍ଗିବା ପାଇଁ ଯୋଜନା ଥିଲେ ମଧ୍ୟ ସୁଯୋଗ ମିଳି ନଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।